ଦୟାନଦୀ କୂଳରେ ମହାଆଳତି: ମଣିଷ ହୃଦୟରେ ଦୟା ଓ କ୍ଷମାର ସ୍ରୋତ ପ୍ରବାହିତ ହେଉ

ବାଲିଅନ୍ତା: ନଦୀ ସହ ମଣିଷର ସଂପର୍କ ବହୁ ପୁରୁଣା। ନଦୀର ମହାନତା ସମଗ୍ର ମାନବ ଜାତିର ହିତ ସାଧନ ଲାଗି ସଦା ଉତ୍ସର୍ଗୀକୃତ। ଏହି ପରି‌ପ୍ରେକ୍ଷୀରେ ଭାରତୀୟ ସଂସ୍କୃତିରେ ପୌରାଣିକ ଏବଂ ଐତିହାସିକ ତଥ୍ୟ ବହନ କରୁଥିବା ଦୟା ନଦୀର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦୟା ନଦୀର ସଂସ୍କୃତି ଓ ଐତିହ୍ୟକୁ ଜନମାନସରେ ଉଜ୍ଜୀବିତ ରଖିବା ଲାଗି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ଆଜି ପୌଷ ପୂର୍ଣ୍ଣିମା ଅବସରରେ ନଦୀ ତଟରେ ପ୍ରଥମ କରି ମହାଆଳତି ଉପାସନା ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ନଦୀ କୂଳରେ ଆୟୋଜିତ ଧର୍ମସଭାରେ ଜଗତଗୁରୁ ରାମାନୁଜାଚାର୍ଯ୍ୟ ସ୍ବାମୀ ଅରୂପାନନ୍ଦ ଯୋଗ ଦେଇ ସଂଧ୍ୟା ୬ଟାରେ ପୂଜାବିଧି ସଂପନ୍ନ କରାଇଥିଲେ। ଆୟୋଜିତ ଆଧ୍ୟାତ୍ମିକ ସଭାରେ ସ୍ବାମୀ ଅରୂପାନନ୍ଦ ଦୟାନଦୀର ଉତ୍କର୍ଷ ଭଳି ମଣିଷ‌ର ହୃଦୟରେ ଅଂହିସା, ଦୟା, କ୍ଷମା ଆଦି ଶାଶ୍ବତ ଭାବଧାରାର ସ୍ରୋତ ପ୍ରବାହିତ ହୋଇ ଶାନ୍ତି ବିରାଜମାନ କରୁ ବୋଲି ଆଶୀର୍ବଚନ ପ୍ରଦାନ କରିଥିଲେ। ଏଥିସହିତ ଦେଶର ଅଖଣ୍ଡତା ବଜାୟ ଦିଗରେ ଆହ୍ବାନ ଦେଇଥିଲେ। ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘର ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ଓ ଦୟାନଦୀ ଆଳତି ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ‌ଜ୍ଞାନେନ୍ଦ୍ର ସଭାକାର୍ଯ୍ୟ ପରିଚଳନା କରିବା ସହ କାର୍ଯ୍ୟକ୍ରମର ଦୀର୍ଘାୟୁ କାମନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆୟକର ବିଭାଗ ମୁଖ୍ୟ କମିସନର୍‌ ଶରତ ଦାଶ, କିଟ୍‌ ଓ କିସ୍‌ର ଚେୟାରପର୍ସନ୍‌ ହରେକୃଷ୍ଣ ଶତପଥୀ, ସଂସ୍କୃତି ବିଶେଷଜ୍ଞ ସୂର୍ଯ୍ୟନାରାୟଣ ରଥଶର୍ମା, ଉତ୍କଳ ବିଦ୍ୟୁତ୍‌ ପରିଷଦ ଅଧ୍ୟକ୍ଷ ଡ. ମନୋଜ ରଥ, ଶିଶୁ ବିକାଶ ସମିତି ମୁଖ୍ୟ ଡ. କରୁଣାକର ପ୍ରଧାନ ଓ ସଂସ୍କୃତି ବିଦ୍ବାନ ଡ. ହରେକୃଷ୍ଣ ଶତପଥୀ, ପଣ୍ଡିତ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଓ ସୁନୀଲ ପୂଜାପଣ୍ଡା, ସମାଜସେବୀ ଶୁଚିସ୍ମିତା ପୃଷ୍ଟି ଓ ଦୀନବନ୍ଧୁ ମହାପାତ୍ରଙ୍କ ସମେତ ବହୁ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଏହି ମହାଆରତି ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ସରକାର ‘ଦୟା ମହୋତ୍ସବ’ ଭାବେ ନାମିତ କରି ଆଗାମୀ ବର୍ଷରେ ୭ଦିନ ଧରି କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ସେମାନେ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର