ମଞ୍ଚରେ ପରିବେଷିତ ହେଲା ମାହାରୀ ନୃତ୍ୟ

ଶେଷ ହେଲା ‘ଶ୍ରୀମନ୍ଦିର ମାହାରୀ ପରମ୍ପରା ନୃତ୍ୟୋତ୍ସବ’

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ଦିର ପରିସରରେ ପରିବେଷିତ ହେଉଥିବା ମହାପ୍ରଭୁଙ୍କ ପ୍ରିୟ ମାହାରୀ ନୃତ୍ୟ ଆଜି ପ୍ରଦର୍ଶିତ ହୋଇଥିଲା ମଞ୍ଚ ଉପରେ। ଗୁରୁ ରୂପଶ୍ରୀ ମହାପାତ୍ର ସାଥୀମାନଙ୍କ ସହ ପ୍ରଥମେ ପରିବେଷଣ କରିଥିଲେ ମଙ୍ଗଳାଚରଣ। ଏହାପରେ ପରେ ଅଭିନୟରେ ବଂଶୀ ତେଜି ହେ ଲୋ…, ଚନ୍ଦନଯାତ୍ରା ଓ ଗୀତଗୋବିନ୍ଦର କୁରୁ ଯଦୁ ନନ୍ଦନ… ଆଦି ପରଶି ଦେଇଥିଲେ। ରବୀନ୍ଦ୍ର ମଣ୍ଡପରେ ‘ରୂପଶ୍ରୀ କଳାମନ୍ଦିର’ ପକ୍ଷରୁ ଅନୁଷ୍ଠିତ ‘ଦଶମ ଶ୍ରୀମନ୍ଦିର ମାହାରୀ ପରମ୍ପରା ନୃତ୍ୟୋତ୍ସବ’ରେ ପରିବେଷିତ ଏହି ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଶେଷରେ ତାରିକ୍‌ ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ଶିବବନ୍ଦନା ଅଙ୍ଗକାର ଶୁଦ୍ଧ କଥକ ନୃତ୍ୟ ଓ ଭଜନରେ ଉତ୍ସବର ପରଦା ନଇଁଥିଲା।

ଏ ଅବସରରେ ଗଙ୍ଗୋତ୍ରୀ ଦେବୀ, ପୂଣ୍ୟଶ୍ରୀ ରାଉତ, ମଧୁସ୍ମିତା ମହାନ୍ତି, ରମେଶ ଚନ୍ଦ୍ର ଜେନା, ରାହୁଲ ଆଚାର୍ଯ୍ୟ, ଶ୍ରୀନିବାସ ଘଟୁଆରୀ ଓ ତାରିତ୍‌ ସରକାର୍‌ଙ୍କୁ ‘ଶଶିମଣି ମାହାରୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଆଜିର କାର୍ଯ୍ୟକ୍ରମକୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୁରୁ ଶଙ୍କରାନନ୍ଦ ଗିରି, ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି, ସୁବାସ ପାଣି ଓ ସୂର୍ଯ୍ୟ ରଥ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଦେବାଶିଷ ଦାସଗୁପ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର