ପୁରୁଣା ଭୁବନେଶ୍ୱର : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର କୌଣସି କେଁ ଦେଖିବାକୁ ମିଳି ନଥିଲା। ଉପଯୁକ୍ତ ସମନ୍ବୟ ଯୋଗୁଁ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଆଶା କରାଯାଉଥିଲା। ତେବେ ୩୭ ମିନିଟ୍ ପୂର୍ବରୁ ମହାଦୀପ ଉଠିଲା। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ଏଭଳି ଏକ ପଦକ୍ଷେପକୁ ଅନେକ ଐତିହାସିକ ବୋଲି କହିଛନ୍ତି। ଜଣେ ନେତା ସେବାୟତଙ୍କୁ ସନ୍ତୁଷ୍ଟ କରି ଶୀଘ୍ର ମହାଦୀପ ଉଠାଇବା ପାଇଁ କିଛି ଅର୍ଥ ଦକ୍ଷିଣା ସ୍ବରୂପ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଅନେକ ଜିଲ୍ଲାପାଳଙ୍କ ହସ୍ତକ୍ଷେପକୁ ମଧ୍ୟ ପ୍ରଶଂସା କରୁଥିବା ଶୁଣିବାକୁ ମିଳିଛି। ତେବେ ପ୍ରତିବର୍ଷ ମହାଦୀପ ଉଠିବାରେ ବିଳମ୍ବ ହେଉଥିବାରୁ କିଛି ଶ୍ରଦ୍ଧାଳୁ ଡେରିରେ ପହଞ୍ଚିଥିଲେ। ଫଳରେ ସେମାନେ ମହାଦୀପ ଦର୍ଶନରୁ ବଞ୍ଚିତ ହୋଇଥିଲେ।
ସମଗ୍ର ଏକାମ୍ର କ୍ଷେତ୍ର ଆଜି ଲୋକାରଣ୍ୟ ହୋଇଥିଲା। ଗଗନ ପବନରେ ସଞ୍ଚରି ଯାଉଥିଲା ଶିବ ପଞ୍ଚାକ୍ଷରୀ। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଲମ୍ବିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି। ରାତି ୩ଟାରୁ ବିଳମ୍ବିତ ରାତି ଯାଏଁ ଲୋକାରଣ୍ୟ ପାଲଟିଥିଲା ଏକାମ୍ର କ୍ଷେତ୍ର। ପ୍ରଖର ତାତିରେ ପ୍ରଭୁଙ୍କ ଦର୍ଶନ ପାଇଁ ଖାଲି ପାଦରେ ଧାଡ଼ିବାନ୍ଧି ଘଣ୍ଟାଘଣ୍ଟା ଛିଡ଼ା ହୋଇ ଭକ୍ତିର ପରୀକ୍ଷା ଦେଉଥିଲେ ଶ୍ରଦ୍ଧାଳୁ। ପ୍ରଭୁଙ୍କୁ ଦର୍ଶନ ପରେ ଦୀପଜାଳି ମନର କଥାକୁ ବଖାଣୁଥିଲେ ଭକ୍ତବୃନ୍ଦ। ମହାଦୀପକୁ ପ୍ରତ୍ୟକ୍ଷ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ଅଟକିଯାଇଥିଲା ଲକ୍ଷଲକ୍ଷ ଆଖି। ଶେଷରେ ସେଇ ବହୁ ପ୍ରତୀକ୍ଷିତ ସମୟ ଉପନୀତ ହୋଇଥିଲା। ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲେ ହେଁ ଡେରି ହେବ ବୋଲି ଭକ୍ତମାନେ ଏକରକମ ଧରି ନେଇଥିଲେ। ମାତ୍ର ରାତି ୯ଟା ୨୩ ମିନିଟ୍ରେ ମହାଦୀପ ଉଠିଥିଲା। ମହାଦୀପ ଦର୍ଶନ ମାତ୍ରେ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସମଗ୍ର ପରିବେଶ।
ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର୍ ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ପ୍ରଭୁଙ୍କୁ ଗମ୍ଭୀରାରେ ଦର୍ଶନ କରିଥିଲେ। ସକାଳ ୭ଟା ବେଳୁ ମନ୍ଦିରର ସିହଂଦ୍ୱାର ଠାରୁ ଉତ୍ତର ଦ୍ୱାର ମଧ୍ୟ ଦେଇ ଏବଂ ହାଟ ମଧ୍ୟ ଦେଇ ପ୍ରାୟ ଗୋଟେ କିଲୋମିଟର ପଯ୍ୟର୍ନ୍ତ ଧାଡ଼ି ଲମ୍ୱିଯାଇଥିଲା। ବଢ଼େଇବାଙ୍କ ଛକ ନିକଟ ପର୍ଯ୍ୟନ୍ତ ଧାଡ଼ି ଲମ୍ବିଥିବାରୁ ଧାଡ଼ି ପୁଣି ମନ୍ଦିର ଆଡ଼କୁ ଲମ୍ବିଥିଲା। ପୂର୍ବାହ୍ନ ୧୧ଟାରେ ସାହାଣମେଲା ଦର୍ଶନ ବନ୍ଦ ହୋଇ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନୀତି ପୂଜା କରାଯାଇଥିଲା। ତେବେ ଭିଡ଼ କମି ନଥିଲା। ପହୁଡ଼ ନୀତି ପାଇଁ ମଧ୍ୟାହ୍ନରେ ଟିକେ ଗହଳି କମିଥିଲା। ପୁଣି ଅପରାହ୍ଣରେ ସାହାଣମେଲା ଦର୍ଶନ ଆରମ୍ଭ ହେବାରୁ ଧାଡ଼ି ପୁଣି ଲମ୍ବିଥିଲା। ମନ୍ଦିରରେ ଦୀପଦାନ ଉଦ୍ଦେଶ୍ୟରେ ଅନେକ ବେଢ଼ା ମଧ୍ୟରେ ପ୍ରବେଶ କରିଥିଲେ। ଶେଷରେ ସମର୍ଥା ସେବାୟତ ମନ୍ଦିର ଉପରକୁ ମହାଦୀପ ଉଠାଇଥିଲେ। ନୀତି ସମ୍ପନ୍ନ ପରେ ଭକ୍ତମାନେ ପଣା ଓ ପ୍ରସାଦ ସେବନ କରି ବ୍ରତ ସମାପନ କରିଥିଲେ।
ମାଳମାଳ ପାସ୍
ମହାଶିବରାତ୍ରିରେ ଲକ୍ଷଲକ୍ଷ ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଧାଡ଼ି ବାନ୍ଧିଥିବା ବେଳେ ପାସ୍ ଯୋଗେ ଅନେକ ଉତ୍ତର ଦ୍ବାର ଓ ଦକ୍ଷିଣ ଦ୍ବାର ବାଟ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ବହୁ ମହିଳା ଏହି ପାସ୍ ଦେଖାଇ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି କିଛି ନେତାଙ୍କୁ ଏହି ପାସ୍ ବଣ୍ଟନ କରାଯିବା ସହ ବିଭିନ୍ନ ନିଯୋଗକୁ ମଧ୍ୟ ପାସ୍ ବଣ୍ଟା ଯାଇଥିଲା। ଦୀର୍ଘ ସମୟ ଧରି ଖରାରେ ଠିଆ ହୋଇଥିବା ଶ୍ରଦ୍ଧାଳୁ ପାସ୍ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ
ପୁରୁଣା ଭୁବନେଶ୍ୱର : କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା ଆଜି ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏଥିପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ମନ୍ଦିରକୁ ନେଇ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ସିଂହଦ୍ବାରଠାରେ ବିଜେପି ନେତା ଅମିୟ ଦାଶ, ସମୀର ମହାନ୍ତି, ମଦନମୋହନ ପ୍ରଧାନ, ଶିବ ପ୍ରସାଦ ବେହେରା, ତୃପ୍ତିମୟୀ ମକଦ୍ଦମ ଶ୍ରୀ ସିହ୍ନାଙ୍କୁ ସ୍ବାଗତ କରିବା ସହ ସମ୍ବର୍ଧିତ କରିଥିଲେ।