ଭୁବନେଶ୍ବର: ମହିଷାଖାଲ ରାଜୀବ ଆବାସ ଯୋଜନା (ରେ’) ରେ ପ୍ରସ୍ତୁତ କୋଠାରେ ଯୋଗ୍ୟ-ଅଯୋଗ୍ୟ ବିବାଦ ତୁଟିନଥିବା ବେଳେ ଏଠାରେ ଆଉ ୪ଟି ବ୍ଲକ୍‌ ନିର୍ମାଣ ହେବାକୁ ଯାଉଛି। ଏହି ନୂଆ ବ୍ଲକ୍‌ ପାଇଁ କେନ୍ଦ୍ର ସରକାର ସହାୟତା ଦେବେ ନାହିଁ, ବରଂ ବିଡିଏ ନିଜ ପାଣ୍ଠିରୁ ଏହାକୁ ନିର୍ମାଣ କରିବ। ପୂର୍ବରୁ ୧୫ ବ୍ଲକ୍‌ରେ ୬୦୦ ଘର ନିର୍ମାଣ କରିଥିବା ଠିକା ସଂସ୍ଥା ମଧ୍ୟ ବିଦା ହୋଇଛି। ଏହି ନୂଆ ବ୍ଲକ୍‌ ତିଆରି କରିବା ପାଇଁ ବିଡିଏ ନୂଆ ଟେଣ୍ଡର ଡାକିଛି। ଆସନ୍ତା ମାସ ୧୮ ଠିକା ସଂସ୍ଥାଙ୍କ ଆବେଦନର ଶେଷ ତାରିଖ ରହିଛି। ଠିକା ସଂସ୍ଥା ଚୟନ ହେବା ପରେ ବିଜେବି ନଗରରେ ଥିବା ଏହି ପ୍ରକଳ୍ପ କଡ଼ରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

Advertisment

ମହିଷାଖାଲରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ୧୯ଟି ବ୍ଲକ୍‌ରେ ୭୬୦ ଘର କରିବାକୁ ଯୋଜନା ହୋଇଥିଲା। ୨୦୧୩ ମସିହାରେ ବିଡିଏ ‘ବ୍ରିଜ୍‌ ଆଣ୍ଡ ରୁଫ୍‌ କୋ. ଲିମିଟେଡ୍‌’କୁ ଠିକା ଦେଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବିଡିଏ ୧୫ଟି ବ୍ଲକ୍‌ରେ ୬ଶହ ଘର ତିଆରି କରିଥିଲା। ଆଉ ୪ଟି ବ୍ଲକ୍‌ରେ ୧୬୦ ଘର ନିର୍ମାଣ ହେବାକୁ ଥିଲା। କିନ୍ତୁ ଅହେତୁକ ବିଳମ୍ବ କାରଣରୁ ବ୍ୟୟ ଅଟକଳ ଠାରୁ ଖର୍ଚ୍ଚ ବଢ଼ି ଯାଇଥିଲା। ଯେଉଁଥିପାଇଁ ଆଉ ୪ଟି ବ୍ଲକ୍‌ ନିର୍ମାଣ ହୋଇ ପାରି ନଥିଲା। ଏଣୁ ବିଡିଏ ନୂଆ ଠିକାଦାର ଚୟନ କରି ବାକି ୪ଟି ବ୍ଲକ ନିର୍ମାଣ କରିବାକୁ ଯୋଜନା କରିଥିଲା। ବାକି ୪ଟି ବ୍ଲକ୍‌ ପାଇଁ ୨୦.୬୫ କୋଟି ବ୍ୟୟ ଅଟକଳ କରାଯାଇଥିଲା। ହିତାଧିକାରୀଙ୍କ ଠାରୁ ୧.୨୦ ଲକ୍ଷ ହିସାବରେ ଆଦାୟ ହେବା ଓ ଠିକାଦାର ଠାରୁ ପାଇବାର ଥିବା ବକେୟା ଅର୍ଥରୁ ଏହା ଭରଣା କରାଯାଇଥା’ନ୍ତା। କିନ୍ତୁ ଫନି ଆସିବା ପରେ ବସ୍ତିବାସିନ୍ଦାମାନେ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ଘର ଆବଣ୍ଟନ ପୂର୍ବରୁ ଭିତରେ ପଶି ଯାଇଥିଲେ। ଏଥିରେ ଅଧିକାଂଶ ଅଯୋଗ୍ୟ ଥିଲେ। କେତେକ ଦଲାଲ ମଧ୍ୟ ନକଲି ନାମରେ ଘର ଦଖଲ କରିଥିଲେ। କେତେକ ଦେୟ ଅଧା ଦେଇ ରହୁଥିଲେ। କେତେକ ଦେୟ ବିଲକୁଲ ନଦେଇ ରହିବା ଆରମ୍ଭ କରିଥିଲେ। ଏପରିକି ଘର ପାଇଁ ସମ୍ପୂର୍ଣ୍ଣ ଦେୟ (୧.୨୦ଲକ୍ଷ) ଦାଖଲ କରିବା ପରେ ବି ୧୦୦ରୁ ଊର୍ଦ୍ଧ୍ବ ହିତାଧିକାରୀ ଝୁମ୍ପୁଡ଼ିରେ ରହୁଥିବା ଦେଖା ଯାଇଥିଲା। ଏଣୁ ବିଡିଏ ଅଯୋଗ୍ୟଙ୍କୁ ହଟାଇବା ଆରମ୍ଭ କରିଥିଲା। ହେଲେ ୪ ବର୍ଷ ହେଲାଣି ଏହି ପ୍ରକ୍ରିୟା ଶେଷ ହୋଇ ପାରୁ ନାହିଁ। ୨୦ରୁ ଊର୍ଦ୍ଧ୍ବ ମାମଲା ହାଇକୋର୍ଟରେ ଗଡ଼ୁଥିବା ବେଳେ ଶହେରୁ ଊର୍ଦ୍ଧ୍ବ ହିତାଧିକାରୀ ବାରଦୁଆର ହେଉଛନ୍ତି। ଏପଟେ ପିଏମ୍‌ଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଆରମ୍ଭ ହେବା ପରେ ରେ’ ଅଧୀନରେ ଆଇଏସ୍‌ଏସ୍‌ଆର (ଇନ୍‌-ସିଟୁ ସ୍ଲମ୍‌ ରିଡେଭଲପ୍‌ମେଣ୍ଟ)ପ୍ରକଳ୍ପକୁ କେନ୍ଦ୍ର ସରକାର ବନ୍ଦ କରି ଦେଲେ। ଏହି ନୂଆ ୪ଟି ବ୍ଲକ୍‌ ପାଇଁ ଟଙ୍କାଟିଏ ଦିଆଯିବ ନାହିଁ କେନ୍ଦ୍ର ସରକାର ସ୍ପଷ୍ଟ କରି ବିଡିଏକୁ ଚିଠି ଲେଖିଲେ। ତତ୍‌କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ୨୦୨୨ ମସିହାରେ ସମୀକ୍ଷା ହେଲା। ଯଦି ହିତାଧିକାରୀଙ୍କ ପାଇଁ ଘର ତିଆରି ହୋଇନପାରେ ତେବେ ସେମାନଙ୍କ ପାଇଁ କଣ କଣ ସୁବିଧା ଦିଆଯିବ ସେ ନେଇ ମାନସମନ୍ଥନ ହେଲା। ହେଲେ ଶେଷରେ ବିଡିଏ ସମସ୍ତ ଖର୍ଚ୍ଚ ବହନ କରି ବାକି ୪ଟି ବ୍ଲକ୍‌ ନିର୍ମାଣ କରିବାକୁ ଯୋଜନା କରିଛି।