ମହାତ୍ମାସେତୁ ରାସ୍ତା ପାଲଟିଛି ଆମିଷ ହାଟ: କଲବଲ କରୁଛି ଟ୍ରାଫିକ୍‌ ଭିଡ଼

ବାଲିଅନ୍ତା ବଜାର: ବାଲିଅନ୍ତା ପୂର୍ତ୍ତ ବିଭାଗ ମହାତ୍ମାସେତୁ ରାସ୍ତା ପାଲଟିଛି ଆମିଷ ହାଟ। ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ଆମଇଷ ବେପାରୀମାନେ ରାସ୍ତାର ଉଭୟ ପାର୍ଶ୍ବକୁ କବ୍‌ଜା କରି ରହୁଛନ୍ତି। ଫଳରେ ବାଲିଅନ୍ତା ବଜାରଠାରୁ ସାଇଫନ୍‌ ବଜାର ପର୍ଯ୍ୟନ୍ତ ଟ୍ରାଫିକ୍‌ ଭିଡ଼ ଲୋକଙ୍କୁ କଲବଲ କରୁଛି। ପ୍ରତି ରବିବାର, ବୁଧବାର ଓ ଶୁକ୍ରବାର ଏହି ରାସ୍ତାରେ ଏମିତି ଭିଡ଼ ହେଉଛି ଯେ ସର୍ବସାଧାରଣଙ୍କ ଯାତାୟାତରେ ଘୋର୍ ସମସ୍ୟା ହେଉଛି। ମାଛ, ମାଂସ ଦୋକାନର ଆବର୍ଜନା ରାସ୍ତା କଡ଼ରେ ଜମା ହେବା ଫଳରେ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ୁଛି। ବୁଲା କୁକୁରଙ୍କ ପ୍ରାଦୁର୍ଭାବ ସ୍କୁଲ୍‌ ପିଲାଙ୍କ ପାଇଁ ବିପଦର କାରଣ ହେଉଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ଲୋକେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ଏହି ରାସ୍ତା ପ୍ରଶସ୍ତୀକରଣ ପାଇଁ ଦୁଇ କଡ଼ରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ କାମ ସରିବା ପରେ ପୁଣି ଦୋକାନୀମାନେ ରାସ୍ତା ଉପରେ ଅସ୍ଥାୟୀ ଦୋକାନ ନିର୍ମାଣ କରି ବ୍ୟବସାୟୀ କଲେ ଏବଂ ରାସ୍ତାକୁ କବ୍‌ଜା କରି ବସିଲେ। ପୂର୍ବରୁ ଏକଦା ତହସିଲ ପ୍ରଶାସନ ବେପାରୀମାନଙ୍କୁ ତାଗିଦ୍ କରିଥିଲା। କିନ୍ତୁ କିଛି ଦିନ ପରେ ପୁଣି ପୂର୍ବାବସ୍ଥା ଫେରିଲା। ଆମିଷ ବ୍ୟବସାୟୀମାନେ ମହାତ୍ମା ସେତୁଠାରୁ ସାଇଫନ୍‌ ବଜାର ଯାଏ ରାସ୍ତାର ଉଭୟ ପାର୍ଶ୍ବକୁ ଜବରଦଖଲ କରିଛନ୍ତି। ସନ୍ଧ୍ୟା ସମୟରେ ଟ୍ରାଫିକ୍‌ ସମସ୍ୟା ଯମଯନ୍ତ୍ରଣା ଦେଲା ଭଳି ହେଉଛି। ବେଶି ସମସ୍ୟାରେ ପଡ଼ୁଛନ୍ତି ଛାତ୍ରଛାତ୍ରୀମାନେ। ଦିନରେ ସ୍କୁଲ୍‌ ଯିବା ବେଳେ ଯେମିତି ହଇରାଣ ହେଉଛନ୍ତି, ସନ୍ଧ୍ୟାରେ ଟିଉସନ୍‌ ଯିବା ବେଳେ ଆହୁରି ବେଶି କଷ୍ଟ ଭୋଗୁଛନ୍ତି। ବଡ଼ କଥା ହେଉଛି, ଏହି ରାସ୍ତା ଦେଇ ଲୋକମାନେ ଭୁବନେଶ୍ୱର, କଟକ, ଭିଙ୍ଗାରପୁର, ପ୍ରତାରୁଦ୍ରପୁର, ଓଲଟପୁର, ବ୍ରାହ୍ମଣଝରିଲୋ, କାକରୁଦ୍ରପୁର୍, ଜୟଦେବ, ନିଆଳି, ବାଗଲପୁର, କଣ୍ଟାପଡ଼ା, କାକଟପୁର, ନିମାପଡ଼ା ଯାତାୟାତ କରନ୍ତି। ମାତ୍ର ଏଠାରେ ହେଉଥିବା ଟ୍ରାଫିକ୍‌ ଭିଡ଼ ପାଇଁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ରାସ୍ତାରୁ ଟ୍ରାଫିକ୍‌ ଜାମ୍‌ ହଟାଇବାକୁ ହେଲେ ଆମିଷ ବଜାରକୁ ରାସ୍ତା କଡ଼ରୁ ହଟାଇବା ଜରୁରୀ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସରପଞ୍ଚ କୃଷ୍ଣକେଶବ ଆପଟ ମଧ୍ୟ ଏନେଇ ତହସିଲ ପ୍ରଶାସନ ଓ ପୁଲିସ ପ୍ରଶାସନକୁ ବାରମ୍ବାର ଜଣାଇଥିବା କହିଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର