ସମସ୍ତେ ଉଜାଗର, ଚନ୍ଦ୍ରଶେଖରପୁରରେ ଶୈବପୀଠ ଚଳଚଞ୍ଚଳ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବ୍ୟତୀତ ଏକାମ୍ର କ୍ଷେତ୍ରରେ ନାଗେଶ୍ୱର, ଯମେଶ୍ୱର, କୁକଟେଶ୍ୱର, ଖରାଖିଆ ବୈଦନାଥ, ଡାକରା ବିଭୀଷଣେଶ୍ୱର, ତାଳେଶ୍ୱର, ମୈତ୍ରେଶ୍ୱର, ସିଦ୍ଧେଶ୍ୱର, ତୀର୍ଥେଶ୍ୱର, ଭାସ୍କରେଶ୍ୱର, ଚିନ୍ତାକଣିଶ୍ୱର, କେଦାରେଶ୍ୱର, ଉତ୍ତରେଶ୍ୱର ବେଲେଶ୍ୱର ଆଦି ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚନା କରିଥିଲେ।

ବ୍ରହ୍ମେଶ୍ୱରପାଟଣାସ୍ଥିତ ମହାପ୍ରଭୁ ଶ୍ରୀବ୍ରହ୍ମେଶ୍ୱର ଦେବଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିଥିଲା। ଲର୍ଡ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ଭଜନ ସମାରୋହରେ କଣ୍ଠଶିଳ୍ପୀ ପାମେଲା ଜୈନ, ସୌରିନ ଭଟ୍ଟ, ଅନିଲ ବାୱରା, ଇରା ମହାନ୍ତି, କୁମାର ବାପି, ଶୈଳଭାମାଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିଥିଲେ। ମନ୍ଦିରରେ ଭୋର୍‌ ସାଢ଼େ ୪ଟାରେ ଓ ସନ୍ଧ୍ୟା ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ହୋଇଥିଲା। ପୂର୍ବତନ କର୍ପୋରେଟର୍‌ ତଥା ମ୍ୟାନେଜିଂ ଟ୍ରଷ୍ଟି ସଭ୍ୟ ମଳୟ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଓ ବହୁ ମୁରବୀ ସାମିଲ ହୋଇଥିଲେ। ମନ୍ଦିରରେ ପ୍ରାୟ ବର୍ଷ ୧୦ ହଜାର ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଟଙ୍କପାଣି ରୋଡ଼୍ ନିକଟ ମହାପ୍ରଭୁ ଶ୍ରୀମେଘେଶ୍ୱର ମନ୍ଦିର ପରିସରରେ ରାତି ୧୦ଟାରେ ମହାଦୀପ ଉଠଥିଲା। ମେଘେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୂଜକ ଗଙ୍ଗାଧର ରଥଙ୍କ ସୂଚନା ଅନୁଯାୟୀ, ଭୋର୍‌ ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ସାହାଣମେଳା ଦର୍ଶନ ଆରମ୍ଭ ହୋଇଥିଲା। ଭୀମଟାଙ୍ଗୀସ୍ଥିତ ମହାପ୍ରଭୁ ଶ୍ରୀଭୀମେଶ୍ୱ୍ୱର ମନ୍ଦିର ପରିସରରେ ଜାଗର ଦୀପ ଜାଳିବା ସହ ମହାଦୀପ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ରାତି ସାଢ଼େ ୧୦ଟାରେ ମହାଦୀପ ଉଠିଥିଲା। ମନ୍ଦିର ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ଲୋକନାଥ ମହାପାତ୍ର, ଶିବନାରାୟଣ ରାୟ ଓ ଅନ୍ୟ ସଭ୍ୟମାନଙ୍କ ଉପସ୍ଥିତିରେ ୫ ହଜାର ଭକ୍ତଙ୍କୁ ଭୋଗ ପ୍ରଦାନ କରାଯାଇଥିଲା। କପିଳେଶ୍ବର ମନ୍ଦିରରେ ମଣିକର୍ଣ୍ଣିକା ପୁଷ୍କରିଣୀରୁ ୧୦୮କଳସ ପାଣି ଲାଗି ପରେ ଉଠିଥିଲା ମହାଦୀପ। କପିଳନାଥ ଦେବଙ୍କ ଦର୍ଶନ ପାଇଁ ଭକ୍ତମାନେ ଭୋରୁ ଧାଡ଼ି ବାନ୍ଧି ଦର୍ଶନ କରିଥିଲେ। ରାତି ସାଢ଼େ ୯ଟା ପୂର୍ବରୁ କପିଳେଶ୍ୱର ମନ୍ଦିର ନିକଟ ମଣିକର୍ଣ୍ଣିକା ପୁଷ୍କରିଣୀରୁ ସେବାୟତମାନେ ୧୦୮ କଳସ ପାଣି ଲାଗି କରିଥିଲେ। ଏହା ପରେ କପିଳନାଥଙ୍କ ମନ୍ଦିରରେ ମହାଦୀପ ଉଠିଥିଲା। ଭକ୍ତମାନଙ୍କ ପାଇଁ ଅବଢ଼ା ବ୍ୟବସ୍ଥା ହେବା ସହ ଭଜନ ପରିବେଷଣ କରାଯାଇଥିଲା। ଯମେଶ୍ବର ପାଟଣା ସାହିଠାରେ ପୂଜା କମିଟି ପକ୍ଷରୁ ପଣ୍ଡିତ ରଘୁନାଥ ସ୍କୁଲ ନିକଟରେ ପଣା ବଣ୍ଟନ କରାଯାଇଥିଲା। ଫଳ, କ୍ଷୀର ଓ ଛେନା ମିଶ୍ରିତ ପଣାକୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କୁ ବଣ୍ଟା ଯାଇଥିଲା। ସେହିପରି ବଡ଼ଦାଣ୍ଡ ସାହିଠାରେ ପଣା ବଣ୍ଟନ କରାଯାଇଥିଲା।

ଚନ୍ଦ୍ରଶେଖରପୁରରେ ଶୈବପୀଠ ଚଳଚଞ୍ଚଳ
ଚନ୍ଦ୍ରଶେଖରପୁର: ମହାଶିବରାତ୍ରି ଉପଲକ୍ଷେ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳ‌ରେ ଥିବା ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିଲା। ସକାଳୁ ଅଙ୍କୁରାରୋପଣ, ଅଧିବାସ, ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ମହାଦେବଙ୍କ ମଇଲମ କରାଯାଇଥିଲା। ଏହି ଅଞ୍ଚଳରେ ଥିବା ୪ଟି ପାତାଳଫୁଟି ଶୈବପୀଠ ଯଥା କଳାରାହାଙ୍ଗ ଗ୍ରାମର ଜଳେଶ୍ବର, ମଞ୍ଚେନାଥ ‌ଗ୍ରାମର ମଞ୍ଚେଶ୍ବର, ବରିମୁଣ୍ଡ ଗ୍ରାମର ବିଲକ୍ଷେଶ୍ବର ଓ ଢ଼ାଉଆ ଗ୍ରାମର ସୋମନାଥ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ‌ର ପ୍ରବଳ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା। ସଂଧ୍ୟାରେ ପଞ୍ଚାମୃତ ସ୍ନାନ ଓ ହୋମ କାର୍ଯ୍ୟ କରାଯାଇଥିଲା। ପୂର୍ବ ନିର୍ଧାରିତ ସମୟ ଅନୁଯାୟୀ, ମନ୍ଦିରଗୁଡ଼ିକରେ ମହାଦୀପ ଉଠିଥିଲା। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଞ୍ଚଳର ବାବା ଚନ୍ଦ୍ରଶେଖର, ନୀଳକଣ୍ଠେଶ୍ବର, ଈଶାନେଶ୍ବର, କପିଳେଶ୍ବର, ଡମଣା ଛକର ଆଖଣ୍ଡଳମଣି, ରଙ୍ଗେଶ୍ବର, ପଟିଆ ଶିବ ମନ୍ଦିର, ପଥରଗାଡ଼ିଆ ମହାଦେବ ପୀଠ, ଦାରୁଠେଙ୍ଗ ଶିବ ମନ୍ଦିର, ରଙ୍ଗମାଟିଆ ରଙ୍ଗେଶ୍ବର ମହାଦେବ, ଭିଏସ୍ଏସ୍ ନଗର ଶିବ ମନ୍ଦିର ଓ କିସ୍ ଶ୍ରୀବାଣୀ ‌‌‌କ୍ଷେତ୍ରରେ ଥିବା ମହାଦେବ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

‘ମହାଶିବରାତ୍ରିର ମହାନ ତତ୍ତ୍ବ’
ଭୀମଟାଙ୍ଗି ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀଙ୍କ ଦ୍ୱାରା ସୁନ୍ଦରପଦା ପାଲା ମଣ୍ଡପ ନିକଟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନାଚକ୍ର କରାଯାଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସବ୍‌-ଜୋନ୍‌ର ମୁଖ୍ୟ ସଂଚାଳିକା ବିକେ ଲିନା, ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର୍‌ ଦେବୀପ୍ରସାଦ ନନ୍ଦ, ସେକ୍ ତାହାର, ଲୟର୍ସ ଗ୍ରୁପ୍‌ ଆବାହକ ଲିଙ୍ଗରାଜ ସାହୁ, ସମାଜସେବୀ ନୀଳମଣି ମିଶ୍ର, ଅଶୋକ କୁମାର ମହାରଣା, ବ୍ରହ୍ମ କୁମାର ସୁଧାକର ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମକୁମାରୀ ଲିନା ପ୍ରବଚନ ଦେଇଥିଲେ।

ଲକ୍ଷେଶ୍ବର ମନ୍ଦିରରେ ରାତି ୧୧ଟାରେ ଉଠିଲା ମହାଦୀପ
ବାଲିଅନ୍ତା ଅଧୀନ ଲକ୍ଷେଶ୍ବର ମହାଦେବଙ୍କ ପୀଠରେ ରାତି ୧୧ଟାରେ ମହାଦୀପ ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ମନ୍ଦିର ପ୍ରକମ୍ପିତ ହୋଇଉଠିଥିଲା। ଏନେଇ ପୂର୍ବାହ୍ନରେ ଲକ୍ଷେଶ୍ବର ବଡ଼ସିହାଂର ବେଶ ସେବା ସମିତି ପକ୍ଷରୁ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ପୁରୀ ଜଗନ୍ନାଥ ମନ୍ଦିର ଛତିଶାନିଯୋଗର ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ପଦ୍ମଶ୍ରୀ ଡି ପ୍ରକାଶ ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସଭାକୁ ଉଦଘାଟନ କରିଥିଲେ। ଶେଷରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଲ‌କ୍ଷେଶ୍ବର ଟ୍ରଷ୍ଟ ପକ୍ଷରୁ ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯାଇଥିଲା। ସେହିପରି ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ି ପାଞ୍ଚଣର ବୁଦ୍ଧାନାଥ ମନ୍ଦିର, ସରାଟର ନୀଳକଣ୍ଠେଶ୍ବର ମନ୍ଦିର, ପମ୍ପାଲୋର ବାଲୁଙ୍କେଶ୍ବର, ସୁମୁଦିର ବେଲେଶ୍ବର ମନ୍ଦିର, ତରାବୋଇର ସିଦ୍ଧେଶ୍ବର ମନ୍ଦିର, ଅଠାନ୍ତରର କପିଳନାଥ ଓ ବେଲେଶ୍ବର ମନ୍ଦିରରେ ଜାଗର ଉପଲକ୍ଷେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ଖଣ୍ଡଗିରି ଅଞ୍ଚଳ ଶୈବପୀଠ
ଗଣ୍ଡମୁଣ୍ଡା, ପଞ୍ଚସଖାନଗର ବେଲେଶ୍ବର, ଜାଗମରା, ଡୁମୁଡୁମା, ବରମୁଣ୍ଡା, ଘାଟିକିଆ, ଆଇଗିଣିଆ, ସରକନ୍ତରା, ପାତ୍ରପଡ଼ା, ତମାଣ୍ଡୋ ବାଲୁଙ୍କେଶ୍ବର, ବଡ଼ ରଘୁନାଥପୁର, ଯାଁଳା ବାଲୁଙ୍କେଶ୍ବର, ଗଙ୍ଗପଡ଼ା, ଅରିଶଲ, ଓଗାଳପଡ଼ା ମୃଗେଶ୍ବର, ମୁଣ୍ଡମୁହାଁଣ ଗ୍ରାମେଶ୍ବର, ନଁପୁଟ ନୀଳକଣ୍ଠେଶ୍ବର-ସୋମନାଥ ମହାଦେବ, ରେତଙ୍ଗ, ପଞ୍ଚୁପଲ୍ଲୀ ନୀଳକଣ୍ଠେଶ୍ବର ଆଦି ମନ୍ଦିରରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନଁପୁଟରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ, ମୁଣ୍ତମୁହାଁଣରେ ଭଜନ ସମାରୋହ, ଯାଁଳାରେ ବିଶ୍ବଶାନ୍ତି ମହାଯଜ୍ଞ ଭଳି କାର୍ଯ୍ୟକ୍ରମ ଆୟୋଜନ ସହ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ନିଶୁଳ୍କ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର