ଭୁବନେଶ୍ବର: ଭୁବନେଶ୍ବରର ଅନ୍ୟତମ ବଡ଼ ମାର୍କେଟ୍ ହେଉଛି ୬୭ ନମ୍ବର ୱାର୍ଡ ଅନ୍ତର୍ଗତ କାଳିକାପ୍ରସାଦ ସୁନ୍ଦରପଦାର ମହତାବ ମାର୍କେଟ୍। ଆମିଷଠାରୁ ଆରମ୍ଭ କରି ପନିପରିବା, ସବୁର ଏହା ଏକ ମେଗା ବଜାର। ଭୁବନେଶ୍ବର ସମେତ ଜଟଣୀ, ନୂଆଗାଁ, ବାଲିଅନ୍ତା ଆଦି ଅଞ୍ଚଳର ଲୋକେ ଏଠାକୁ ଆସି କିଣାକିଣି କରିଥାନ୍ତି। କିନ୍ତୁ ବହୁ ପୁରାତନ ଏହି ମାର୍କେଟ୍ ଅବହେଳିତ ଅବସ୍ଥାରେ। ଏହାର ଭିତ୍ତିଭୂମି ଭଗ୍ନ ଅବସ୍ଥାରେ ପଡ଼ିଛି। କେଉଁ ମୁହୂର୍ତ୍ତରେ ବି ଦୋକାନଘର ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ଏହା ଦୋକାନୀଙ୍କ ସହ ଗ୍ରାହକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଭିତ୍ତିଭୂମି ସଜଡ଼ା ଯାଉନଥିବାରୁ ବେପାର ବି ସେଭଳି ହେଉନି। ଦୋକାନୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ତଞ୍ଚକତା ପୂର୍ବକ ନେତାମାନେ ଘର ନେବା ପରେ ଏହାକୁ ଭଡ଼ା ଲଗାଇ ଆଡ଼ ଆଖିରେ ଚାହୁନାହାନ୍ତି। ଯାହାର ଦୁର୍ଦ୍ଦଶା ଦୋକାନୀମାନେ ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ନେତାଙ୍କ ଚଞ୍ଚକତାରୁ ଭୋଗୁଛନ୍ତି ଦୋକାନୀ
ଘଟଣାର ଅନୁସନ୍ଧାନ କରାଯିବ: ବିଡିଏ ଉପାଧ୍ୟକ୍ଷ
ବିଡିଏ ପକ୍ଷରୁ ୧୯୯୬ ମସିହାରେ ପ୍ରାୟ ଦେଢ଼ ଏକର ଜମିରେ ମହତାବ ମାର୍କେଟ୍ର ଭିତ୍ତିପ୍ରସ୍ତର ପଡ଼ିଥିଲା। ନିର୍ମାଣ ଶେଷ ପରେ ୧୯୯୯ ମସିହାରେ ଲଟେରି ଜରିଆରେ ଦୋକାନଘର ଆବଣ୍ଟନ କରାଯାଇଥିଲା। ଏହା ପରିସରରେ ୨୫୦ଟି ପିଣ୍ଡି, ୧୦୦ ଦୋକାନଘର ଥିଲା। ଦୋକାନଘର ସବୁ ବିକ୍ରି ସରିଥିବାବେଳେ ପିଣ୍ଡିରୁ ୧୯୦ଟି ବିକ୍ରି ହୋଇଛି, ବାକି ୬୦ଟି ବିକ୍ରି ହୋଇପାରିନି। ବଡ଼କଥା ହେଉଛି, ବାଦବିବାଦ ଭିତରେ ଆଜି ପର୍ଯ୍ୟନ୍ତ ଏହା ଶୁଭାରମ୍ଭ ହୋଇପାରିନି। ସେପଟେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଦୋକାନଘରର ଛାତ ସବୁ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ଛାତ, କାନ୍ଥ ସବୁ ଫାଟି ଆଁ କଲାଣି। ଛେଲାଛେଲା ସିମେଣ୍ଟ ଖସୁଛି। ଲାଗିଥିବା ସଟର୍ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ଚଟାଣରେ ଗର୍ତ୍ତ ହୋଇଗଲାଣି। ଦୋକାନଘର ସାମ୍ନା ବି ସାମାନ୍ୟ ବର୍ଷାରେ କାଦୁଅ ପଚପଚ ହେଉଛି। ପିଣ୍ଡି ଅବସ୍ଥା ବି ସମାନ। ପିଣ୍ଡିର ଖୋଲା ଛାତ, ପିଲାରରୁ ସିମେଣ୍ଟ ଛେଲା ଖସୁଛି। ପିଲାର ସବୁ ଫାଟି ଆଁ କରିଛି। ପରିମଳ କଥା ନ କହିବା ଭଲ। ଚାରିଆଡ଼ ଆବର୍ଜନାମୟ। ୧୯୯୯ ମସିହାରେ ପିଣ୍ଡି ପାଇଥିବା ସୁରେଶ ଚନ୍ଦ୍ର ଦାସ କହିଛନ୍ତି, ନେତାମାନେ ତଞ୍ଚକତା ପୂର୍ବକ ନିଜେ ଓ ନିଜ ପରିବାର ନାଁରେ ୪/୫ ଦୋକାନଘର, ପିଣ୍ଡି ହାତେଇଲେ। ପ୍ରକୃତ ଦୋକାନୀଙ୍କୁ ଘର କି ପିଣ୍ଡି ମିଳିଲାନି। ବିସ୍ଥାପିତ ୧୫୦ ଦୋକାନୀଙ୍କ ମଧ୍ୟରୁ ଲଟେରିରେ ମାତ୍ର ୧୫ ଜଣଙ୍କୁ ଘର ଓ ପିଣ୍ଡି ମିଳିଲା। ଅନେକ ବେପାର ଛାଡ଼ି ଅନ୍ୟତ୍ର ପଳାଇଲେ। ଅଳ୍ପ କିଛି ଦୋକାନୀ ନେତାଙ୍କୁ ଲାଞ୍ଚ ଦେଇ ଘର ଓ ପିଣ୍ଡି ପାଇଲେ। ବାକି ଘର ପାଇଁ ଦୋକାନୀମାନେ କ୍ରେତାଙ୍କୁ ଭଡ଼ା ଗଣୁଛନ୍ତି। ଦୋକାନଘର ପୁନରୁଦ୍ଧାର କାମ ବିଡିଏ ଅବା ସଂପୃକ୍ତ ଦୋକାନଘର ମାଲିକ କରିବା କଥା। କେହି କିଛି କରୁନାହାନ୍ତି। ଏଭଳି ବାଦବିବାଦ ଭିତରେ ମାର୍କେଟ୍ର ବିକାଶ ଅଟକିଛି ଓ ଏହା ପରିତ୍ୟକ୍ତ ଅବସ୍ଥାକୁ ଚାଲିଗଲାଣି।
ଭୁବନେଶ୍ବର ମହାନଗର ନିଗମ କର୍ପୋରେଟର୍ ମଧୁସ୍ମିତା ପ୍ରଧାନ କହିଛନ୍ତି, ନେତାଙ୍କ ତଞ୍ଚକତା କାରଣରୁ ଆଜି ମହତାବ ମାର୍କେଟ୍ର ଏ ଅବସ୍ଥା। ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ଦୋକାନୀ। ଅନ୍ୟପଟେ ଏହି ମାର୍କେଟ୍ ମୋ ୱାର୍ଡରେ ଥିଲେ ବି ଜାଗା ବିଡିଏର ହୋଇଥିବାରୁ ବିଏମ୍ସି ଦ୍ବାରା ଦୋକାନ ର ଓ ଅନ୍ୟାନ୍ୟ ଉନ୍ନତୀକରଣ ସମ୍ଭବପର ହୋଇପାରୁନି। ତଥାପି ରାସ୍ତାଘାଟ, ଅଳିଆ ସଫା କାମ ଜାରି ରହିଛି। ଏଠାରେ ୬ଜଣ ସଫେଇ କର୍ମଚାରୀ ଓ ଏକ ଅଳିଆଉଠା ଗାଡ଼ି ନିୟୋଜିତ କରାଯାଇଛି। ବିଡିଏ ଉପାଧ୍ୟକ୍ଷ ଡ. ଏନ୍. ତିରୁମାଲା ନାଏକ କହିଛନ୍ତି, ବିଡିଏର ଏହି ଜମି ହୋଇଥିଲେ ବି ଦୋକାନଘର ସବୁ ବିକ୍ରି କରାଯାଇଛି। ନିୟମ କହୁଛି, ବିକ୍ରି ଘରର ଉନ୍ନତୀକରଣ କାମ ସଂପୃକ୍ତ ଦୋକାନୀ କରିବେ। ତଥାପି କେଉଁଥିପାଇଁ ଦୋକାନଘର ମରାମତି ହେଉନି, ଦୋକାନକୁ ନେଇ କ’ଣ ସର୍ତ୍ତାବଳୀ ରହିଥିଲା, ତାହାର ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡ. ନାଏକ କହିଛନ୍ତି।