କଟକ/ମାହାଙ୍ଗା : ଡିସେମ୍ବର ୨୭ ତାରିଖ‌ ରାତିରେ ଉଭୟପକ୍ଷ ମଧ୍ୟରେ ଘଟିଥିବା ବିବାଦ ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ କାରଣ ବୋଲି ଏବେ କୁହାଯାଉଛି। ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ କହିବା ଅନୁଯାୟୀ ତାକୁ କୁଳମଣିଙ୍କ ଦୁଇ ପୁଅ ଲଙ୍ଗଳା କରି ପିଟିବାରୁ ସେ ଏଭଳି ହତ୍ୟା ଯୋଜନା କରିଥିଲା। କିନ୍ତୁ ଡିସେମ୍ବର ୨୮ ତାରିଖରେ ପଂଚାନନର ମା’ ମାତାଜୀ ସେଠୀ ଯେଉଁ ଏଫଆଇଆର୍ ଦେଇଥିଲେ ସେଥିରେ ସେ ଲେଖିଥିଲେ ଯେ କୁଳମଣି ବରାଳଙ୍କ ଦୁଇ ପୁଅ ଓ ଅନ୍ୟମାନେ ରାତି ୧୧ଟାରେ ତାଙ୍କ ଘରକୁ ଆସି ପଂଚାନନକୁ ଖୋଜିଥିଲେ। କବାଟ ଭାଙ୍ଗି ଘର ଜାଳି ଦେବାର ଧମକ ଦେଇଥିଲେ। ପଂଚାନନକୁ ନ ପାଇ ସେମାନେ ଘରେ ଶୋଇଥିବା ଆଉ ଜଣେ ପୁଅ ଚୈତନ୍ୟ ସେଠୀକୁ ମାଡ ମାରି ଘୋଷାଡି ନେଇଥିଲେ। ଦଉଡିରେ ବାନ୍ଧି ଗାଡିରେ ପକାଇ ନେଇ ଯାଇଥିଲେ। କିନ୍ତୁ ପଂଚାନନକୁ ମାଡ ସଂପର୍କରେ ଅଭିଯୋଗ ହୋଇ ନଥିବା ବେଳେ ତାକୁ ଲଙ୍ଗଳା କରି ମାରିଲେ ବୋଲି ପଂଚାନନ ‌ଏବେ ଅଭିଯୋଗ କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment

publive-image Photo: ToI

ଆଜି ମାହାଙ୍ଗା ଆସିବେ ପୁରନ୍ଦେଶ୍ବରୀ
ଆସନ୍ତାକାଲି ମାହାଙ୍ଗା ଆସିବେ ବିଜେପିର ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ବରୀ। ସକାଳ ୧୦ଟାରେ ସେ ମାହାଙ୍ଗା ଆସି ମୃତ କୁଳମଣି ବରାଳଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ବିଜେପିର ଅନ୍ୟ ବରିଷ୍ଠ ନେତା ମାହାଙ୍ଗା ଆସି କୁଳମଣିଙ୍କ ପରିବାର ସଦସ୍ୟଙ୍କୁ ଭେଟି ସାରିଥିବା ବେଳେ ପୁରନ୍ଦେଶ୍ବରୀଙ୍କ ଗସ୍ତ ପୁଣି ରାଜନୈତିକ ଗତିବିଧିକୁ ଚଳଚଞ୍ଚଳ କରିଛି। ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରି ଥିବା ଦାବି କରିଛି। କିନ୍ତୁ ବିଜେପି ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ଧାରଣା ଜାରି ରଖିଥିବା ବେଳେ ଆସନ୍ତା ୮ ତାରିଖ ଦିନ ଡିଜି ଅଫିସ ଘେରାଉ କରିବ ବୋଲି ଘୋଷଣା କରିଛି।

ହଳେ ବାପ-ପୁଅ ଗିରଫ; ହଳେ ଫେରାର
ମାହାଙ୍ଗା ଡବଲ ମର୍ଡର ଘଟଣାରେ ବାପା-ପୁଅ କୈଳାସ ଖଟୁଆ ଓ ଅରବିନ୍ଦ ଖଟୁଆ ଗିରଫ ହୋଇଛନ୍ତି। ଅନ୍ୟପଟେ ଶାସକ ଦଳର ଆଗଧାଡିର ନେତା ଭିକାରି ସ୍ବାଇଁ ଓ ତାଙ୍କ ପୁଅ ଉମାକାନ୍ତ ସ୍ବାଇଁ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା କହୁଛି।

ବିକାଶ ଯେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧରାପଡିବ ତ?
୨୦୧୮, ଡିସେମ୍ବର ୧୩ରେ ଘଟିଥିବା ବିକାଶ ଯେନା ହତ୍ୟାକାଣ୍ଡ ଘଟଣାରେ କେବେ ଧରାପଡିବ ମୁଖ୍ୟଅଭିଯୁକ୍ତ। ମାହାଙ୍ଗା ନୁର୍ତ୍ତାଙ୍ଗ ପଂଚାୟତର ବିଜେପି ସହ ପ୍ରମୁଖ ଥିବା ଯଁ‌କୋଟି ଗ୍ରାମର ବିକାଶ ଯେନାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଯଁକୋଟି ସୁକ ନଈ ବନ୍ଧ ରାସ୍ତା ପାର୍ଶ୍ବ ବିଲରେ ତାଙ୍କୁ ହତ୍ୟା କରାଯାଇଥିଲା। ପଂଚାୟତ ନିର୍ବାଚନ ସମୟରେ ରାଜନୈତିକ ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସରପଂଚ ସୁଶ୍ରୀ ନାୟକଙ୍କ ଶ୍ବଶୁର ନିରଂଜନ ବିଶ୍ବାଳ ଓ ଯଁକୋଟି ଗ୍ରାମର ମାନସ ରଂଜନ ପାଣିଙ୍କୁ ଗିରଫ କରାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରପଂଚଙ୍କ ସ୍ବାମୀ ସ୍ଥାନୀୟ ଅଞ୍ଚଳର ଆଗଧାଡିର ବିଜେଡି କର୍ମୀ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ପୁଲିସ ଆଜି ଯାଏ ଗିରଫ କରି ପାରି ନାହିଁ। ସେ ଖୁଲମଖୁଲା ବୁଲୁଥିଲେ ମଧ୍ୟ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଡବଲ ମର୍ଡର ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରି ନେଇଥିବା ବେଳେ ୨ ବର୍ଷ ତଳର ସେହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କାହିଁକି ଧରି ପାରୁନି ବୋଲି ଏବେ ପ୍ରଶ୍ନ ଉଠୁଛି।

କୋଠାଘର ଥାଇ ବି ଅଭିଯୁକ୍ତ ହାତେଇ ଥିଲେ ସରକାରୀ ଆବାସ
ଡବଲ୍‌ ମର୍ଡର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ କ୍ଷୀତିଶ୍ ଆଚାର୍ଯ୍ୟଙ୍କ କୋଠାଘର ଥାଇ ବି ସେ ବିଜୁ ପକ୍କାଘର ଯୋଜନାରେ ଘର ହାତେଇଥିବା କୁହାଯାଉଛି। ମୃତ କୁଳମଣି ବରାଳଙ୍କ ପୁଅ ନୃତ୍ତାଙ୍ଗ ସମିତିସଭ୍ୟ ରମାକାନ୍ତଙ୍କ ଅଭିଯୋଗ ପରେ ଘଟଣା‌ର ତଦନ୍ତ ଆରମ୍ଭ ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ତଦନ୍ତ ରିପୋର୍ଟରେ କ୍ଷୀତିଶଙ୍କ କୋଠାଘର ଥାଇ ବିଜୁ ପକ୍କାଘର ହାତେଇଥିବା ଓ ଟଙ୍କା ମଧ୍ୟ ନେଇଥିବା ଦର୍ଶାଇଥିଲେ। ଏପରିକି ପୁରୁଣା ଘରକୁ ନୂଆ ଦର୍ଶାଇ ବିଲ ଉଠାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ କରାଯାଇନି।