ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ବର: ମିସନ ଶକ୍ତି ମହିଳାମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ମିସନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମାଜିକ ସଶକ୍ତୀକରଣରେ ସହାୟକ ହୋଇପାରିଛନ୍ତି। ଆଜି ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ଆୟୋଜିତ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦ୍‌ଯାପନୀ ଉତ୍ସବ ଅବସରରେ ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନ ଏପରି କହିଛନ୍ତି। ଶ୍ରୀମତୀ କାର୍ତ୍ତିକେୟନ ଆହୁରି କହିଲେ ଯେ ଓଡ଼ିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତୀକରଣ ଅନ୍ୟତମ। ରାଜ୍ୟ ସରକାର ୫ବର୍ଷ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ କରିବା ପାଇଁ ୫ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ୫୦୦ ମିସନ ଶକ୍ତି ବଜାର ଆଉଟଲେଟ୍‌ ଆରମ୍ଭ କରିବାକୁ ଯୋଜନା ହୋଇଛି ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କହିଲେ ଯେ ଖାଦ୍ୟର ବିବିଧତା ଓ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ। ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟାର ବିକାଶ କରିବା ମଧ୍ୟ ଜରୁରୀ। ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ଓ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କ ହାତରେ ରହିବା ଦରକାର ବୋଲି ସଚିବ ଶ୍ରୀ ପାଢ଼ୀ କହିଥିଲେ। ଏହି ଅବସରରେ ସିଟିଟିସି, ସିପେଟ୍‌ ଓରମାସ୍‌, ଅରେଞ୍ଜ କ୍ରସ୍ ଓ ଟାଟା ଷ୍ଟ୍ରାଇଭ୍‌ ଭଳି ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ଦିଆଯାଇଥିଲା। ଶେଷରେ ୨୯ଜଣ ଅଧିକାରୀ ୪ ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ପାଇଁ କରିଥିବା ଯୋଜନା ଉପସ୍ଥାପନ କରିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସିଇଓ ରେଘୁ ଜି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର