ଭୁବନେଶ୍ୱର: ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜଣେ ସୁଶାସକ ତଥା ପ୍ରଜାବତ୍ସଳ, ସାହିତ୍ୟାନୁରାଗୀ, ଦାନବୀର ଭାବେ ସର୍ବଜନବିଦିତ। ତେଣୁ ସେ ସମଗ୍ର ଓଡ଼ିଆ ଜାତିର ହୃଦୟର ମହାରାଜା ଥିଲେ। ନବ ଉତ୍କଳର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରେ ସେ ଥିଲେ ଅଗ୍ରଗଣ୍ୟ। ଆଜି ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ଓ ଭୁବନେଶ୍ୱରସ୍ଥ ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଏହାବ୍ୟତୀତ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଥିଲେ ବିଚ୍ଛିନ୍ନ ଓ ବିଖଣ୍ଡିତ ଉତ୍କଳ ଏକତ୍ରୀକରଣର ମହାନ କର୍ଣ୍ଣଧାର। ଜଣେ ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ତଥା ସୁଶାସକ ଭାବେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମ ଚିର ଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ।

Advertisment

କାର୍ଯ୍ୟକ୍ରମରେ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ରହ୍ମପୁର ଭଞ୍ଜବିହାରର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାମଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ, କୃତି ଓ କୀର୍ତ୍ତି ଉପରେ ବକ୍ତବ୍ୟ ରଖିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଦେଇଥିଲେ। ପାରଳା ଗଜପତି ବିକାଶ ମଞ୍ଚର ସଂପାଦକ ରାଜକିଶୋର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ‘ଭକ୍ତି ନୈବେଦ୍ୟ’, ପାରଳାଖେମୁଣ୍ଡି, ଗଜପତି ତରଫରୁ ଗୁରୁ ରଘୁନାଥ ପାତ୍ର ଓ ପ୍ରଭାତ, ଅଦ୍ୟାଶା, ଚନ୍ଦନ, ଶର୍ମିଳା ଓ ଅନ୍ୟ ସାଥୀ ଶିଳ୍ପୀଙ୍କ ଦ୍ୱାରା ଭକ୍ତି ସଂଗୀତ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।