ସୁରକ୍ଷା ମାଗୁଛି ମହେନ୍ଦ୍ରଗିରି, ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ଦାବି ଜୋର୍ ଧରିଲା

୩୦ ବର୍ଷରେ ଉଜୁଡ଼ି ଯାଇଛି ୮୦ ଭାଗ ଜଙ୍ଗଲ, ୫୦୦୦ ବର୍ଷର ପୁରୁଣା ଐତିହ୍ୟ ଲୀନ ହୋଇଯିବ

ଭୁବନେଶ୍ବର: ୩୦ ବର୍ଷ ପୂର୍ବେ ଘଞ୍ଚ ଅରଣ୍ୟରେ ଭରପୂର ଥିବା ମହେନ୍ଦ୍ରଗିରି ପର୍ବତମାଳା ଆଜି ଧ୍ବଂସମୁଖରେ। ତେଣୁ ପୂର୍ବଘାଟ ପର୍ବତମାଳାର ଏହି ବିସ୍ତୀର୍ଣ୍ଣ ଅଂଶ ଏବେ ସୁରକ୍ଷା ମାଗୁଛି। ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ନ ପାଇଲେ ୫ ହଜାର ବର୍ଷ ତଳର ଏହି ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଯିବ। ଏହି ପର୍ବତମାଳାର କୋଳରେ ବଞ୍ଚୁଥିବା ଆଦିମ ଜନଜାତି, ବନ୍ୟପ୍ରାଣୀ ଓ ବହୁ ମୂଲ୍ୟବା‌ନ ଔଷଧୀୟ ବୃକ୍ଷରାଜି ଲୋପ ପାଇଯିବେ। ଗତ ୩୦ ବର୍ଷ ଭିତରେ ଏହି ପର୍ବତମାଳାରୁ ୮୦ଭାଗ ଜଙ୍ଗଲ ନଷ୍ଟ ହୋଇସାରିଛି। ତେଣୁ ଏବେଠୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବାର ସମୟ ଆସିଛି ଓ କେବଳ ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ମିଳିଲେ ହିଁ ଏହି ପ୍ରାକୃତିକ ପରିବେଶ ସୁରକ୍ଷିତ ରହିବ ବୋଲି ମତ ପ୍ରକାଶ ପାଇଛି। ଆଜି ଓଡ଼ିଶା ପରିବେଶ ସମିତି ଓ ମହେନ୍ଦ୍ରଗିରି ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ପ୍ରତି ଜୋର୍‌ ଦିଆଯାଇଛି।

ସୂଚନାଯୋଗ୍ୟ, ଘଞ୍ଚ ଜଙ୍ଗଲ, ପାହାଡ଼ ଓ ନଦନଦୀର ସମାହାରରେ ପରିପୂର୍ଣ୍ଣ ଗଜପତି ଜିଲ୍ଲାର ଏହି ପର୍ବତମାଳା ଏକଦା ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଥିଲା। ପର୍ବତମାଳାର ୧୯ ଶତକଡ଼ା ଅଂଶ ଉପରେ ସ୍ଥାନୀୟ ଜନଜାତି ନିର୍ଭର କରୁଥିଲେ। ବିସ୍ତୀର୍ଣ୍ଣ ଜଙ୍ଗଲରେ ପ୍ରଚୁର ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ, କଙ୍ଗଡ଼ା, ଶିଶୁ, ଅସନ ଭଳି ବିଶାଳ ବୃକ୍ଷ ଭରି ରହିଥିଲା। ଘଞ୍ଚ ଅରଣ୍ୟ ପାଇଁ ଏହି ପର୍ବତମାଳାରେ ହାତୀ, ଚିତାବାଘ, ହେଟା ବାଘ, ଭାଲୁ, କୃଷ୍ଣସାର ମୃଗ ଓ ମୟୂର ଭଳି ବହୁ ପ୍ରଜାତିର ପଶୁପକ୍ଷୀ ବାସ କରୁଥିଲେ। ବିଶେଷକରି ଏଠାରେ ହାତୀଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏହି ଅଞ୍ଚଳକୁ ଗଜପତି ବୋଲି ଅଭିହିତ କରାଯାଉଥିଲା। ମାତ୍ର ଏବେ ଜଙ୍ଗଲ ନଷ୍ଟ ହେବା ପରେ ବନ୍ୟପ୍ରାଣୀମାନେ ଲୋପ ପାଇ ଗଲେଣି। କେବଳ ହାତଗଣତି କିଛି ହାତୀ, କଲରାପତରିଆ, ମାଙ୍କଡ଼, ସାପ, ଭାଲୁ, ହରିଣ ଓ ମୟୂର ଭଳି ବନ୍ୟପ୍ରାଣୀ ଅଛନ୍ତି। ଔଷଧୀୟ ବୃକ୍ଷରାଜି ସବୁ ନଷ୍ଟ ହୋଇଯାଇଛି। ସଂରକ୍ଷଣ ଅଭାବରୁ ଜଙ୍ଗଲ ଯେମିତି ଲୋପ ପାଇବାକୁ ବସିଛି।

ସମିତିର ସଭାପତି଼ ସୁନ୍ଦର ନାରାୟଣ ପାତ୍ର ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇ ରାଜ୍ୟର ପ୍ରାକୃତିକ ସମ୍ବଳ ଏବଂ ଜୀବଜନ୍ତୁ ସମ୍ଭାର ଉପରେ ଆଲୋକପାତ କରିଥିଲେ। ମହେନ୍ଦ୍ରଗିରିକୁ ସଂରକ୍ଷିତ ଜୈବମଣ୍ଡଳର ମାନ୍ୟତା ମିଳିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ସେ ସୂଚନା ଦେଇଥିଲେ। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମହେନ୍ଦ୍ରଗିରି ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ସ୍ବାର୍ଥ ଓ ସେଠାରେ ଥିବା ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ୟମ କରିବେ ବୋଲି କହିଥିଲେ। ମହେନ୍ଦ୍ରଗିରି ସୁରକ୍ଷା ସମିତିର ସଭାପତି ସ୍ବାମୀ ଲକ୍ଷ୍ମୀ ବାବା ମହେନ୍ଦ୍ରଗିରିର ଐତିହ୍ୟ ସୁରକ୍ଷା ଉପରେ ମତ ଦେଇଥିଲେ। ବୈଷୟିକ ଅଧିବେଶନରେ ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ, ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓତା ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ମହେନ୍ଦ୍ରଗିରିକୁ ସଂରକ୍ଷଣ କରିବା ସପକ୍ଷରେ ଯୁକ୍ତି ରଖିଥିଲେ।

ପ୍ରଶ୍ନୋତ୍ତର ଅଧିବେଶନରେ ସିସିଡି ମୁଖ୍ୟ ଏ ଜଗନ୍ନାଥ ରାଜୁ, ମହେନ୍ଦ୍ରଗିରି ବାସିନ୍ଦା ବିଜୟ ରାଉତଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ସଂଯୋଜକ ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ। ପ୍ରକାଶ ଚନ୍ଦ୍ର ଜେନା, ପ୍ରଦୀପ ଚନ୍ଦ୍ର ରଥ, ରଘୁନାଥ ପୃଷ୍ଟି, ରେଖା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସଭାପତି ଲାଲ୍‌ ଏକେ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର