କରୋନା କଟକଣାରେ ସରିଲା ‘ମହାଶିବରାତ୍ରି’, ସବୁଠି ହର ହର ମହାଦେବ

ହର ହର ମହାଦେବ… ଓ ଓମ୍‌ ନମଃ ଶିବାୟ…ର ପବିତ୍ର ଧ୍ବନିରେ ଗୁଞ୍ଜରିତ ହେଉଥିଲା ମନ୍ଦିରମାଳିନୀ ଭୁବନେଶ୍ବର। ସକାଳୁ ସକାଳୁ ଧୂପ, ଦୀପ, ଅଗରୁ ଚନ୍ଦନ ସହ ଶିବଙ୍କ ପ୍ରିୟ ବେଲପତ୍ର, କିଆ, କେତକୀ, ଗଇସ, ଦୁଦୁରା ଓ ଅରଖ ଫୁଲରେ ସୁସଜ୍ଜିତ ଭୋଗ ଥାଳି ଧରି ଭକ୍ତ ହୋଇଥିଲେ ମନ୍ଦିରମୁହାଁ। ଭୋରୁ ରାଜଧାନୀର ପ୍ରତିଟି ମନ୍ଦିର ସମ୍ମୁଖରେ ଲାଗିଥିଲା ଲମ୍ବା ଧାଡ଼ି। କରୋନା କଟକଣା ଟିକେ କୋହଳ କରାଯାଇଥିବ‌ାରୁ ଭକ୍ତଙ୍କଠାରୁ ପୂଜକଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ ଥିଲେ। ପୁରୁଷ-ମହିଳା ନିର୍ବିଶେଷରେ ମନ୍ଦିର ସାମ୍ନାରେ ଜମିଥିଲା ଶହଶହ ଭକ୍ତଙ୍କ ଭିଡ଼। ତେବେ କିଛି ମନ୍ଦିର ପରିସରରେ ଦୀପ ଜାଳିବା ଏବଂ ସଂଧ୍ୟା ପରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହେବା କାରଣରୁ ବହୁ ଭକ୍ତ ନିରାଶ ହୋଇଥିଲେ। କିନ୍ତୁ କରୋନା କଟକଣାକୁ ମାନି ଶୃଙ୍ଖଳିତ ଢଙ୍ଗରେ ଜାଗର ପାଳିଥିଲେ।

କଟକଣା ଭିତରେ ଦୀପ ଜାଳିଲେ

ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଥିଲା ୟୁନିଟ୍‌-୯ସ୍ଥିତ ସୁଧାନିଧିଶ୍ବର ଶୈବପୀଠ। କୋଭିଡ୍‌ କଟକଣା ମାନି ଭକ୍ତମଣ ମନ୍ଦିର ଭିତରକୁ ଯାଇ ମହାଦେବଙ୍କ ଦର୍ଶନ କରିଥିଲେ। ସକାଳୁ ଭକ୍ତମାନେ ହାତରେ ଫୁଲ ଓ ଭୋଗଥାଳି ଧରି ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ କରୋନା କଟକଣା ପାଳନ ନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ମହାଦେବଙ୍କ ପାଖରେ ହୋମ ଓ ସଂକୀର୍ତ୍ତନ କରାଯାଇଥିଲା। ସେହିପରି ସଂଧ୍ୟାରେ ଭକ୍ତମାନେ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ମହାଦେବଙ୍କ ଆରାଧନା କରିଥିଲେ। ମନ୍ଦିରରେ ଭୋର୍‌ ୪ଟାରେ ଦ୍ବାରଖୋଲା ନୀତି ସମ୍ପନ୍ନ ହେବା ପରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ପରେ ସିଙ୍ଗାର ଆଳତି, ମଧ୍ୟାହ୍ନ ଆଳତି ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପରେ ଖେଚୁଡ଼ି, ଡାଲମା ଭୋଗ ଲାଗି ହୋଇଥିଲା ଓ ରାତିରେ ଚୂଡ଼ାଘଷା ଭୋଗ ହୋଇଥିଲା। ରାତି ୧୦ଟା ସମୟରେ ମହାଦୀପ ଉଠିଥିଲା ବୋଲି କହିଛନ୍ତି ମନ୍ଦିର ପୂଜାରୀ ହେମନ୍ତ କୁମାର ଦୀକ୍ଷିତ୍।

ସେହିପରି ୟୁନିଟ୍‌-୩ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ କରୋନା କଟକଣା ମଧ୍ୟରେ ଭକ୍ତମାନଙ୍କ ପାଇଁ ପୃଥକ୍‌ ପୃଥକ୍‌ ପ୍ରବେଶ ଓ ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯାଇଥିଲା। ସକାଳ ସମୟରେ ଭକ୍ତମାନେ ଶିବଙ୍କୁ ଜଳ ଲାଗି କରିଥିଲେ। ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ଭୋଗ ଓ ପଣା ବଣ୍ଟନ କରାଯାଉଥିଲା। ସଂଧ୍ୟାରେ ଭକ୍ତମାନେ ଦୀପ ଜାଳି ଘରକୁ ଫେରିଥିଲେ। ତେବେ କୋଭିଡ୍‌ କଟକଣା ପାଇଁ ମନ୍ଦିର ପରିସରରେ ଦୀପ ଜାଳି ପାରି ନଥିବାରୁ ନିରାଶ ହୋଇଥିଲେ। ଏହାକୁ ନେଇ କିଛି ଭକ୍ତ ଅସନ୍ତୁଷ୍ଟ ହୋଇଥିବା ବେଳେ ଆଉ କିଛି ଭକ୍ତ ଘରେ ଦୀପ ଜାଳିବେ ବୋଲି କହିଥିଲେ। ରାତି ୧୦ଟା ୩୦ରେ ମହାଦୀପ ଉଠିଥିଲା।

ସମ୍ବନ୍ଧିତ ଖବର