ବାରଙ୍ଗ: କର୍ତ୍ତୃପକ୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆନୂଆ ଜୀବଜନ୍ତୁ ଆଣି ଏହାକୁ ବିଶ୍ବସ୍ତରୀୟ କରିବା ପାଇଁ ଯୋଜନାମୁତାବକ ଏକପାଦ ଅଗେଇଛନ୍ତି। ନୂଆପ୍ରଜାତି ଭାବେ ନନ୍ଦନକାନନକୁ ପ୍ରଥମ କରି ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରୁ ସିଆମଙ୍ଗ ଗିବନ୍ ହଳେ ଅଣାଯାଇଛି। ଆସିଥିବା ଉଭୟ ଅଣ୍ଡିରା ଓ ମାଈ ସିଆମଙ୍ଗ ଗିବନଙ୍କର ବୟସ ୫ବର୍ଷ ଭିତରେ। ସେହିଭଳି ଏକ ତାଳୁ ଉପର ଧଳାଚୂଳିଆ ତାମାରିନ୍‌ ମାଙ୍କଡଙ୍କର ଏକହଳ ସେହି ହାଇଦ୍ରାବାଦ ଘରୋଇ ସଂସ୍ଥାରୁ କ୍ରୟକରି ଅଣାଯାଇଛି। ଗତମାସରେ ପ୍ରଥମକରି ଏକହଳ ତାଳୁ ଉପରେ ଧଳାଚୂଳିଆ ତାମାରିନ୍ ମଧ୍ୟ ଅଣାଯାଇଥିଲା। ଏବେସୁଦ୍ଧା ମୋଟ୍‌ ୪ଟି ଏହି ମର୍କଟ ପ୍ରଜାତିର ଜୀବ ନନ୍ଦନକାନନକୁ ଅଣାଯାଇଛି।

Advertisment

ଅଣାଯାଇଥିବା ସିଆମଙ୍ଗ ଗିବନ୍ ଓ ତାଳୁ ଉପର ଧଳାଚୂଳିଆ ତାମରିନ୍‌ଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସର ନିକଟରେ ପୃଥକୀକରଣ କକ୍ଷରେ ସ୍ବାସ୍ଥ୍ୟ ନୀରିକ୍ଷଣ ଓ ପରିବେଶ ସହିତ ଖାପ ଖୁଆଇବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ନଜରରେ ରଖ‌ାଯାଇଛି। ସୂଚନାଯୋଗ୍ୟ ଯେ ନନ୍ଦନକାନନରେ ପୂର୍ବରୁ ୧୬୮ ପ୍ରଜାତିର ପ୍ରାଣୀ ଥିଲେ। ନିକଟରେ ୩ ପ୍ରଜାତିଙ୍କୁ ଆଣିବାଦ୍ବାରା ଏହି ସଂଖ୍ୟା ୧୭୧ରେ ପହଞ୍ଚିଛି। ଅନ୍ତର୍ଜାତୀୟ ନିୟମ ଅନୁସାରେ ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରିବାପାଇଁ ୨୦୦ ପ୍ରଜାତିର ପ୍ରାଣୀ ଆବଶ୍ୟକ। ତେଣୁ କର୍ତ୍ତୃପକ୍ଷ ପ୍ରଜାତିଙ୍କ ସଂଖ୍ୟା ୨୦୦ କରିବା ଲାଗି ଯୋଜନା ମୁତାବକ ଲାଗି ପଡ଼ିଛନ୍ତି। ଏହି ଯୋଜନା ଭିତରେ ଗଣ୍ଡା, ଧଳାସିଂହ ଓ ଅନେକ ପ୍ରଜାତିର ପକ୍ଷୀ ଅଛନ୍ତି। ଅଗାମୀ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନର ପ୍ରତିଷ୍ଠା ଦିବସରେ ଅଣାଯାଇଥିବା ଉପରୋକ୍ତ ପ୍ରାଣୀ ଓ ଅଣାଯିବାକୁ ଥିବା ଅନ୍ୟାନ୍ୟ ପ୍ରାଣୀଙ୍କୁ ପର୍ଯ୍ୟଟକଙ୍କ ସମ୍ମୁଖରେ ପ୍ରଦର୍ଶିତ କରି ଅପ୍ରତ୍ୟାଶିତ ଭେଟି (ସର୍‌ପ୍ରାଇଜ୍‌) ଦେବାପାଇଁ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। 

ସିଆମଙ୍ଗ ଗିବନ୍ ପ୍ରଜାତି ଚିକ୍କଣ କଳାଲୋମଧାରୀ ମାନବାକୃତ ମାଙ୍କଡ। ସେମାନେ ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ତଥା ମାଳୟ ଉପଦ୍ବୀପ, ସୁମାତ୍ରା ବର୍ଷାବନ ଓ ମୌସୁମୀବନରେ ଦେଖିବାକୁ ମିଳନ୍ତି। ଏହା ଗିବନ୍‌ ପ୍ରଜାତିର ସବୁଠାରୁ ବଡ ଶରୀରଧାରୀ ଅଟନ୍ତି। ଏମାନଙ୍କ ଗଳାରେ ଥିବା ଥଳିକୁ ଫୁଲାଇ ପାଟିକୁ ମେଲାକରି ‘ୱ ୱ’ ସୁନ୍ଦର ସ୍ବର ସୃଷ୍ଟିକରି ଥାଆନ୍ତି। ସେଥିପାଇଁ ଏହି ପ୍ରଜାତିର ମାଙ୍କଡ ଅନ୍ୟ ମାଙ୍କଡଙ୍କ ଠାରୁ ସ୍ବତନ୍ତ୍ର ଓ ଅକର୍ଷଣୀୟ ଲାଗନ୍ତି। ଏମାନେ ଶାକାହାରୀ, କିନ୍ତୁ ଉଈ, କୀଟ ଓ ପକ୍ଷୀଅଣ୍ଡା ମଧ୍ୟ ଏମାନଙ୍କର ଆହାର ଅଟେ। ଏମାନେ ୨୫ ବର୍ଷରୁ ୪୦ ବର୍ଷ ବଞ୍ଚନ୍ତି। ଅଣ୍ଡରାଙ୍କ ଓଜନ ମାଈଠାରୁ ସାମାନ୍ୟ ଅଧିକ ହୋଇଥାଏ। ଏମାନେ ସାମାଜିକ ପ୍ରାଣୀ, ଛୋଟ ପରିବାରରେ ୩ରୁ ୬ଟି ଦଳହୋଇ ରହନ୍ତି। ୮ ବର୍ଷ ବୟସରେ ଏମାନେ ମିଳନଯୋଗ୍ୟ ହୋଇ ଥାଆନ୍ତି। ମିଳନ ସମୟ ଆସିଲେ ଅଣ୍ଡିରା ଓ ମାଈ ଯୋଡି ଦଳରୁ ବାହାରେ ରହି ମିଳନ କରିଥାଆନ୍ତି। ମାଈ ଗର୍ଭଧାରଣର ୮ ମାସ ଭିତରେ ଥରକୁ ଗୋଟିଏ ଶାବକ ଜନ୍ମ ଦେଇଥାଏ। ମା’ ପ୍ରାୟ ଏକବର୍ଷ ପର୍ଯ୍ୟନ୍ତ ଶାବକର ଯତ୍ନ ନେଇଥାଏ।