ଆସୁଛି ମହାଶିବରାତ୍ରି : ମନ୍ଦିର ସମ୍ମୁଖରୁ ହଟାଗଲା ଉଠା ଦୋକାନ

ପୁରୁଣା ଭୁବନେଶ୍ୱର : ମନ୍ଦିର ସମ୍ମୁଖରେ ରହିବନି ଉଠାଦୋକନ। ଆଗକୁ ମହାଶିବରାତ୍ରି ଆସୁଥିବାରୁ ବିଏମ୍‌ସି ପକ୍ଷରୁ ଏହାକୁ ହଟାଇ ଦିଆଯାଇଛି। ମନ୍ଦିର ଚାରିପଟେ ନୋ ଭେଣ୍ଡିଂ ଜୋନ୍‌ ନିୟମ ଲାଗୁ ହୋଇଥିବାରୁ ଏହାକୁ ଉଠାଇ ଦିଆଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେଠାରେ ଥିବା ୮ଟି ଫୁଲ ଓ ଭୋଗ ଦୋକାନକୁ ରାସ୍ତାକୁ ଉଠାଇ ଦିଆଯାଇଛି। ପ୍ରକାଶ ଥାଉକି, ଏକାମ୍ର ବିକାଶ ଯୋଜନା ଘୋଷଣା ପରେ ମନ୍ଦିର ଚାରିପଟୁ ଉଠା ଦୋକାନଗୁଡ଼ିକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା। ତେବେ କରୋନା ପରେ ପର୍ଯ୍ୟଟକ ଆସିବାରୁ ମନ୍ଦିର ସମ୍ମୁଖରେ କିଛି ବ୍ୟବସାୟୀ ଫୁଲ ଓ ଭୋଗ ଦୋକାନ କରିଥିଲେ। ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ବ୍ୟାରିକେଡ୍‌ ମଧ୍ୟରେ କୌଣସି ଉଠାଦୋକାନ ବସିଲେ ଜରିମାନା ଆଦାୟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ଡେପୁଟି କମିସନର କମଲଜିତ ଦାସ କୁହନ୍ତି, ମନ୍ଦିର ଚାରିପଟେ ନୋ ଭେଣ୍ଡିଂ ଜେନା ଘୋଷଣା କରାଯାଇଛି। କିଛି ଲୋକଙ୍କୁ ମନା କରିବା ପରେ ବି ମନ୍ଦିର ନିକଟରେ ଓ ରାସ୍ତାକୁ ମାଡ଼ି ବସୁଛନ୍ତି। ଜାଗା ଖାଲି କରିବାକୁ ମାଇକ୍‌ ଯୋଗେ ତାଙ୍କୁ କୁହାଯାଉଛି।

ରାତି ୧୦ଟା ୧୦ରେ ଉଠିବ ମହାଦୀପ, ମେଘେଶ୍ବର ମନ୍ଦିରରେ ପ୍ରସ୍ତୁତି ବୈଠକ
ଭୁବନେଶ୍ବର : ମେଘେଶ୍ବର ମନ୍ଦିରରେ ଆସନ୍ତା ମାର୍ଚ୍ଚ ୧୧ରେ ଜାଗର ଯାତ୍ରା ଅନୁଷ୍ଠିତ ହେବ। ସେହିଦିନ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା ସହ ଅଭିଷେକ ଓ ମହାଦୀପ ଉଠିବ। ରାତି ୧୦ଟା ୧୦ରେ ମହାଦୀପ ଉଠିବ ବୋଲି ମନ୍ଦିର ପରିସରରେ ଆୟୋଜିତ ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଭାପତି ଅଶୋକ ସିଂ ସୂଚନା ଦେଇଛନ୍ତି। ସକାଳ ଧୂପ ସମୟରେ ମନ୍ଦିରରେ ବାନା ବନ୍ଧାଯିବା ସହ ମହାଦୀପ ଉଠିବା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସରକାରଙ୍କ ନିୟମ ଓ ଗାଇଡଲାଇନ୍ ଅନୁସାରେ ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ପ୍ରସ୍ତୁତି ବୈଠକରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର