ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରୁ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ିର ସୁବିଧା ନାହିଁ। ଏମିତିକି ଏଥିପାଇଁ କୌଣସି ସରକାରୀ ଆମ୍ବୁଲାନ୍ସ ମଧ୍ୟ ମିଳୁନାହିଁ। ଏହି ମଉକାରେ ଘରୋଇ ‘ସ୍ବର୍ଗରଥ’ର ମାଲିକମାନେ ମୃତକଙ୍କ ସମ୍ପର୍କୀୟମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ମରଶରୀର ନେବା ପାଇଁ ଘରୋଇ ସ୍ବର୍ଗରଥ ମାଲିକମାନେ ମନଇଚ୍ଛା ଭଡ଼ା ଦାବି କରୁଛନ୍ତି। ଏମିତିକି କେହି ବାହାରୁ ଗାଡ଼ି ବ୍ୟବସ୍ଥା କଲେ, ସେଠାରେ ଥିବା ଘରୋଇ ସ୍ବର୍ଗରଥ ମାଲିକମାନେ ଦାଦାଗିରି କରି ବାହାର ଗାଡ଼ିକୁ ବାରଣ କରୁଛନ୍ତି। ଫଳରେ ଗରିବ ଲୋକମାନେ ଅସହ୍ୟ ଜୁଲମର ଶିକାର ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ନିକଟରେ ଏଭଳି ଏକ ଘଟଣା ନଜରକୁ ଆସିଥିଲା। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ୍ର ଅର୍ଜୁନ ଜେନା ନିଜ ରୋଗିଣା ବାପାଙ୍କୁ ନେଇ ଏମ୍ସ ଆସିଥିଲେ। ଗାଁରୁ ଗାଡ଼ି ଭଡ଼ା ବାବଦରେ ସେ ୨୨୦୦ ଟଙ୍କା ଗଣିଥିଲେ। ଦୁର୍ଭାଗ୍ୟବଶତଃ ଏମ୍ସରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ତାଙ୍କୁ ଯେତିକି ବାଧିନଥିଲା, ମରଶରୀର ନେଇଯିବା ପାଇଁ ଘରୋଇ ସ୍ବର୍ଗରଥ ମାଲିକଙ୍କ ଦାଦାଗିରି ତାଙ୍କୁ ତା’ଠାରୁ ଅଧିକ କଷ୍ଟ ଦେଇଥିଲା। ଗରିବ ଲୋକ ହୋଇଥିବାରୁ ବହୁ କାକୁତିମିନତି କରିବା ପରେ ବି କୌଣସି ଗାଡ଼ି ଭଡ଼ା ବାବଦରେ ୬ ହଜାର ଟଙ୍କାରୁ କମାଇନଥିଲେ। ଭୁବନେଶ୍ବରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ବାହାରୁ ଏକ ଗାଡ଼ି ବ୍ୟବସ୍ଥା କରିଥିଲେ ବି ଏମ୍ସ ନିକଟରେ ଡେରା ପକାଇଥିବା ସ୍ବର୍ଗରଥ ମାଲିକମାନେ ତାଙ୍କୁ ଧମକଚମକ ଦେଇ ତଡ଼ି ଦେଇଥିଲେ। ଫଳରେ ଅର୍ଜୁନ ସେମାନଙ୍କ କଥାରେ ରାଜି ହେବାକୁ ବାଧ୍ୟ ହୋଇଥିଲେ ଓ ମୂଲଚାଲ୍ କରିବା ପରେ ୫ ହଜାର ଟଙ୍କା ଗଣିଥିଲେ।
ସୂଚନାଯୋଗ୍ୟ ଯେ ଏମ୍ସକୁ ଆସୁଥିବା ଅଧିକାଂଶ ରୋଗୀ ଗରିବ ଓ ଦାରିଦ୍ର୍ୟ ସୀମାରେଖା ତଳର। ସ୍ବଳ୍ପ ମୂଲ୍ୟରେ ଭଲ ଚିକିତ୍ସା ପାଇବା ଆଶାରେ ସେମାନେ ଏଠାକୁ ଆସନ୍ତି। ମାତ୍ର କୌଣସି କାରଣରୁ ରୋଗୀଙ୍କ ମୃତ୍ୟୁ ହେଲେ, ସମ୍ପର୍କୀୟଙ୍କ ଅବସ୍ଥା ସଂଗିନ୍ ହୋଇପଡ଼େ। ଆତ୍ମୀୟଙ୍କ ମୃତ୍ୟୁ ମାନସିକ ଯନ୍ତ୍ରଣା ଦେଉଥିବା ବେଳେ ଘରୋଇ ସ୍ବର୍ଗରଥ ମାଲିକଙ୍କ ଜୁଲମ୍ ଅସହ୍ୟ ହୋଇପଡ଼େ। ଧାରକରଜ କରି ହସ୍ପିଟାଲକୁ ଆସିଥିବା ରୋଗୀ ସମ୍ପର୍କୀୟମାନେ ମୃତଦେହ ନେବାକୁ ପୁଣି ଧାରକରଜ କରିବାକୁ ବାଧ୍ୟ ହୁଅନ୍ତି। ଘରୋଇ ସ୍ବର୍ଗରଥ ମାଲିକମାନେ ଖୁଲମଖୁଲା ଦାଦାଗିରି କରି ଏଭଳି ଶୋଷଣ କରୁଥିଲେ ବି ସେମାନଙ୍କ ଉପରେ କେହି ଅଙ୍କୁଶ ଲଗାଇ ପାରୁନାହାନ୍ତି। ତେଣୁ ଦିନ ଆସିବ, ଏଠାରେ ଦାନ ମାଝୀ ପ୍ରସଙ୍ଗର ପୁନରାବୃତ୍ତି ହେବ ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Mahaprayan-vehicle.jpg)