ଭୁବନେଶ୍ୱର: ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ କେତେ ଥର ଓଡ଼ିଶା ଆସିଥିଲେ? କେଉଁଠିକୁ ଆସିଥିଲେ? କେଉଁ ଜନ ସମାଗମରେ ଯୋଗଦେଇ କ’ଣ ଆହ୍ବାନ ଦେଇଥିଲେ? ଓଡ଼ିଶା ସହ ଗାନ୍ଧୀଜୀଙ୍କର ଏହି ନିବିଡ଼ ସମ୍ପର୍କକୁ ଉଦ୍‌ଜୀବୀତ କରିଛି ରାଜ୍ୟ ସଂଗ୍ରହାଳୟ। ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଉନ୍ମୋଚିତ ହୋଇଥିବା ‘ମହାତ୍ମା ଗାନ୍ଧୀ ଗ୍ୟାଲେରି’ରେ ଗାନ୍ଧିଜୀଙ୍କ ୮ ଥର ଓଡ଼ିଶା ଗସ୍ତର ଟିକିନିକି ତଥ୍ୟ ସହ ଫଟୋକୁ ସ୍ଥାନିତ କରାଯାଇଛି। ଗାନ୍ଧୀଜୀ ୮ ଥରରେ ୬୯ଦିନ ଓଡ଼ିଶାରେ ରହି ସ୍ୱାଧୀନତା ସଂଗ୍ରାମ ଓ ସାମାଜିକ ସଂସ୍କାରରେ ଓଡ଼ିଶାବାସୀଙ୍କ ଯୋଗଦାନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଏହି ଗ୍ୟାଲେରିରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ୮ ସ୍ବତନ୍ତ୍ର ଛବି ରହିଛି। ଗ୍ୟାଲେରିର ମୁଖ୍ୟ ଦ୍ୱାରରେ ସାବରମତୀ ଆଶ୍ରମ ଏବଂ ଅରଟ ରଖାଯାଇଛି। କାଦୁଆ ଆଶ୍ରମର ଅବିକଳ ନକଲ କରାଯାଇ ଅରଟ ଓ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତି ରଖାଯାଇଛି। ତୈଳଚିତ୍ର ସହ ଗାନ୍ଧୀଜୀଙ୍କର ବିଭିନ୍ନ ହିତବାଣୀ, ବିଭିନ୍ନ ସ୍ଥାନରେ ସେ ଦେଇଥିବା ଅଭିଭାଷଣ ଓ ଜନତାଙ୍କ ସହ ବାର୍ତ୍ତାଳାପ ସଂପର୍କିତ ପେପର କଟିଂ ମଧ୍ୟ ଏହି ଗ୍ୟାଲେରିରେ ସ୍ଥାନ ପାଇଛି। ଗାନ୍ଧୀଜୀଙ୍କ ସମ୍ପର୍କରେ କିଛି କବିତା, ଗାନ୍ଧୀଜୀଙ୍କୁ ଦିଆଯାଇଥିବା ଓ ଗାନ୍ଧୀଜୀ ଦେଇଥିବା କିଛି ଚିଠି ଗ୍ୟାଲେରିରେ ସ୍ଥାନ ପାଇଛି। ଏଥିସହ ଗାନ୍ଧୀଜୀଙ୍କ ୮ ଥର ଗସ୍ତ ସମୟ‌ର ଅଡିଓ ଭିଜୁଆଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯେଉଁଠି ଅତି ସହଜରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟର ସମ୍ପୂର୍ଣ୍ଣ ତଥ୍ୟ ଜାଣି ହେବ।

Advertisment

ଆଜିର କାର୍ଯ୍ୟକ୍ରମରେ ସଂଗ୍ରହାଳୟର ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଗ୍ୟାଲେରିର ସୌନ୍ଦର୍ଯ୍ୟୀକରଣ, ପ୍ରତ୍ୟେକ ମୂର୍ତ୍ତିଚିତ୍ର, ତୈଳଚିତ୍ର ତଥା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ସେମାନେ ହେଲେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଡ. ରାମହରି ଜେନା ଓ ଡ. ସଂଗ୍ରାମ ଜେନା। ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଯୋଗ ଓ ମାର୍ଗଦର୍ଶନରେ ମହାତ୍ମା ଗାନ୍ଧୀ ଗ୍ୟାଲେରି ଲୋକାର୍ପିତ ହୋଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗ୍ୟାଲେରିକୁ ଆଜି ଛାତ୍ରଛାତ୍ରୀମାନେ ବୁଲି ଦେଖିବା ସହ ଗାନ୍ଧୀଜୀଙ୍କ ବିଷୟରେ ଜାଣି ଖୁସିବ୍ୟକ୍ତ କରିଥିଲେ। ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କ୍ୟୁରେଟର ଡ. ଭାରତୀ ପାଲ୍‌ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସଂଗ୍ରହାଳୟ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।