ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ପୂଜାମଣ୍ଡପଗୁଡ଼ିକରେ ସାଜସଜ୍ଜା ଆରମ୍ଭ ହୋଇଗଲାଣି। ହେଲେ ରାଜଧାନୀର ଏମିତି କିଛି ପୂଜାମଣ୍ଡପ ଅଛି ଯେଉଁଠି ପୂଜା ସମୟରେ  ହନୁମାନ ବା ମହାବୀରଙ୍କୁ ପୂଜାର୍ଚ୍ଚନା କରାଯାଏ। ତନ୍ମଧରୁ ୟୁନିଟ୍‌ ୯ ମହାବୀର କମିଟି ଅନ୍ୟତମ। ଗତ ୩୧ ବର୍ଷ ଧରି ଏଠାରେ ଦୁର୍ଗାପୂଜା ସମୟରେ ପ୍ରଭୁ ମହାବୀରଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ନିଜର କାଳ୍ପନିକ ତୋରଣ ଓ ମହାବୀରଙ୍କ ରୂପକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି କମିଟି ଚଳିତ ବର୍ଷ ମଧ୍ୟ ପରିବେଶ ଅନୁକୂଳ ତୋରଣ ପ୍ରସ୍ତୁତ କରୁଛି। ରାଜମହଲ ସଦୃଶ ଏହି ତୋରଣରେ ଭଳିକି ଭଳି ଫଳ ଖଞ୍ଜାଯାଇ ଏହାକୁ ଆକର୍ଷଣୀୟ କରାଯିବ। ତୋରଣର ଉଚ୍ଚତା ୧୦୦ଫୁଟ ରହିଥିବା ବେଳେ ଚଉଡ଼ା ୪୦ ଫୁଟ ରହିବ। ଏହି ସ୍ୱତନ୍ତ୍ର ତୋରଣ ନିର୍ମାଣ ପାଇଁ ବଙ୍ଗୀୟ କାରିଗର ଆସିଛନ୍ତି। ସେହିପରି ମହାବୀରଙ୍କ ଉଚ୍ଚତା ୧୪ ଫୁଟ ରହିବ। 

Advertisment

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଟି ପକ୍ଷରୁ ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ସିସିଟିଭିର ମଧ୍ୟ ବ୍ୟବସ୍ଥା ହୋଇଛି। ସେହିପରି ପ୍ରସାଦର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାବୀରଙ୍କ ନିକଟରେ ସମସ୍ତ ପ୍ରକାର ଫଳ ସହ ରାମଖେଚୁଡ଼ି ଭୋଗ କରାଯିବ। ସେହିପରି ନବମୀ ଓ ଦଶମୀରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ଆନନ୍ଦବଜାର ଛକରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସଜାଯିବ। ପରିବେଶକୁ ଦୃଷ୍ଟିରେ ରଖି ପୂଜାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବାକୁ ପ୍ରୟାସ କରାଯାଇଛି। ଚଳିତ ବର୍ଷ ପ୍ରଭୁଙ୍କ ଭସାଣିକୁ ବେଶ୍‌ ଗୁରୁତ୍ୱ ଦିଆଯାଇଛି। ଭସାଣିରେ ଅଘୋରୀ ନୃତ୍ୟ ପ୍ରମୁଖ ଆକର୍ଷଣ ସାଜିବ। ଉତ୍ତର ପ୍ରଦେଶର କଳାକାରମାନେ ଏହି ନୃତ୍ୟ ପରିବେଷଣ କରିବେ। ଏଥିସହିତ ବ୍ରାସ୍‌ ବ୍ୟାଣ୍ଡ, ଦୁଲ୍‌ଦୁଲି ସମେତ ଘଣ୍ଟବାଦ୍ୟ ଓ ସଂକୀର୍ତ୍ତନ ସହ ପ୍ରଭୁଙ୍କୁ ମେଲାଣି ଦିଆଯିବ। 

ଭସାଣିରେ ଅଘୋରୀ ନୃତ୍ୟ ଆକର୍ଷିତ କରିବ

ଚଳିତ ବର୍ଷ ଆମ ପୂଜା କମିଟି ୩୧ ବର୍ଷରେ ପାଦ ଦେଇଛି। ଏହାର ସମସ୍ତ ଶ୍ରେୟ ଭୋଇନଗରବାସୀ ଓ କ୍ଲବ୍‌ର ସଦସ୍ୟମାନଙ୍କୁ ଯାଉଛି। ଏଥର ଭସାଣି ଉତ୍ସବରେ ଉତ୍ତରପ୍ରଦେଶର ଅଘୋରୀ ଦଳ ସହିତ ସମ୍ବଲପୁର ବାଜା ଓ ମହିଳା ସଂଘର କୀର୍ତ୍ତନ ସମସ୍ତଙ୍କ ମନୋରଞ୍ଜନ କରିବ। ଭକ୍ତମାନେ ବହୁ ସଂଖ୍ୟାରେ ଆସି ପୂଜାରେ ଯୋଗ ଦେବାକୁ ଅନୁରୋଧ। 

ଅପରୂପ ନାରାୟଣ ରାଉତ, ସମ୍ପାଦକ

ପରିବେଶ ଅନୁକୂଳ ପୂଜା
ଆମେ ସର୍ବଦା ପରିବେଶ ଅନୁକୂଳ ସମିତି ସ୍ୱତନ୍ତ୍ର ଭାବରେ ପୂଜା କରିବାକୁ ଚେଷ୍ଟା କରୁ। ଚଳିତ ବର୍ଷ ମଧ୍ୟ ଆମେ ଫଳରେ ତୋରଣ ସଜାଇବୁ। ପୂଜାରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ସହିତ ନବମୀ ଓ ଦଶମୀରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। 

ପ୍ରମୋଦ ସାହୁ, ସଭାପତି