ମାଟିହାଣ୍ଡି ତରଣରେ ମହକିଲା କପିଳେଶ୍ବର

ପୁରୁଣା ଭୁବନେଶ୍ୱର: ବିଧି ଓ ପରମ୍ପରା ଅନୁସାରେ ଶ୍ରୀଧବଳେଶ୍ୱରଙ୍କୁ ଅର୍ପଣ କରିବା ପାଇଁ ଆଜି କପିଳେଶ୍ବରରେ ତରଣ ତିଆରି କରାଯାଇଛି। ଶତାଧିକ ମହିଳା ମାଟିହାଣ୍ଡିରେ ଏହି ତରଣ ତିଆରି କରିଛନ୍ତି। ଚାଉଳ ଚୂନା, ଗୁଡ଼, ଆଖୁରସ, ନଡ଼ିଆ, ତେଜପତ୍ର ପକାଇ ତିଆରି ହୋଇଛି ଏହି ସ୍ବାଦିଷ୍ଟ ତରଣ। ବଡ଼ଓଷା କରିଥିବା ମହିଳାମାନେ ଘରେ ତରଣ ତିଆରି କରି ଠାକୁରଙ୍କୁ ଲାଗି କରିଛନ୍ତି। ତେଣୁ ଆଜି କପିଳେଶ୍ବର ଗାଁ ତରଣ ମହକରେ ମହକି ଉଠିଥିଲା।

ନିୟମାନୁସାରେ କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ସକାଳୁ ବଡ଼ଓଷା ବ୍ରତ କରିଥିବା ମହିଳାମାନେ ଏହି ତରଣକୁ ଠାକୁରଙ୍କୁ ଲାଗି କରିବେ। ପରେ ଶ୍ରଦ୍ଧାଳୁମାନେ ଏହାକୁ ପ୍ରସାଦ ରୂପରେ ପାଇବେ। ଏହାର ତିଆରି ବିଧି ସ୍ବତନ୍ତ୍ର। ଏହା କୌଣସି ରୋଷେଇ ଘରେ ପ୍ରସ୍ତୁତ ହେବାର ବିଧି ନାହିଁ। ନୂଆ ମାଟିହାଣ୍ଡିରେ ପ୍ରସ୍ତୁତ ହେଉଥିବା ତରଣକୁ ଘର ବାହାରରେ ଖୋଲା ସ୍ଥାନରେ ନୂଆ ଚୁଲିରେ ରନ୍ଧା ଯାଏ। ପୁଣି ଏହାକୁ ରାନ୍ଧିବା ପାଇଁ କେବଳ କାଠ ଜାଳ ହିଁ ବ୍ୟବହାର କରାଯିବା ବିଧି ରହିଛି। ସେହିଭଳି କେବଳ ବଡ଼ଓଷା ବ୍ରତ କରି ଉପାସ ଥିବା ମହିଳାମାନେ ଏହାକୁ ରାନ୍ଧିବେ। ରାନ୍ଧିବା ବେଳେ ପିଲାଛୁଆ ଓ ଅନ୍ୟମାନେ ଚୁଲି ପାଖକୁ ନଯିବା ପାଇଁ କଡ଼ା ନିୟମ ରହିଛି। ତେଣୁ ଆଜି ଦିନ ତମାମ ଉପବାସରେ ଥିବା ଶତାଧିକ ମହିଳା ନିଜ ଘରର ଛାତ ଉପରେ ବା ଅଗଣାରେ ସ୍ବତନ୍ତ୍ର ଚୁଲି କରି ଏହାକୁ ରାନ୍ଧିଛନ୍ତି। ଚାଉଳ ଚୂନା, ଗୁଡ଼, ନଡ଼ିଆ, ଆଖୁ ରସ, ତେଜପତ୍ର ପଡ଼ି ତିଆରି ହୋଇଥିବା ତରଣ ମହକ ଆଜି ଗାଁ ସାରା ଖେଳିଯାଇଛି। ଆଜି ଭୋର୍‌ରୁ ମହିଳାମାନେ ଡଙ୍ଗା ଭସାଣ କରିବା ସହ ମନ୍ଦିରରେ ଶ୍ରୀଧବଳଳେଶ୍ବରଙ୍କୁ ଏହି ତରଣ ବାଢ଼ିବେ। ଭୋଗଲାଗି ପରେ ଏହାକୁ ସମସ୍ତେ ପ୍ରସାଦ ରୂପରେ ଗ୍ରହଣ କରିବେ ବୋଲି ସେବାୟତ ପରିବାରର ମହିଳା ସୁଚିତ୍ରା ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର