ଭୁବନେଶ୍ବର: ପଡ଼ୁଥିଲା ଉଠୁଥିଲା ରଥଦାଣ୍ଡ। ଦାଣ୍ଡ ସାରା ଭାବମୟ ଭକ୍ତିମୟ ପରିବେଶ। ରଥଖଳାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ଲାଗିଥିଲା ଗହଳଚହଳ। ଘଣ୍ଟ, ଘଣ୍ଟା, ଢୋଲ, ମର୍ଦ୍ଦଳ ତୂରୀ, ମହୁରୀ ଶବ୍ଦର କୋଳାହଳରେ କମ୍ପି ଉଠୁଥିଲା ସବୁଆଡ଼। କେଉଁଠି ହରିବୋଲ ହୁଳହୁଳି ଶବ୍ଦରେ ରଥଦାଣ୍ଡ ଉଛୁଳି ପଡ଼ୁଥିଲା ତ କେଉଁଠି ଭକ୍ତ କଣ୍ଠରୁ ଭାସି ଆସୁଥିଲା ଭଜନ ଓ ଜଣାଣ। କେଉଁଠି ଉପରକୁ ହାତଟେକି ଭକ୍ତ ନାଚୁଥିଲା ତ କେଉଁଠି ଭକ୍ତ ତା’ ଆଖିରୁ ଝରାଉଥିଲା ଆନନ୍ଦାଶ୍ରୁ। ଆଜି ଏମିତି ଥିଲା ରଥଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନର ଦୃଶ୍ୟ। ପବିତ୍ର ଅଶୋକାଷ୍ଟମୀ ତିଥିରେ ରୁକୁଣା ରଥରେ ରଥାରୂଢ଼ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦେଖିବାକୁ ଭକ୍ତ ଆଜି ଏମିତି ବ୍ୟାକୁଳ ହୋଇଉଠିଥିଲା। ମହାମାରୀ କରୋନା ପାଇଁ ଏଭଳି ମହାଦୃଶ୍ୟ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ପାଇଁ ଆଜି ପ୍ରତୀକ୍ଷାର ଅନ୍ତ ହୋଇଥିଲା ଓ ଭକ୍ତ ମନଭରି ରଥରେ ଦେଖିଲା ଭଗବାନଙ୍କୁ। ତେଣୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାରେ ଭକ୍ତ ଟାଣି ନେଇଥିଲେ ରୁକୁଣା ରଥ।
Sambad is now on WhatsApp
Join and get latest news updates delivered to you via WhatsApp
ଅଣଲେଉଟା ରୁକୁଣା ରଥ
ମହାପ୍ରଭୁ ଲିଙ୍ଗରାଜଙ୍କ ଭଉଣୀ ରୁକ୍ମିଣୀଙ୍କ ନାମ ଅନୁସାରେ ଏହାକୁ ରୁକୁଣା ରଥ କୁହାଯାଏ। ବିଶେଷତ୍ୱ ହେଉଛି ଏହି ରଥ ଅଣଲେଉଟା। ମୋଡ଼ ନେଇ ପଛକୁ ଫେରେନାହିଁ ଏହି ରଥ। ଯେମିତି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ରଥର ପଛପଟ ଦ୍ୱାର ଖୋଲି ଦିଆଯାଏ ଓ ଘୋଡ଼ାମାନଙ୍କୁ ଯୋଚିଦିଆଯାଏ। ପୁରୀ ବଡ଼ଦାଣ୍ଡରେ ରଥମାନେ ଦକ୍ଷିଣ ମୋଡ଼ ନେଇ ବୁଲିଥାନ୍ତି। ମାତ୍ର ଏହି ରଥରେ ସେମିତି ପରମ୍ପରା ନାହିଁ। ସେଥିପାଇଁ ଏହାକୁ ଅଣଲେଉଟା ରୁକୁଣା ରଥ ବୋଲି କୁହାଯାଏ। ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ପଛ ପାଖରେ ଲଗାଇଦିଆଯାଏ। ଅର୍ଥାତ୍ ରଥର ପଛ ଭାଗ ପାଲଟି ଯାଏ ସମ୍ମୁଖ ଭାଗ।
ବ୍ରହ୍ମା ସାଜନ୍ତି ସାରଥୀ
ପୌରାଣିକ ତଥ୍ୟ ଅନୁସାରେ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ଲଙ୍କପତି ରାବଣକୁ ହତ୍ୟା କରିଥିଲେ। ରାବଣ ନୈଷ୍ଠିକ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରକୁ ଆସି ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମଚନ୍ଦ୍ରଙ୍କୁ ବର ଯାଚିଥିଲେ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ଆସିବା ପାଇଁ ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚ ଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ବଡ଼ କଥା ହେଉଛି ଏହି ରୁକୁଣା ରଥର ସାରଥୀ ଦାୟିତ୍ବ ବହନ କରନ୍ତି ସ୍ବୟଂ ସୃଷ୍ଟିକର୍ତ୍ତା ‘ବ୍ରହ୍ମା’। ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ରଥରେ ୪ ଚକ, ୨ ଓରା, ୧୬ ନାହାକା ଓ ୫ଦଣ୍ଡା ରହିଛି।
ପହଣ୍ଡି ବେଳେ ଭକ୍ତଙ୍କ ନୃତ୍ୟ
ଠାକୁରଙ୍କ ପହଣ୍ଡି ବେଳେ ଭକ୍ତମାନେ ବିଭିନ୍ନ ବେଶରେ ନୃତ୍ୟ କରୁଥିଲେ। ମା’ ଦୁର୍ଗା, ମା’ କାଳୀଙ୍କ ବେଶ ହୋଇ କିଛି ଭକ୍ତ ନୃତ୍ୟ କରୁଥିଲେ। ସେହିଭଳି କିଛି ଭକ୍ତ ଓଡ଼ିଶୀ ନୃତ୍ୟ କରୁଥିବା ବେଳେ ଆଉ କିଛି ବିଭିନ୍ନ ରାକ୍ଷସ ରୂପ ଧାରଣ କରି ନୃତ୍ୟ ପରିବେଷଣ କରିଥିଲେ।