ଭୁବନେଶ୍ୱର : ୪ ବର୍ଷର ଲମ୍ବା ଅଦାଲତି ଲଢ଼େଇ ପରେ ନୂଆପଲ୍ଲୀ ମହିମା ଢାବା ଉଚ୍ଛେଦ ମାମଲାରେ ବିଏମ୍ସି ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର-୯ ନିକଟରେ ସରକାରୀ ଜମିରେ ଥିବା ଏହି ଢାବାକୁ ଗୁରୁବାର ବିଏମ୍ସି ଭାଙ୍ଗିବାରେ ସଫଳ ହୋଇଛି। ତେବେ କୋର୍ଟରୁ ଅନୁମତି ପାଇବା ସତ୍ତ୍ବେ ଜବରଦଖଲ ସ୍କ୍ୱାଡ୍କୁ ଶତାଧିକ ମହିଳା ୪ ଘଣ୍ଟା ଅଟକାଇ ଦେବା ଥିଲା ଆଜିର ଉଚ୍ଛେଦ ସମୟର ଉଲ୍ଲେଖନୀୟ ଘଟଣା। ସ୍କ୍ୱାଡ୍କୁ ବିରୋଧ କରିବାକୁ ଆସିଥିବା ଶତାଧିକ ମହିଳା ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଓ ଜେସିବିକୁ ଘେରି ରହିଥିଲେ। ପରେ ମହିଳା ପୁଲିସ ପ୍ଲାଟୁନ୍ ଆସିବାରୁ ମହିଳା ବିକ୍ଷୋଭକାରୀମାନେ ପଛଘୁଞ୍ଚା ଦେଇଥିଲେ ଓ ଢାବା ଭଙ୍ଗା ହୋଇଥିଲା। କୋର୍ଟରେ ହାରିବା ପରେ ଢାବା ବଞ୍ଚାଇବାକୁ ମାଲିକ ମହିଳାଙ୍କୁ ଢାଲ କରିଥିଲେ ବି ସଫଳ ହୋଇନଥିଲେ।
/sambad/media/post_attachments/wp-content/uploads/2021/11/mahima-dhaba-bmc2.jpg)
ନୂଆପଲ୍ଲୀ ମୌଜା ସରକାରୀ ଖାତା ସଂଖ୍ୟା ୩୨୯୩, ପ୍ଳଟ୍ ନମ୍ବର ୬୩୯/୩୩୬୮ରେ ଥିବା ୧.୫୩୦ ଏକର ଜମିରୁ ୨୧୫ ଡିସିମିଲି ଜମିରେ ଏହି ଢାବା ତିଆରି ହୋଇଥିଲା। ଏହାର କିସମ ଥିଲା ପଥରବଣି। ମାତ୍ର ଢାବା ମାଲିକ ତୋଫାନ ବେହେରା ଏହାକୁ ନିଜ ଜମି ବୋଲି ଦାବି କରି ଦଖଲ କରି ରଖିଥିଲେ ଓ ଢାବା ଖୋଲି ବ୍ୟବସାୟ କରୁଥିଲେ। ତେବେ ସରକାରୀ ହିସାବରେ ଏହା ଜବରଦଖଲ ମାମଲା ହୋଇଥିବାରୁ ୨୦୧୭ ମସିହାରେ ତୋଫାନଙ୍କୁ ଏଠାରୁ ହଟାଇବା ପାଇଁ ବିଏମ୍ସି ଉଦ୍ୟମ କରିଥିଲା। କିନ୍ତୁ ତୋଫାନ କୋର୍ଟର ଦ୍ବାରସ୍ଥ ହୋଇ ସ୍ଥିତାବସ୍ଥା ଜାରି କରାଇବାରେ ସକ୍ଷମ ହୋଇଥିଲେ। କିଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏଠାରୁ ସ୍ଥିତାବସ୍ଥା ହଟାଇବାକୁ ଅଦାଲତି ଲଢ଼େଇ ପ୍ରତି ଧ୍ୟାନ ଦିଆଯାଇନଥିଲା। କିଛି ଅଧିକାରୀ ହାତଗୁଞ୍ଜା ନେଇ ଅଦାଲତି ମାମଲାକୁ ଗଡ଼ାଇ ଚାଲିଥିବା ଅଭିଯୋଗ ହେଉଥିଲା।
/sambad/media/post_attachments/wp-content/uploads/2021/11/bmc1.jpg)
ଅନ୍ୟପକ୍ଷରେ ଜାତୀୟ ରାଜପଥ କଡ଼ରେ ଥିବା ଏହି ଢାବା ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପରାଧୀଙ୍କ ଆଡ଼ା ପାଲଟିଥିଲା ବୋଲି ମଧ୍ୟ ଅଭିଯୋଗ ହେଉଥିଲା। ଗତକାଲି କୋର୍ଟଙ୍କ ରାୟ ତୋଫାନଙ୍କ ବିପକ୍ଷରେ ଯାଇଥିଲା। ତେଣୁ ସାଧାରଣ ପ୍ରଶାସନ ବିଭାଗ(ଜିଏ) ତୁରନ୍ତ ଏହି ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ବିଏମ୍ସି ଦକ୍ଷିଣ ପଶ୍ଚିମ ଜୋନ୍ ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ କାଳ ବିଳମ୍ବ ନକରି ବିଏମ୍ସି କର୍ତ୍ତୃପକ୍ଷ କମିସନରେଟ୍ ପୁଲିସର ସହଯୋଗ ଲୋଡ଼ିଥିଲେ। ଜୋନ୍ ୫ ଏସିପି ସଞ୍ଜୀବ ଶତପଥୀ ଓ ନୂଆପଲ୍ଲୀ ଥାନା ଆଇଆଇସି ଶରତ କୁମାର ସାହୁ ଆଜି ଉଚ୍ଛେଦ ସ୍କ୍ବାଡ୍କୁ ସହଯୋଗ କରିଥିଲେ। ମାତ୍ର ଟିମ୍ ଢାବା ନିକଟରେ ପହଞ୍ଚିବା ବେଳକୁ ଶତାଧିକ ମହିଳା ବିରୋଧ କରିଥିଲେ। ସେମାନେ ତୋଫାନଙ୍କ ସମର୍ଥନରେ ବାହାରି ସ୍କ୍ୱାଡ୍କୁ ଜୋର୍ଦାର୍ ବିରୋଧ କରିଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମହିଳାମାନେ ପୁଲିସକୁ ନାକେଦମ୍ କରିଥିଲେ। ଗୁରୁବାର ଦିନ ଏହି ଉଚ୍ଛେଦ ବେଳେ ବିଏମ୍ସିର ସହକାରୀ କମିସନର ଲିଲନ୍ କୁମାର ସାହୁ, ଜିଏ ସହକାରୀ ନିର୍ଦ୍ଦେଶକ ଅମୀୟ କୁମାର ଦାସ, ସହକାରୀ କମିସନର ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/mahima-dhababmc3.jpg)