ଭୁବନେଶ୍ବର: ସମସ୍ତ ଲୌକିକତା ମଧ୍ୟରେ ଅଲୌକିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଭକ୍ତଙ୍କ ଭାବରେ ବନ୍ଧା ବୋଲି ସେ ଭାବଗ୍ରାହୀ। ସେହି ଦାରୁବ୍ରହ୍ମଙ୍କୁ ରଥରେ ଦେଖିବାକୁ ବ୍ୟାକୁଳ ହୋଇପଡ଼ୁଥିଲେ ଭକ୍ତବୃନ୍ଦ। ଟାହିଆ ହଲେଇ, ପହଣ୍ଡିରେ ଝୁଲିଝୁଲି କାଳିଆ ସାଆନ୍ତେ କେତେବେଳେ ଆସିବେ, ଅନେଇ ବସିଥିଲେ ସମସ୍ତେ। ଶେଷରେ ରତ୍ନ ସିଂହାସନରୁ ଓହ୍ଲାଇଆସିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଭୁ ସୁଦର୍ଶନ, କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା, କାମପାଳ ଶ୍ରୀବଳଭଦ୍ରଙ୍କୁ ଆଗରେ ପଠାଇ ସବା ପଛରେ ହଲିଟହଲି ଗଡ଼ିଲେ ମହାବାହୁ। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଛେରାପହଁରା ବିଧି ସରିଲା। ଅଶ୍ବ ଯୋଚାହେଲେ। ହାତରେ ବେତଧରି ଡାହୁକ ଡାକ ଛାଡ଼ିଲେ। ରଥ ତଳେ ସମବେତ ଭକ୍ତ ଉପରକୁ ହାତ ଟେକି ‘ହରିବୋଲ, ଜୟ ଜଗନ୍ନାଥ’ ଧ୍ବନିରେ ଗଗନପବନ କମ୍ପାଇ ଦେଲେ। ଏହା ଭିତରେ ରଥ ଗଡ଼ିଲା। ରଥାରୂଢ଼ ମହାବାହୁଙ୍କୁ ଦେଖି ଭକ୍ତ ଆଖିରୁ ଗଡ଼ିଚାଲିଲା ମହାନନ୍ଦର ଅଶ୍ରୁ।
ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ
ଚନ୍ଦ୍ରଶେଖରପୁର: କିସ୍ ଶ୍ରୀବାଣୀ କ୍ଷେତ୍ରରେ ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥପ୍ରତିଷ୍ଠା ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ଣ ୩ଟାରେ ଛେରାପହଁରା ହୋଇଥିଲା। ଅପରାହ୍ଣ ୪ଟା ସମୟରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ନବନିର୍ମିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଦେଖିବା ଲାଗି ୫୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ପୁରୀ ରଥଯାତ୍ରାର ସମସ୍ତ ନିୟମକୁ ଅନୁସରଣ କରାଯାଇ ରଥନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକର ଆସିଛନ୍ତି। ଶ୍ରୀବାଣୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ଏଠାରେ ସମସ୍ତ ପୂଜାର୍ଚ୍ଚନା ଓ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହଦେବଙ୍କ ପରାମର୍ଶ ଅନୁସାରେ ହୋଇଛି। ଶ୍ରୀକ୍ଷେତ୍ର ଭଳି ୧୬, ୧୪ ଓ ୧୨ଚକ ବିଶିଷ୍ଟ ତିନିଟି ରଥ ହୋଇଛି। ଗୁଣ୍ଡିଚା ମନ୍ଦିରରେ ପ୍ରତିସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ମୀନାବଜାରର ଆୟୋଜନ ହୋଇଛି।
କାନନକ୍ଷେତ୍ରରେ ରଥଯାତ୍ରା
ବାରଙ୍ଗ: କାନନକ୍ଷେତ୍ର ନନ୍ଦନକାନନ ଛକରେ ଗଡ଼ିଛି ଭକ୍ତିରଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଇଂ ଅଭୟ କୁମାର ସାମନ୍ତରାୟ ଛେରାପହଁରା କରିଥିଲେ। ବିଜୟ କୁମର ଦାସ ଡାହୁକ ସେବକ ଦାୟିତ୍ବ ତୁଲାଇଥିଲେ। ପରମ୍ପରା ଅନୁଯାୟୀ, ପ୍ରଶାସନ ତରଫରୁ ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର ଭୋଗହାଣ୍ଡି ଆଣି ଶ୍ରୀଜିଉଙ୍କ ସେବା କରିଥିଲେ। ପାରମ୍ପରିକ ବାଦ୍ୟ, ହରିବୋଲ ଓ ହୁଳହୁଳି ଶଙ୍ଖନାଦରେ ହଜାର ହଜାର ଭକ୍ତ ରଥ ଟାଣି ରଘୁନାଥପୁର ଗ୍ରାମ ନିକଟ ମାଉସୀ ମା’ ମନ୍ଦିରରେ ପହଞ୍ଚାଇଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ପାତ୍ର, ସମ୍ପାଦକ ବିଜୟ କୁମାର ପାତ୍ର, ଗ୍ରାମ ମୁରବି ନବଘନ ପାତ୍ର ଓ ରବୀନ୍ଦ୍ର ପାତ୍ର ପ୍ରମୁଖ ସେବକମାନେ ରଥଯାତ୍ର ପରିଚାଳନା କରିଥିଲେ। ଅନୁରୂପ ଭାବେ ମଧୁବନ ଗ୍ରାମରେ ଅନୁଷ୍ଠିତ ରଥଯାତ୍ରାରେ ବିଚିନ୍ଦ୍ର କୁମାର ଜେନା ଛେରାପହଁରା କରିଥିଲେ। ଡାହୁକ ସୁଧାକର ପ୍ରଧାନ ସେବା ତୁଲାଇଥିଲେ। ତ୍ରିଶୁଳିଆ ଛକ ମାଉସୀ ମା’ ମନ୍ଦିର ବାଉଁଯୋରୀ ପିଠ ପର୍ଯ୍ୟନ୍ତ ଭକ୍ତମାନେ ରଥ ଟାଣିଥିଲେ। ବେଣ୍ଟକାରପଡ଼ା ଗ୍ରାମରେ ଅନୁଷ୍ଠିତ ରଥଯାତ୍ରାରେ ସଦାଶିବ ସ୍ୱାଇଁ ଛେରାପହଁରା କରିଥିଲେ। ମୁଣ୍ଡଳୀ, ତଲଗଡ଼, ନରାଜ, ଜୟପୁର, ବେଲଗଛିଆ, ଫୁଲପୋଖରୀ, ପୁରୁଣାବାରଙ୍ଗ, କଣ୍ଟାପାଟଣା, ଗଦେଇକୁଦ, ନନ୍ଦନକାନନ ଛକ, ପଦାସାହି, ବରିମୁଣ୍ଡ ଆଦି ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହୋଇଛି।
ଲବଣଗିରି ପାହାଡ଼ରେ ଗଡ଼ିଲା ତିନିରଥ
ଜଟଣୀ: ଜାମୁକୋଳି ପଞ୍ଚାୟତର ଲବଣଗିରି ପାହାଡ଼ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଠାକୁରଙ୍କ ନୀତିକାନ୍ତି ସମାପନ ହେବା ସହ ପ୍ରାତଃକାଳରେ ଦ୍ୱାର ଫିଟା, ମଙ୍ଗଳଆଳତି, ଅବକାଶ, ସକାଳ ଧୂପ, ଗୋପାଲବଲ୍ଲଭ ଧୂପ ଆଦି ନୀତିକାନ୍ତି କରାଯାଇଥିଲା। ପୂର୍ବାହ୍ଣ ୧୧ଟା ସମୟରେ ପହଣ୍ଡି ବିଜେ ହୋଇଥିଲେ ତିନି ଠାକୁର। ଚଳିତ ଥର ସମାଜସେବୀ ତିରୁପତି ପାଣିଗ୍ରାହୀ ଛେରାପହଁରା କରିଥିଲେ। ମଧ୍ୟାହ୍ନ ସମୟରେ ରଥଟଣା ଆରମ୍ଭ କରାଯାଇଥିଲା। ସଂଧ୍ୟା ସୁଦ୍ଧା ପାଞ୍ଚଗାଁ ସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ରଥ ପହଞ୍ଚି ସାରିଥିଲା। ଏଥିପାଇଁ ଏୟାରଫିଲଡ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଲବଣଗିରି ପାହାଡ଼ ଉପରୁ ୨୫ବର୍ଷ ହେଲା ଗୋଟିଏ ରଥରେ ଏକାଠି ଚତୁର୍ଦ୍ଧାମୂର୍ତ୍ତି ତଳକୁ ଆସୁଥିଲେ। କିନ୍ତୁ ଚଳିତବର୍ଷ ୩ଟି ରଥ ନିର୍ମାଣ ହୋଇଛି। ପାହାଡ଼ ଉପରୁ ରଥ ଗଡ଼ିବା ବେଳେ ଆଗ ଓ ପଛ ପଟରୁ ଭକ୍ତମାନେ ଦଉଡ଼ି ସାହାଯ୍ୟରେ ଭିଡ଼ି ଧରିଥାନ୍ତି।