ମହରାଜା ଫିଲ୍ମ ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ବାଣୀବିହାରର ପୂର୍ବତନ ସଭାପତି ପ୍ରାର୍ଥୀ ସମେତ ତିନି ଗିରଫ

ଭୁବନେଶ୍ୱର: ମହରାଜା ଫିଲ୍ମ ହଲ୍‌ରେ ଗତ ଶନିବାର ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ହେବ ବୋଲି ରବିବାର ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଯୁବକକୁ ସହିଦ ନଗର ଥାନା ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବାଣୀବିହାରର ପୂର୍ବତନ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଏବଂ ଅନ୍ୟ ଦୁଇ ଅଣଛାତ୍ର ଅନନ୍ତ ସାମନ୍ତରାୟ ଏବଂ ସୁବ୍ରତ ବିଶ୍ୱାଳ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ମହାରାଜା ସିନେମା ହଲରେ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସାମ୍ବାଦିକଙ୍କୁ ମାଡ ଘଟଣାକୁ ତିବ୍ର ନିନ୍ଦା କରିଥିଲା ଓଡିଶା ସାମ୍ବାଦିକ ମଂଚ । ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ସାମ୍ବାଦିକମାନେ ପୁଲିସ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ଅପରାଧିଙ୍କୁ ଚିହ୍ନଟ କରାଯାଇଛି ଓ କମିସନରେଟ ପୁଲିସକୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆହୋଇଛି ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ଜଣେ ସାମ୍ବାଦିକ ମହାରାଜା ହଲକୁ ସିନେମା ଦେଖିବା ପାଇଁ ଯାଇଥିଲେ । ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପୂର୍ବତନ ସଭାପତି ପ୍ରାର୍ଥୀ ସୌମ୍ୟରଂଜନ ମହାପାତ୍ର ଓ ତାଙ୍କର ସହଯୋଗୀମାନେ କିଛି ମହିଳାଙ୍କୁ କମେଣ୍ଟ ମାରୁଥିଲେ । ଆଉ ଏହାକୁ ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ସାମ୍ବାଦିକଙ୍କୁ ପକ୍ଷରୁ ଗତକାଲି ସହିଦ ନଗର ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର