ଖଣ୍ଡଗିରି: ନୂଆପଲ୍ଲୀର ଶ୍ରୀଶ୍ରୀ ମହାବୀର ପୂଜା କମିଟି ପକ୍ଷରୁ ଦଶହରାରେ ମା’ ଦୂର୍ଗାଙ୍କ ବଦଳରେ ପୂଜା ପାଆନ୍ତି ସଙ୍କଟମୋଚନ ମହାବୀର। ୧୫ବର୍ଷରେ ପହଞ୍ଚିଥିବା ଏହି ପୂଜା ପାଇଁ ଏଥର ୧୦ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି। ମୂର୍ତ୍ତି ଉଚ୍ଚତା ୧୬ଫୁଟ ରହିଥିବା ବେଳେ କୋଲକାତାର ବଙ୍ଗାଳୀ କାରିଗର ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି। କମିଟି ପକ୍ଷରୁ ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ଲାଇଟ୍‌ ଗେଟ୍‌କୁ ଗୁରୁତ୍ୱ ଦିଆଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଛକ ଠାରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ କରାଯିବ। ପ୍ରତିବର୍ଷ ପରି ସପ୍ତମୀ ଦିନ ପୁରୀରୁ ମା’ ବିମଳାଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ମହାବୀରଙ୍କ ପୂଜାର୍ଚ୍ଚନା କରାଯିବ। ଦଶମୀ ଦିନ ୧୦ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି କାର୍ଯ୍ୟକ୍ରମ ରହିଛି। ଏଥିରେ ଶକ୍ତି ମିଶ୍ର, ସୁଭାଶିଷ ମହାକୁଡ଼ ସଙ୍ଗୀତ ପରିବେଷଣ କରିବେ। ଅନ୍ୟଦିନମାନଙ୍କରେ ଭଜନ ସନ୍ଧ୍ୟା, ‘ଏଲ୍‌ଏନ୍‌ ଲାଫ୍‌ଟର କ୍ଲବ ଆଣ୍ଡ ଦାଣ୍ଡିଆ’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ବରିଷ୍ଠ ନାଗରିକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ।

Advertisment

ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ପୂଜାରେ ସବୁବେଳେ ଶାନ୍ତିଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଉଛି। ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସମେତ ‌ଶହେ ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ସ୍ବେଚ୍ଛାସେବୀଙ୍କୁ ସ୍ବତନ୍ତ୍ର ଟି-ସାର୍ଟ ଓ ଆଇକାର୍ଡ ପ୍ରଦାନ କରାଯିବ। ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଡିଜେ କଟକଣା ଥିବାରୁ ଭସାଣୀରେ ଏଥର କେବଳ ପାରମ୍ପରିକ ବାଦ୍ୟ ବାଜିବ। ଢୋଲ ନିସାନ, ପଞ୍ଜାବୀ ଢୋଲ, ଘୋଡ଼ାନାଚ, ବାଘନାଚ, ସିଙ୍ଘ ବାଜା, ଦୁଲ୍‌ଦୁଲି ଆଦି ପାରମ୍ପରିକ ବାଦ୍ୟରେ ପବନପୁତ୍ରଙ୍କୁ ବିଦାୟ ଦିଆଯିବ। ଶ୍ରଦ୍ଧାଳୁଙ୍କ ପାଇଁ ମଣ୍ଡପ ପାଖରେ ଏକ ସେଲ୍‌ଫି ପଏଣ୍ଟର ବ୍ୟବସ୍ଥା କରାଯାଉଛି। 
ସନ୍ଦୀପ କୁମାର ବଳ, କାର୍ଯ୍ୟକାରୀ ସଭାପତି

ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ୟୁନିଟ୍‌-୮ ଡିଏଭି ସ୍କୁଲ ଛକ ସମ୍ମୁଖ ମଣ୍ଡପରେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ତ୍ତାମାନଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା କରାଯାଇଛି। ଲୋକମାନେ ସହଜରେ ଯେପରି ସମସ୍ତ ସୁବିଧା ପାଇବେ ସେ ନେଇ ଅଧିକ ଗୁରୁତ୍ବ ଦିଆଯାଇଛି। 
ଦେବାଶିଷ ପ୍ରଧାନ, ସାଂଗଠନିକ ସମ୍ପାଦକ