ମହାଆନନ୍ଦ, ମହାଭାବ ଓ ମହା ପବିତ୍ରତାର ପ୍ରତୀକ ମହାପ୍ରସାଦ

ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀମହାପ୍ରସାଦ ହେଉଛନ୍ତି ମହାଆନନ୍ଦ, ମହାଭାବ ଓ ମହା ପବିତ୍ରତାର ପ୍ରତୀକ। ବର୍ଣ୍ଣବୈଷମ୍ୟ ଓ ସାମ୍ପ୍ରଦାୟିକତା ସଂକୀର୍ଣ୍ଣତାକୁ ଭୁଲି ସମସ୍ତେ ମିଳିତ ଭାବେ ଶ୍ରୀମହାପ୍ରସାଦ ସେବନ କରିବା କେବଳ ଶ୍ରୀକ୍ଷେତ୍ରରେ ହିଁ ସମ୍ଭବ। ରାଜ୍ୟସ୍ତରୀୟ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ବୁଦ୍ଧମନ୍ଦିରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ’କୁ ଉଦ୍‌ଘାଟନ କରି ପ୍ରଶାସକ ବିନୟ କୁମାର ଦାଶ ଏହା କହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି ପ୍ରଫେସର୍‌ ନୀଳକଣ୍ଠ ପତି କହିଲେ ଯେ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଶ୍ରୀକ୍ଷେତ୍ରର ଆନନ୍ଦ ବଜାରରେ ଏକାକାର। ଏଠି ଥାଏ କେବଳ ଭକ୍ତିଭାବର ଅମୃତଧାରା।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାସ୍କର ମିଶ୍ର କହିଲେ ପଞ୍ଚସଖାଙ୍କ ରଚିତ ଭାବ ସମୁଦ୍ର ଗ୍ରନ୍ଥଠାରୁ ଆରମ୍ଭ କରି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଶ୍ରୀମହାପ୍ରସାଦର ମାହତ୍ମ୍ୟ ବର୍ଣ୍ଣନା କରିଛନ୍ତି। ବଡୁ ସୁଆର ନିଯୋଗର ସଭାପତି ବିଶ୍ୱନାଥ ସାମନ୍ତରାୟ କହିଲେ ଯେ ରୋଷଶାଳାରେ ଥରେ ପଶିଗଲେ ପ୍ରଭୁ ଆମକୁ ତାଙ୍କ କାର୍ଯ୍ୟ କରିବା ପାଇଁ ଅସୀମ ବଳ ଦେଇଥା’ନ୍ତି। ଅନ୍ୟତମ ଆଲୋଚକ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଶ୍ରୀମହାପ୍ରସାଦର ପ୍ରସ୍ତୁତିଶୈଳୀ ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ। ଧର୍ମ ଓ ବିଜ୍ଞାନର ସମନ୍ୱୟ ସବୁବେଳେ ଆମ ସଂସ୍କୃତିରେ ଦେଖାଯାଇଛି। ପରିବର୍ତ୍ତନର ମୁଖ୍ୟ ସମ୍ପାଦକ ସେବାୟତ ଜିତେନ୍ଦ୍ର କୁମାର ମହାପାତ୍ର ଗୋପାଳ ବଲ୍ଲଭଠାରୁ ପ୍ରଭୁଙ୍କର ବଡ଼ସିଂହାର ବେଶ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ନୈବେଦ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଜୟକୃଷ୍ଣ ବ୍ରହ୍ମା ଅତିଥି ପରିଚୟ, ରଶ୍ମି ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ନଦା ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଧର୍ମ, ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ ଯୁବକ ବରୁଣରାଜ ଓ ଅନ୍ୟମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର