ଭୀମ ଭୋଇଙ୍କ ଦର୍ଶନରୁ ଜନ୍ମ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’

ରାଜଧାନୀରେ ମହିମା ସନ୍ଥ ସମାବେଶ

ଚନ୍ଦ୍ରଶେଖରପୁର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ। ଶନିବାର ଭୁବନେଶ୍ୱର ପଟିଆ କଳାରାହାଙ୍ଗସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ଚାରିଟେବୁଲ୍‌ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସନ୍ଥ ସମାବେଶରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ମାଘ ସପ୍ତମୀ ମହାମେଳା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସନ୍ଥକବି ଭୀମ ଭୋଇ ମଣ୍ଡପ ଓ ପାଠାଗାରର ଶୁଭ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ସେ ଆହୁରି କହିଥିଲେ ଯେ ମହିମା ଧର୍ମରେ ଗଭୀର ଜୀବନ ଦର୍ଶନ ଅଛି।

ତେଣୁ ଏଥିପାଇଁ ଉଚ୍ଚସ୍ତରୀୟ ଗବେଷଣା ଆବଶ୍ୟକ। ମହିମା ଧର୍ମର ବିଚାର ଉପରେ ଅଧିକ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁରସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କରିଛନ୍ତି। ଏଠାରେ ଗବେଷଣା କାମ ମଧ୍ୟ ଆରମ୍ଭ ହୋଇସାରିଛି। ଆଗକୁ ୟୁଜିସିର ଅନୁମତିକ୍ରମେ ଓଡ଼ିଶା କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏକ ଚେୟାର ପ୍ରତିଷ୍ଠା ହେବ। ସେ ପୁଣି କହିଛନ୍ତି ଯେ ମହିମା ଗୋସାଇଁ ଓ ଭୀମଭୋଇ ଯୁଗଦ୍ରଷ୍ଟା ଥିଲେ। ପାଖାପାଖି ଦୁଇ ଶହ ବର୍ଷ ତଳେ ମହିମା ଗୋସାଇଁ ଭବିଷ୍ୟତକୁ ଦେଖିପାରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହେଉଛି ମହିମା ଧର୍ମର ବିଚାର ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଭୀମ ଭୋଇଙ୍କ ରଚନାରେ ଥିବା ସମବେଦନା, ବିଚାରଧାରା ଏବଂ ସାମାଜିକ ଉତ୍ତରଦାୟିତ୍ୱ ସବୁର ପ୍ରତିଫଳନ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ। ତେଣୁ ମହିମା ବିଚାର ଦର୍ଶନର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଏବଂ ମହିମା ସାହିତ୍ୟର କଳେବର ବୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଥିଲେ। ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ପଂକ୍ତି ଉଦ୍ଧାର କରି ସେ ପୁଣି କହିଲେ ଯେ ଭୀମ ଭୋଇଙ୍କ କାଳଜୟୀ ବିଚାର ଆଜି ସାରା ବିଶ୍ୱକୁ ଦିଗ୍‌ଦର୍ଶନ ଦେଉଛି। ତେଣୁ ସେ କେବଳ ମହିମାପନ୍ଥୀଙ୍କ ଭିତରେ ସୀମିତ ନୁହନ୍ତି। ଜଣେ ସମାଜବାଦୀ, ସମ୍ବେଦନଶୀଳ, ମାନବବାଦୀ କବି ଭାବେ ସେ ସାରା ଓଡ଼ିଶାବାସୀଙ୍କର ଗର୍ବ ଓ ଗୌରବ ଅଟନ୍ତି ବୋଲି ସେ କହିଥିଲେ।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ସନ୍ଥକବି ଭୀମଭୋଇ ଚେୟାର: ଧର୍ମେନ୍ଦ୍ର ପ୍ରଧାନ
କଳାରାହାଙ୍ଗରେ ଭୀମ ଭୋଇ ମଣ୍ଡପ ଓ ପାଠାଗାର ଉଦ୍‌ଘାଟିତ

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ କହିଲେ ଯେ ମହିମା ଧର୍ମର ସନ୍ଥମାନେ ଅନନ୍ତକାଳରୁ ଜନମଙ୍ଗଳ କାର୍ଯ୍ୟ କରିଆସୁଛନ୍ତି। ଟ୍ରଷ୍ଟର ପ୍ରତିଷ୍ଠାତା ବାବା ରମେଶ ଚନ୍ଦ୍ର ଦାସ ମାଘ ସପ୍ତମୀ ଓ ମାଘମେଳାର ବିଶେଷତ୍ବ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଗୁରୁ ମହାନ୍ତି, ଯୁବନେତା ଯୁଙ୍ଗାଶୁ ଶେଖର ପଣ୍ଡା, ପୂର୍ବତନ ପ୍ରଶାସନିକ ଅଧିକାରୀ ସନାତନ ମଲ୍ଲିକ, ଅନୁଷ୍ଠାନର ସଂପାଦକ ଅଞ୍ଜନ କୁମାର ଜେନା ଏବଂ ସଭାପତି ଅର୍ଜୁନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ କିଛି ମହିମା ଧର୍ମ ଶ୍ରଦ୍ଧାଳୁଙ୍କୁ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର‌ମନ୍ତ୍ରୀ ଶ୍ରୀ ପ୍ରଧାନ ମାନପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ। ଉତ୍ସବ ଶେଷରେ ଅଲେଖ ଜ୍ୟୋତି ଏବଂ ପୃଥକ ପୃଥକ ୪ଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଉତ୍ସବର ସଂଧ୍ୟା ଅଧିବେଶନରେ ଉତ୍ତର ଭୁବନେଶ୍ବର ବିଧ୍ୟାୟକ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗଦେଇଥିଲେ। ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଥିବା ଶୂନ୍ୟ ମନ୍ଦିରରେ ସାମ‌ୂହିକ ଦୀପଦାନ ଏବଂ ୧୦୮ ଦୀପ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା।

 

ସମ୍ବନ୍ଧିତ ଖବର