ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ବାର ମାସରେ ତେର ଯାତ। କେତେ ଯାତ ମନ୍ଦିର ଭିତରେ ହେଉଥିବାବେଳେ ଆଉ କେତେ ଯାତ ବାହାରେ ହୋଇଥାଏ। ସବୁ ଜଗନ୍ନାଥ ମନ୍ଦିରରେ ବିଶେଷ ଯାତ ରଥଯାତ୍ରା ଦେଖିବାକୁ ଗହଳି ଲାଗି ରହିଥିଲା। କେତେବେଳେ ମହାପ୍ରଭୁ ପହଣ୍ଡି ହୋଇ ରଥାରୁଢ଼ ହେବେ ଭକ୍ତମାନେ ଅପେକ୍ଷା କରିଥିଲେ। ସବୁଠି ଥିଲା ଭକ୍ତିମୟ ପରିବେଶ। ଭାବଗ୍ରାହୀଙ୍କୁ ନିଜ ପାଖରେ ଦେଖି କିଏ କାକୁତି ମିନତି ହୋଇ ପ୍ରଭୁଙ୍କୁ ଦୁଃଖ ଜଣାଉଥିଲା ତ। ତ କିଏ ଆନନ୍ଦା ଅଶ୍ରୁ ଢ଼ାଳି ନିଜ ମନକଥା କହୁଥିଲା। ଭକତଙ୍କ ମେଳରେ ଭାବଗ୍ରାହୀଙ୍କ ରଥ ଟଣା ହୋଇଥିଲା।

Advertisment

ପଟିଆରେ ଗଡ଼ିଲା ରାଜଧାନୀର ସର୍ବୋଚ୍ଚ ରଥ

ଚନ୍ଦ୍ରଶେଖରପୁର: ପ୍ରତିବର୍ଷ ଭଳି ଆଜି ରାଜଧାନୀର ସବୁଠୁ ଉଚ୍ଚ ରଥ ଗଡ଼ିଛି ପଟିଆରେ। ୩୨ ଫୁଟ୍‌ ଉଚ୍ଚ ବିଶିଷ୍ଟ ଏହି ରଥ ଦେଖିବାକୁ ଉତ୍ତର ଭୁବନେଶ୍ବର ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ପଟିଆ ରଥଯାତ୍ରାର ଅନ୍ୟ ଏକ ବିଶେଷତ୍ବ ହେଉଛି ଯେ ଏଠାରେ ବି ରାଜ‌ା ହିଁ ଛେରା ପହଁରା କରନ୍ତି। ରାଜ୍ୟର ଅନ୍ୟ ରାଜବଂଶ ଭଳି ଆଉ ପଟିଆଗଡ଼ର ରାଜବାଟୀ ନଥିଲେ ବି ରାଜବଂଶର ଉତ୍ତରାଧିକାରୀ ବର୍ତ୍ତମାନର ରାଜା ଶ୍ରୀଶ୍ରୀ ଦିବ୍ୟସଂହ ଦେବ ଅଛନ୍ତି ଏବଂ ସେ ରଥଯାତ୍ରାରେ ଛେରା ପହଁରା କରିଆସୁଛନ୍ତି। ଆଜି ସକାଳୁ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସରିବା ପରେ ସକାଳ ପ୍ରାୟ ୧୦ଟା ବେଳେ ପହଣ୍ଡି ଆରମ୍ଭ ହୋଇଥିଲା। ତିନି ଠାକୁର ଓ ସୁଦର୍ଶନ ପ୍ରଭୁଙ୍କୁ ଗୋଟିଏ ରଥରେ ସ୍ଥାପନା କରାଯାଇଥିଲା। ପ୍ରାୟ ସାଢ଼େ ତିନିଟା ବେଳେ ରାଜାଙ୍କୁ ନିମନ୍ତ୍ରଣ କରିବା ପାଇଁ ସୁସଜ୍ଜିତ ସବାରି ଯାଇଥିଲା ଏବଂ ରାଜା ରଥ ପାଖକୁ ଆସି ଛେରା ପହଁରା କରିଥିଲେ। ଏହାପରେ ବାଜା, ବାଣ, ରୋଶଣୀ କରି ରଥକୁ ଗୁଣ୍ଡିଚା ମନ୍ଦିରକୁ ଟାଣି ନିଆଯାଇଥିଲା।

ଛେରାପହଁରା କଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି

publive-image

ଆଜି ବାଣୀକ୍ଷେତ୍ର ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୨୮ଫୁଟ୍‌ ଉଚ୍ଚତା ବିଶିଷ୍ଟ ସୁସଜ୍ଜିତ ରଥରେ ସୁଦର୍ଶନଙ୍କ ସମେତ ତିନି ଠାକୁରଙ୍କୁ କ୍ୟାମ୍ପସ ପରିସରସ୍ଥ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା। ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଶେଶ୍ବର ମନ୍ଦିରରେ ଆଜି ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ହେବା ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥକୁ ନିଆଯାଇଥିଲା। ଏହାପରେ ପହଣ୍ଡି ବିଜେ କରିଥିଲେ ବଡ଼ଠାକୁର। ଝୁଲି ଝୁଲି ରଥ ପର୍ଯ୍ୟନ୍ତ ଆସିବା ପରେ ବଡ଼ଠାକୁର ରଥ ଉପରକୁ ବିଜେ କରିଥିଲେ। ରଥରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ଓ ନୀତି ସମ୍ପନ୍ନ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ରୀତିନୀତି ଅନୁସାରେ ଛେରାପହଁରା କରିଥିଲେ। ଏହାପରେ ରଥକୁ ବନ୍ଦାପନା କରାଯାଇଥିଲା ଏବଂ ଘୋଡ଼ା ଓ ସାରଥୀ ଲଗାଯାଇଥିଲା। ଶେଷରେ ଶହଶହ ଶ୍ରଦ୍ଧାଳୁ ରଥକୁ ଟାଣିଥିଲେ। ଜୟ ଜଗନ୍ନାଥ ଧ୍ବନିରେ ବିଶ୍ବବିଦ୍ୟାଳୟ ପରିସର କମ୍ପି ଉଠିଥିଲା। ସନ୍ଧ୍ୟା ସୁଦ୍ଧା ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

ଧର୍ମବିହାର

publive-image

‌ଧର୍ମବିହାର ଜଗନ୍ନାଥ ମନ୍ଦିର ରଥଯାତ୍ରା ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳପୁରରୁ ଆସିଥି‌ବା ଘୋଡ଼ାନାଚ, ନାଗାବାବା, ହନୁମାନ, ଠାକୁରାଣୀ ମେଢ଼ଙ୍କ ‌ବାଜା ତାଳେ ତାଳେ ନାଚ ଉପସ୍ଥିତ ଭକ୍ତଙ୍କୁ ବିଭୋର କରିଥିଲା। ରଥ ଧର୍ମବିହାର ଜଗନ୍ନାଥ ମନ୍ଦିରରୁ ବାହାରି ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯାଇଥିଲା। ସକାଳୁ ଦ୍ବାର ଫିଟା, ଅବକାଶ, ହୋମ ହେବା ପରେ ମଧ୍ୟାହ୍ନ ୧୨ଟାରେ ରଥ ପ୍ରତିଷ୍ଠା ଓ ଅପରାହ୍ଣ ୧ଟାରେ ଠାକୁରଙ୍କ ପହଣ୍ଡି ହୋଇଥିଲା। ରଘୁନାଥ ମହାନ୍ତି ଛେରା ପହଁରା କରିବା ପରେ ସନ୍ଧ୍ୟା ୫ଟାରେ ରଥଟଣା ଆରମ୍ଭ ହୋଇଥିଲା।

ଆର୍‌ସିଏମ୍‌ର ତିନି ରଥ ମନ ମୋହିଲା

publive-image

ଆର୍‌ସିଏମ୍‌ କ୍ୟାମ୍ପସସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ରଥଯାତ୍ରା ମହାଆଡ଼ମ୍ବର ସହକାରେ ସମାହିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପ୍ରବୀର ପାଲ୍‌ ତିନି ରଥରେ ଛେରା ପହଁରା କରିଥିଲେ। ସକାଳ ପ୍ରାୟ ୧୦ଟାରେ ପହଣ୍ଡି କରାଯାଇ ସୁଦର୍ଶନ ଓ ତିନି ଠାକୁରଙ୍କୁ ରଥରେ ବିଜେ କରାଯାଇଥିଲା। ଅପରାହ୍ଣ ୪ଟା ବେଳେ ଛେରା ପହଁରା କରାଯାଇଥିଲା। ପରମ୍ପରା ଅନୁଯାୟୀ ଏଠାରେ ତିନି ରଥ ଆଗରେ ଆଦିବାସୀମାନେ ନୃତ୍ୟ, ଗୀତ ପରିବେଷଣ କରନ୍ତି। ଚଳିତ ଥର ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀମାନେ ରଥ ସମ୍ମୁଖରେ ଢୋଲ, ମାଦଳ, ତାସା, ମହୁରୀ ବଜାଇ ନୃତ୍ୟ କରିଥିଲେ। ସ୍ଥାନୀୟ ମୈତ୍ରୀବିହାର ଅଞ୍ଚଳର ସାନ୍ତାଳ ଆଦିବାସୀ ପୁରୁଷ ମହିଳାମାନେ ନୃତ୍ୟ କରିଥିଲେ। ତିନି ରଥକୁ ନା‌ଲ୍‌କୋ ଛକ ଦେଇ ପ୍ରେସ୍‌ କଲୋନି କାଳୀ ମନ୍ଦିର ପରିସରରେ ଥିବା ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା।

ୟୁନିଟ୍-୫

publive-image

ଶ୍ରୀଶ୍ରୀ ଚଣ୍ଡେଶ୍ବର ମନ୍ଦିର ପରିସରସ୍ଥ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ସମସ୍ତ ରୀତିନୀତି ପରେ ପ୍ରାୟ ଅପରାହ୍ଣ ୪ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା। ଏଠାରୁ ରଥାରୂଢ଼ ତିନି ଠାକୁର ୟୁନିଟ୍-୬ସ୍ଥିତ ରାଧାକୃଷ୍ଣ ମନ୍ଦିରକୁ ଯାଇଥିଲେ।