ସ୍ବର୍ଗଦ୍ବାରକୁ ଗଡ଼ୁ ‘ମହାପ୍ରୟାଣ’

ଏ ପର୍ଯ୍ୟନ୍ତ ୩୫୦ରୁ ଅଧିକ ମୃତଦେହ ସ୍ଥାନାନ୍ତର

ଭୁବନେଶ୍ବର : ସରକାରୀ ଡାକ୍ତରଖାନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ‘ମହାପ୍ରୟାଣ’ ଯୋଜନା। ଗତ ଦୁଇ ବର୍ଷ ହେବ ରାଜ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ମିଳୁଥିବା ବେଳେ ଏହାକୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଚିନ୍ତା କରୁଛି। ତେବେ ରାଜ୍ୟ ସରକାର ଏଥିପାଇଁ ଯେଉଁ ନିୟମ ରଖିଛନ୍ତି, ତାହା ଅଧିକାଂଶ ଲୋକଙ୍କ ପାଇଁ ଫଳପ୍ରଦ ହେଉନାହିଁ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କିମ୍ବା ଶବ ବ୍ୟବଚ୍ଛେଦ ପରେ ସ୍ବର୍ଗଦ୍ବାରରେ ଶବଦାହ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏହି ଗାଡ଼ି ଉପଲବ୍ଧ ହେଉନାହିଁ। ତେଣୁ ଏହାକୁ ସ୍ବର୍ଗଦ୍ବାରାକୁ ନେବା ପାଇଁ ଲୋକମାନେ ଦାବି କରୁଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ‘ମହାପ୍ରୟାଣ’ ଯୋଜନା ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ୩୫୦ରୁ ଅଧିକ ମୃତଦେହ ବିଭିନ୍ନ ସ୍ଥାନକୁ ‘ମହାପ୍ରୟାଣ’ଯୋଗେ ସ୍ଥାନାନ୍ତର କରାଯାଇଛି। ‘ମହାପ୍ରୟାଣ’ ଯୋଜନା ଜିଲ୍ଲା ରେଡକ୍ରସ ସୋସାଇଟି ଦ୍ବାରା ପରିଚାଳିତ ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ଗୋଟିଏ ଆମ୍ବୁଲାନ୍‌ସ ସହିତ ଦୁଇଜଣ ଡ୍ରାଇଭର ରହିଛନ୍ତି। ମହାପ୍ରୟାଣ ଗାଡ଼ି ପାଇଁ ପ୍ରତି କି.ମି ପିଛା ୧୦ଟଙ୍କା ଦେବାକୁ ପଡ଼ୁଛି। ଯାହାକି ଅନ୍ୟ ଘରୋଇ ଆମ୍ବୁଲାନ୍‌ସ ତୁଳନାରେ ଯଥେଷ୍ଟ କମ୍। ଅନେକ ମୃତକଙ୍କ ସଂପର୍କୀୟ ସ୍ବର୍ଗଦ୍ବାରରେ ଶବଦାହ କରିବାକୁ ଚାହୁଁଛନ୍ତି, ମାତ୍ର ‘ମହାପ୍ରୟାଣ’ରେ ଏଥିପାଇଁ ନିୟମ ନ ଥିବାରୁ ଲୋକମାନେ ଘରୋଇ ଆମ୍ବୁଲାନ୍‌ସରେ ମୃତଦେହ ନେବା ପାଇଁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଆମ୍ବୁଲାନ୍‌ସଗୁଡ଼ିକ ମନଇଚ୍ଛା ଭଡ଼ା ଦାବି କରୁଛନ୍ତି।

ଅପରପକ୍ଷରେ ‘ମହାପ୍ରୟାଣ’ ଯୋଜନା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ମାତ୍ର ଗାଡ଼ି ରହିଛି। ଦୂର ସ୍ଥାନ କିମ୍ବା ଜିଲ୍ଲା ବାହାରକୁ ଯଦି ଗାଡ଼ି ମୃତଦହେକୁ ନେଇ ଚାଲିଯାଉଛି ତେବେ ଅନ୍ୟମାନେ ଏହି ସୁବିଧା ପାଉ ନାହାନ୍ତି। ଏଭଳି କ୍ଷେତ୍ରରେ ଆହୁରି ଗୋଟିଏ ଗାଡ଼ି ‘ମହାପ୍ରୟାଣ’ ଯୋଜନାରେ ଯୋଗାଇ ଦେବାକୁ ମୃତକଙ୍କ ସଂପର୍କୀୟମା‌ନେ ଦାବି କରୁଛନ୍ତି। ନିକଟରେ ପୁରୀ ଅଞ୍ଚଳରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକ ମୃତଦେହକୁ ସ୍ବର୍ଗଦ୍ବାରକୁ ନେବା ପାଇଁ ଦାବି କରିଥିଲେ। ମାତ୍ର ନିୟମ ନ ଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କୁ ମନା କରାଯାଇଥିଲା। ଏଭଳି ପରିସ୍ଥିତିରେ ମହାପ୍ରୟାଣରେ ନିଜ ଘରକୁ ପରେ ‌ସ୍ବର୍ଗଦ୍ବାର ନେବା ପାଇଁ ଦୁଇଥର ଖର୍ଚ କରିବାକୁ ପଡ଼ିବ ବୋଲି ଚିନ୍ତା କରିବା ପରେ ଶେଷରେ ବାଧ୍ୟହୋଇ ସେ ଘରୋଇ ଆମ୍ବୁଲାନ୍‌ସରେ ମୃତଦେବହକୁ ସ୍ବର୍ଗଦ୍ବାରକୁ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର