ମହତାବଙ୍କ ଅବଦାନ ଅତୁଳନୀୟ

ଡ. ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର,: ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଡ. ମହତାବଙ୍କ ଅବଦାନ ଅତୁଳନୀୟ ଥିଲା। ସେ ଓଡ଼ିଶାର ସାମଗ୍ରିକ ବିକାଶ କରିବା ସହ ଭୁବନେଶ୍ୱରରେ ରାଜଧାନୀ ଗଠନ କରିଥିଲେ। ଆଜି ପିଏମ୍‌ଜି ଛକଠାରେ ଅନୁଷ୍ଠିତ ୧୧୮ତମ ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏଭଳି ମତ ବ୍ୟକ୍ତ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ମହତାବଙ୍କ ଅବଦାନ ଓ ପୂର୍ବ ଗାରିମା ସମ୍ପର୍କରେ କହିଥିଲେ। ଏହି ଅବସରରେ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ସୁଧୀର ପଣ୍ଡା, ବିକାଶ ମିଶ୍ର, ସୁବାଷିଶ ପଟ୍ଟନାୟକ, ସାମ୍ବାଦିକ ଲିଙ୍ଗରାଜ ସାହୁ, ଡ. ରଜନୀରଞ୍ଜନ ଦାସ, ବଟକୃଷ୍ଣ ନନ୍ଦ, ସୁବାସ ଚନ୍ଦ୍ର ଜେନା, ପ୍ରଫୁଲ୍ଲ କୁମାର ପାଇକସର୍ଦାର, ମାନସୀ ଶତପଥୀ, ମନୋଜ କୁମାର ସାହୁ, ଗନ୍ଧର୍ବ ବେହେରା, ରାଣୀ ଶୁକଦେଇ ରେଜିମେଂଟ, ପତଞ୍ଜଳି ଯୋଗ କେନ୍ଦ୍ରକୁ ଡ. ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରିଥିଲେ।

ଉତ୍ସବରେ ୬୦ଟି ପାଇକ ଦଳ ଯୋଗଦେଇ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା ଖେଳ, ବାଡ଼ି ଖେଳ ଆଦି ପ୍ରଦର୍ଶନ କରିବା ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଡ. ମହତାବଙ୍କ ବାସଭବନକୁ ଯାଇଥିଲେ। ଏକାମ୍ର ନିବାସଠାରେ ଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ସନ୍ତୋଷ ମହାନ୍ତି, ସଚି ସୁନ୍ଦରାୟ, ସମ୍ପାଦକ ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଦାଧର ଦାସ, କେଦାରନାଥ ମହାପାତ୍ର, ନୀଳମଣି ମିଶ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, ବିଜେପି ନେତା ଅମିୟ ଦାଶ,ଆଇନଜୀବୀ ଚିନ୍ମୟ ମାହାନ୍ତି,ରଶ୍ମି ମହାପାତ୍ର ଯୋଗଦେଇ ମହତାବଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଭିନ୍ନ ପାଇକଦଳକୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର