ମହି​ଳାଙ୍କୁ ହତ୍ୟା କରି ମୁଣ୍ଡକାଟ ଘଟଣା : ଖୋଲୁଛି ରହସ୍ୟ ପେଡ଼ି

ଚିକେନ୍ ଖାଇଲାବେଳେ ହୋଇଥିଲା ବଚସା
ପ୍ରମାଣ ନଷ୍ଟ ପାଇଁ ଓଢ଼ଣିକୁ ଜଙ୍ଗଲରେ ପୋଡ଼ି ଦେଇଥିଲେ
ତିନି ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ, ଆଜିଠୁ ଅଧିକ ଜେରା

ଭୁବନେଶ୍ବର : ରାଜଧାନୀରେ ମହିଳାଙ୍କୁ ହତ୍ୟା କରି ବୀଭତ୍ସ ଭାବେ ମୁଣ୍ଡ କାଟିବା ମାମଲାରେ ରହସ୍ୟ ଧୀରେଧୀରେ ଖୋଲିବାରେ ଲାଗିଛି। ବିବାହ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା କଥା ସତ। ମାତ୍ର ଘଟଣା ଦିନ ଏମିତି କଣ ଘଟିଲା ଯେ ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍ ସଞ୍ଜୟ ପୁଷ୍ପଲତାଙ୍କୁ ହତ୍ୟା କଲା? ଯାହା ସହ ଦୀର୍ଘ ୭ ବର୍ଷ ଧରି ରହୁଥିଲା, ହଠାତ୍ କାହିଁକି ସେ ତ‌ାକୁ ହତ୍ୟା କରି ମୁଣ୍ଡ କାଟିବାକୁ ପଛାଇଲା ନାହିଁ? ତଦନ୍ତ ସମୟରେ କିଛି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ସଞ୍ଜୟ ପୁଲିସ ନିକଟରେ ‌ଦେଇଥିବା ବୟ‌ାନ ଅନୁଯାୟୀ ଫେବ୍ରୁଆରି ୩ ତାରିଖ ବୁଧବାର ଦିନ ପୁଷ୍ପଲତା ଚିକେନ୍ ରୋଷେଇ କରିଥିଲେ। ଉଭୟ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ହଠାତ୍ ପ୍ରୀତିରଞ୍ଜନଙ୍କ ସହ ବିବାହ କଥା ଉଠିଥିଲା। ପୂର୍ବରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସେଦିନ ଉଗ୍ରରୂପ ନେଇଥିଲା। ଆଉ ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ୫ଟା ଭିତରେ ସଞ୍ଜୟ ଏକ ଓଢ଼ଣିରେ ପୁଷ୍ପଲତାଙ୍କ ଗଳା ଚିପି ହତ୍ୟା କରିଥିଲା। ଏହା ପରେ ସେ ସହଯୋଗୀ ଶ୍ରୀକାନ୍ତ ସାହୁ ଓରଫ୍ ଚନ୍ଦୁକୁ ଡାକି ସବୁକଥା କହିଥିଲା। ସନ୍ଧ୍ୟାରେ ସଞ୍ଜୟ ଆଇଗିଣିଆର ଏକ ମେଡିସିନ ଷ୍ଟୋରରୁ ଏକ ଛୁରି ଓ ଗ୍ଲୋଭ୍‌ସ କିଣିଥିଲା। ଏହାପରେ ମଧ୍ୟରାତ୍ରିରେ ଶ୍ରୀକାନ୍ତ ସହ ମିଶି ସେ ନିଜ ସେ ଚଳାଉଥିବା ମାଲବାହୀ ବୋଲେରୋରେ ମୃତଦେହକୁ ଚନ୍ଦକା ଅନ୍ଧାରୁଆ-ଦାସପୁର ରାସ୍ତାକୁ ନେଇ ସେଠାରେ ମୁଣ୍ଡ କାଟି ଦେଇଥିଲେ। ତେବେ ହତ୍ୟାରେ ବ୍ୟବହୃତ ହୋଇଥିବା ଓଢ଼ଣିକୁ କିଛି ଦୂରରେ ନିଆଁ ଲଗାଇ ପୋଡ଼ି ଦେଇଥିଲା। ସେହି ସ୍ଥାନକୁ ପୁଲିସ ଏଯାଏ ଚିହ୍ନଟ କରିପାରି ନାହିଁ।

ଏହି ପିକ୍‌ଅପ୍ ବଲେରୋରେ ପୁଷ୍ପଲତାଙ୍କ ଶବ ବୋହିଥିଲେ ୨ ଅଭିଯୁକ୍ତ

ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍ ସଞ୍ଜୟ ଏବଂ ଶ୍ରୀକାନ୍ତ ସାହୁ ଓରଫ୍ ଚନ୍ଦୁକୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଖାରଜ ହୋଇ ଯାଇଥିଲା। ତେବେ ଘଟଣାର ଅଧିକ ଖୋଳତାଡ଼ ଲାଗି ଚନ୍ଦକା ଥାନା ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ତିନି ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ। ଏହି ରିମାଣ୍ଡ ସମୟରେ ସେମାନଙ୍କୁ ପଚରାଉଚରା କରି ଆଉ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରାଯିବ। ବାକି ରହିଥିବା କ୍ରାଇମ ସିନ୍ ରିକ୍ରିଏଟ୍ ମଧ୍ୟ କରାଯିବ। ହତ୍ୟାକାଣ୍ଡସ୍ଥଳ ଫୁଲେଶ୍ବରୀ ବସ୍ତିକୁ ଉଭୟ ଅଭିଯୁକ୍ତଙ୍କୁ ନିଆଯିବା ସହ ଆଇଗିଣିଆର ଯେଉଁ ମେଡିସିନ୍ ଷ୍ଟୋରରୁ ଛୁରି, ଗ୍ଲୋଭସ୍ କିଣିଥିଲେ ସେଠାକୁ ମଧ୍ୟ ନିଆଯିବ। ସେହି ମେଡିସିନ୍ ଷ୍ଟୋରର ଦୋକାନୀ ଉଭୟଙ୍କୁ ଚିହ୍ନଟ କରିବେ। ସେହିପରି ଯେଉଁ ସ୍ଥାନରେ ଓଢଣିକୁ ପୋଡାଯାଇଛି ସେଠାକୁ ମଧ୍ୟ ଉଭୟ ଯାଇ ଚିହ୍ନଟ କରିବେ। କାଲିଠାରୁ ଦୁଇ ଜଣଙ୍କୁ ଧରି ଅଧିକ ତନାଘନା କରିବ ତଦନ୍ତକାରୀ ଟିମ୍।

ସମ୍ବନ୍ଧିତ ଖବର