ଭୁବନେଶ୍ବର: ଠିକ୍‌ ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହେବ। ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ। ଏହି ତିନିଟି ବିଷୟ ଉପରେ ଗୁରୁତ୍ବ ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ। ହେଲେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଯେମିତି ଧୂଆଁ ବାଣ ସଦୃଶ ହୋଇଛି। ମନ୍ତ୍ରୀ ଗୁରୁତ୍ବ ଦେଇଥିବା ଉପରୋକ୍ତ ୩ଟି ବିଷୟରୁ କେଉଁ ଗୋଟିଏ ମଧ୍ୟ ପାଳନ ହୋଇନାହିଁ। ତେବେ ବୈଠକରେ ଉପସ୍ଥିତି ଥିବା ପ୍ରଶାସନିକ ଅଧିକାରୀ, ପୁଲିସ ପ୍ରଶାସନ କିଭଳି ଲିଙ୍ଗରାଜଙ୍କ ଯାଗରଯାତ୍ରା ପରିଚାଳନା କରୁଥିଲା ବୋଲି ଏବେ ଅନେକ ପ୍ରଶ୍ନ ଉଠିଛି।

Advertisment

ମହାଶିବରାତ୍ରି ଦିନ ସକାଳୁ ହିଁ ଲିଙ୍ଗରାଜଙ୍କ ମନ୍ଦିରରେ ଘୋର ଅବ୍ୟବସ୍ଥା ଦେଖା ଦେଇଥିଲା। ପ୍ରଥମତଃ ନୀତି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଚାଲିଥିଲା। ରାତିରୁ ଧାଡ଼ିରେ ରହିଥିବା ଶ୍ରଦ୍ଧାଳୁ ୮ରୁ ୧୦ ଘଣ୍ଟା ଛିଡ଼ା ହୋଇ ବି ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ। ଅନ୍ୟପଟେ ପ୍ରଶାସନ ଭିଆଇପି ପାସ୍‌ ଦେଇ ବିଶୃଙ୍ଖଳାର ମଞ୍ଜି ପୋତିଥିଲା। ବ୍ରତଧାରୀ ଖରାରେ ଅଖିଆ ଅପିଆ ଧାଡ଼ିରେ ଦର୍ଶନ ପାଇଁ ଚାହିଁ ରହିଥିଲେ। ଠିକ୍‌ ଏହି ସମୟରେ ଖୋଦ୍‌ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ, ସିପି ଓ ଡିସିପିଙ୍କ ଉପସ୍ଥିତିରେ ଦକ୍ଷିଣ ଦ୍ବାରା (ପ୍ରସ୍ଥାନ) ପଟରେ ଭିଆଇପି ଜୋର୍‌ ଜବରଦସ୍ତ ପ୍ରବେଶ କରୁଥିଲେ। ପ୍ରସ୍ଥାନ କରୁଥିବା ସାଧାରଣ ଭକ୍ତଙ୍କୁ ପଛକୁ ଠେଲି ଅତ୍ୟନ୍ତ ଅମାନବୀୟ ଭାବେ ଆଗେ ଯାଇ ଭିଆଇପିମାନେ ଦର୍ଶନ କରୁଥିଲେ। କିନ୍ତୁ ସବୁ ଦେଖି ଚୁପ୍‌ ରହିଥିଲେ ଦାୟିତ୍ବରେ ଥିବା ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀଗଣ। ଆଶ୍ଚର୍ଯ୍ୟର କଥା ବିଶୃଙ୍ଖଳିତ ଭିଆଇପିମାନଙ୍କ ଅମାନବୀୟ କାଣ୍ଡରେ ଖୋଦ୍‌ ଜିଲ୍ଲାପାଳ, ସିପି ଓ ଡିସିପି ଅଣନିଶ୍ବାସୀ ହୋଇଥିଲେ ବି ସେମାନଙ୍କୁ ଦାଗିଦ୍‌ କରିବାକୁ ପଛ ଘୁଞ୍ଚା ଦେବା ସାଧାରଣ ଭକ୍ତଙ୍କୁ ଆଘାତ ଦେଇଥିଲା।

ଆଇନ ମନ୍ତ୍ରୀଙ୍କ  ନିର୍ଦ୍ଦେଶ ଧୂଆଁବାଣ
ମନ୍ଦିର କାର୍ଯ୍ୟନିର୍ବାହୀ କରୁଥିଲେ କ’ଣ?
ପ୍ରଶାସନ-ପୁଲିସ ବ୍ୟବସ୍ଥ‌ା ସମ୍ପୂର୍ଣ୍ଣ ଫେଲ୍‌
ଭିଆଇପି ପାସ୍‌ ଦେଇ ବିଶୃଙ୍ଖଳା ମଞ୍ଜି ପୋତିଥିଲା ପ୍ରଶାସନ
ବିଶୃଙ୍ଖଳାକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେବେ ମନ୍ତ୍ରୀ?

ମନ୍ଦିର ଭିତରକୁ ସ୍ବେଚ୍ଛାସେବୀ ନାମରେ କିଛି ନିର୍ଦ୍ଦିଷ୍ଟ ସଙ୍ଗଠନର ଶହ ଶହ ଯୁବକ ପଶିଥିଲେ ହେଁ ବାରଣ କରାଯାଇ ନଥିଲା। ଅନେକ ନେତା ତାଙ୍କ ପରିବାର ସହ ବିନା ପାସ୍‌ରେ ପଶିଲେ। ଅନେକ ପୁଲିସ ଅଧିକାରୀ ମଧ୍ୟ ନିଜ ପରିବାରକୁ ଗଳା ବାଟ ଦେଇ ଭିତରକୁ ଛାଡ଼ିଲେ। ସେବାୟତମାନେ ପରିବାର ନାଁରେ ଖୋଲାଖୋଲି ଭିଆଇପି ପାସ୍‌ ବିକ୍ରି ହେଲା। କିଛି ବ୍ୟକ୍ତି ନକଲି ପାସ୍‌ ବିକ୍ରି କରି ଲୋକଙ୍କୁ ଠକିଲେ। ଆସ୍ଥା ଓ ବିଶ୍ବାସର ମନ୍ଦିରରେ ଦିଅଁଙ୍କୁ ଦର୍ଶନ ପାଇଁ ଟଙ୍କା ଦେବାକୁ ପଡ଼ିଲା। ହେଲେ କାହାର କୌଣସି ପ୍ରତିକ୍ରିୟା ବା କାର୍ଯ୍ୟାନୁଷ୍ଠାନ ‌ଦେଖିବାକୁ ମିଳିଲା ନାହିଁ। ମନ୍ଦିର ପରିଚାଳନା ଦାୟିତ୍ବରେ ପ୍ରାୟ ସବୁ ବର୍ଗର ଦାୟିତ୍ବବାନ ବ୍ୟକ୍ତିମାନେ ବିଶୃଙ୍ଖଳା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେବଳ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ସାଧାରଣ ଭକ୍ତ।

ମହାଦୀପ ଉଠିବା ପୂର୍ବରୁ ଲିଙ୍ଗରାଜଙ୍କ ପାଖରେ ଆଳତୀ ହୋଇଥିଲା। ଏହାପରେ ମନ୍ଦିର ପରିକ୍ରମା କରାଯାଇ ମହାଦୀପ ଉପରକୁ ଉଠାଇଥିଲେ ସମର୍ଥା ସେବାୟତ। ମହାଦୀପ ପରିକ୍ରମା ସମୟରେ ଶହ ଶହ ସେବାୟତ, ସାଧାରଣ ଲୋକ ମହାଦୀପ ନିକଟରେ ବିପଦଜନକ ଭାବେ ପରିକ୍ରମା କରିଥିଲେ। ଏହି ସମୟରେ ଠେଲା‌ପେଲା, ଭିଡ଼ାଭିଡ଼ି ବି ହୋଇଥିଲା। ସୌଭାଗ୍ୟବଶତଃ ଗରମ ଘିଅ କାହା ଉପରେ ପଡ଼ିନଥିଲା। କିନ୍ତୁ ମନ୍ଦିର ଚୂଡ଼ାକୁ ଚଢ଼ିବା ବେଳେ ଖସି ପଡ଼ି ରକ୍ତାକ୍ତ ହୋଇଥିଲେ ସେବାୟତ। ଯୋଗେନ୍ଦ୍ର ସମର୍ଥାଙ୍କ ସହ ମନ୍ଦିର ଚୂଡ଼ାକୁ ୫ ଜଣ ଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ମନ୍ଦିର ଉପରକୁ ପ୍ରାୟ ୧୦ ଜଣ ସେବାୟତ ଯାଇଥିଲେ। ସେବାୟତ ମନ୍ଦିର ଉପରକୁ ଚଢ଼ିବା ପୂର୍ବରୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇ ନଥିଲା। ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇନଥିଲା। ଯାହା ଫଳରେ ଏତେ ବଡ଼ ଅଘଟଣ ଘଟିଲା। ମନ୍ଦିର ପରିଚାଳନାରେ ମୁଖ୍ୟ ଭୂମିକା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ଥାଏ। ମୁଖ୍ୟତଃ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପ‌ାଦନ କରିବାରେ ମୁଖ୍ୟ ସୂତ୍ରଧର ସାଜନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ତେବେ କାହିଁକି ନୀତିକାନ୍ତି ଓ ଅନ୍ୟ ବ୍ୟବସ୍ଥା ଶୃଙ୍ଖଳିତ ହେଲା ନାହିଁ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ମେୟର ସୁଲୋଚନା ଦାସ ପ୍ରଶାସନକୁ ଦାୟୀ କରି ସମର୍ଥା ସେବାୟତ ଚଢ଼ିବା ପୂର୍ବରୁ କାହିଁକି ବାଲି ତଳେ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଜିଲ୍ଲାପାଳ ଚଞ୍ଚଲ ରଣା କହିଛନ୍ତି, ଯାହା ତ୍ରୁଟି ରହିଛି ସେସମ୍ପରେ ଏକ ବୈଠକ କରାଯାଇ ଆଲୋଚନା କରାଯିବ। ପ୍ରକୃତରେ କ’ଣ ଭୁଲ ରହିଲା ତାର ତର୍ଜମା ହେବ। ଏହି ଅବ୍ୟବସ୍ଥା ନେଇ ଆଇନ ମନ୍ତ୍ରୀଙ୍କ ନୀରବତା ବି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଦ୍ ମନ୍ତ୍ରୀ ଦୁଇ ଦୁଇ ଥର ସମୀକ୍ଷା ବୈଠକ କରିଥିଲେ ବି ସେଠାରେ କି ପ୍ରକାର ପ୍ରସ୍ତୁତି ‌ହେଉଥିଲା? ଭିଆଇପି ପାସ୍ ବାଣ୍ଟିବାକୁ ମନ୍ତ୍ରୀ ସମ୍ମତି ଦେଇଥିଲେ ନା ତାଙ୍କ ଅଜାଣତରେ ପ୍ରଶାସନରେ ଏପରି କରିଛି?