ଚନ୍ଦ୍ରଶେଖରପୁର: ସ୍ୱପ୍ନ ଦେଖିଲେ ହିଁ ନୂତନ ବିଶ୍ୱର ପରିକଳ୍ପନା କରାଯାଇପାରେ। ତେଣୁ ଯୁବଗୋଷ୍ଠୀ ସ୍ୱପ୍ନାଭିଳାଷୀ ହେବା ଉଚିତ୍। ଏବଂ ସ୍ୱପ୍ନକୁ ସତରେ ପରିଣତ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ୍ ବୋଲି କହିଛନ୍ତି ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ମହମ୍ମଦ ୟୁନୁସ୍। ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ‘ଏକାଦଶ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’ ଗ୍ରହଣ କରିବା ଅବସରରେ ସେ ପିଲାମାନଙ୍କୁ ଏହି ପରାମର୍ଶ ଦେଇ କହିଲେ, ବିଶ୍ୱର ସମୁଦାୟ ସମ୍ପତ୍ତିର ୯୯ଭାଗ କେବଳ ୧ ପ୍ରତିଶତ ଲୋକଙ୍କ ନିକଟରେ ରହିଛି। ଭାରତରେ ମଧ୍ୟ ୧ ପ୍ରତିଶତ ଲୋକଙ୍କ ନିକଟରେ ୭୩ ପ୍ରତିଶତ ସମ୍ପତ୍ତି ରହିଛି। ତେଣୁ ଛାତ୍ରଛାତ୍ରୀମାନେ ଉଚ୍ଚ ସ୍ୱପ୍ନ ଦେଖିଲେ ହିଁ ସମାଜରେ ଏକ ବ୍ୟାପକ ପରିବର୍ତନ ଆସିବ। କିଟ୍ ଓ କିସ୍ ଭଳି ଅନୁଷ୍ଠାନକୁ ପ୍ରତିଷ୍ଠା କରିବା ନେଇ ଅଚ୍ୟୁତ ସାମନ୍ତ ଦେଖିଥିବା ମହତ ସ୍ୱପ୍ନ ହିଁ ତାଙ୍କୁ ସଫଳତା ଆଣି ଦେଇଥିବା ଶ୍ରୀ ୟୁନୁସ୍ ପ୍ରକାଶ କରିଥିଲେ। ଏହି ଅବସରରେ ଏହି ଦୁଇ ଅନୁଷ୍ଠାନକୁ ଭୁରିଭୁରି ପ୍ରଂଶସା କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ବାଂଲାଦେଶରେ ‘ଗ୍ରାମୀଣ ବ୍ୟାଙ୍କ’ର ପ୍ରତିଷ୍ଠାତା ପ୍ରଫେସର୍ ୟୁନୁସ୍ କିଟ୍ ଓ କିସ୍ ଭ୍ରମଣ କଲା ପରେ କୌଣସି ଏକ ପରୀ ରାଇଜରେ ଥିଲା ଭଳି ଅନୁଭବ ହେଉଥିବା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ପରେ ଦ୍ୱିତୀୟ ଥର ଲାଗି ଆଉ ଜଣେ ନୋବେଲ ବିଜେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ୨୦୦୮ ମସିହାରୁ କିସ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ମହମ୍ମଦ ୟୁନୁସ୍ ବାଂଲାଦେଶରେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରି ମାଇକ୍ରୋ କ୍ରେଡିଟ୍ ଓ ମାଇକ୍ରୋ ଫାଇନାନ୍ସ ମାଧ୍ୟମରେ ଲକ୍ଷଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି। ଏହି ଉତ୍ସବରେ କିଟ୍ ଓ କିସ୍ର ସଭାପତି ଶାଶ୍ୱତୀ ବଳ ଅଧ୍ୟକ୍ଷତା କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ର ସଂପାଦକ ଆର ଏନ୍ ଦାଶ, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍ ଲାକ୍ରା ଓ କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।