ଖଣ୍ଡଗିରି: କୌଣସି ଅପହଞ୍ଚ ଆଦିବାସୀ ଅଞ୍ଚଳ ନୁହେଁ, ଖୋଦ୍ ରାଜଧାନୀରୁ ଠାବ କରାଯାଇଛି ମହୁଲି ମଦ ଭାଟି। ସେଠାରୁ ବିପୁଳ ପରିମାଣର ରନ୍ଧା ମଦ, ମହୁଲ ପୋଚ ଓ ମଦ ରନ୍ଧା ଉପକରଣ ଜବତ କରାଯାଇଛି। ଅବକାରୀ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲେ ବି ମଦ ଭାଟିର ମାଲିକ ତଥା ରାଜଧାନୀର ମହୁଲି ମଦ ମାଫିଆ ଜଡ଼ା ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିବାରେ ସଫଳ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ଵାଡ୍ ମିଳିତଭାବେ ଚଢ଼ଉ କରି ଭୁବନେଶ୍ୱର ସାଲିଆସାହି ନୀଳଚକ୍ରନଗରରେ ଏକ ମହୁଲି ମଦ ଭାଟିକୁ ଜବତ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ନୀଳଚକ୍ରନଗରରେ ରହୁଥିବା ଗଞ୍ଜାମର ଶିବ ରେଡ୍ଡୀ, ମୟୂରଭଂଜର ସୁନ୍ଦର ମୋହନ ହେମ୍ବ୍ରମ ଓ ଧନଞ୍ଜୟ ହେମ୍ବ୍ରମ। ଭାଟିରୁ ୮୨୦ ଲିଟର ରନ୍ଧା ମଦ ଓ ୭୬୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସାଲିଆସାହି ନୀଳଚକ୍ରନଗରରେ ଏକ ମଦ ଭାଟି ଚାଲିଛି ବୋଲି ଅବକାରୀ ବିଭାଗକୁ ଖବର ମିଳିଥିଲା। ଗୁରୁବାର ଭୁବନେଶ୍ୱର ଅବକାରୀ ପୁଲିସ ଏଠାରେ ଚଢ଼ଉ କରି ପ୍ରାୟ ୬୦୦ ଲିଟର ରନ୍ଧା ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଅସଲି ଭାଟି ନିକଟରେ ପହଞ୍ଚି ପାରି ନଥିଲା। ତେଣୁ ଖୋର୍ଧା ଜିଲ୍ଲା ଅବକାରି ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ଓ କଟକ ଫ୍ଲାଇଂ ସ୍କ୍ଵାଡ୍ର ଉପଅଧୀକ୍ଷକ ବିକେ ସିଂହ ସାମନ୍ତଙ୍କ ତତ୍ୱାବଧାନରେ ଏକ ଟିମ୍ ଆଜି ସକାଳେ ନୀଳଚକ୍ରନଗରରେ ଚଢ଼ଉ କରିଥିଲା। ଗତ ରାତିରୁ ଭାଟିର ସନ୍ଧାନ କରାଯାଇଥିଲା। ଭାଟିରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା ସିନା ଜଡ଼ା ଚମ୍ପଟ ମାରିଥିଲା। ଭାଟିରୁ ପ୍ରାୟ ୩୦ଟି ବଡ଼ ବଡ଼ ମଦ ରନ୍ଧା ଓ ପୋଚ ଡେକ୍ଚି ଜବତ କରାଯାଇଥିଲା। ସୂଚନାନୁସାରେ ମାଫିଆ ଜଡ଼ା ମୟୂରଭଂଜରୁ ମହୁଲ ମଗାଉଛି। ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବହୁ ଆଦିବାସୀ ରହୁଥିବାରୁ ମହୁଲି ହେଉ କି ରନ୍ଧା ମଦର ଚାହିଦା ରହୁଥିବାରୁ ଜଡ଼ା ଏହି କାରବାର ଚଳାଇଛି। ଭରତପୁର, ଡୁମୁଡୁମା, କାରଗିଲ୍ ବସ୍ତି, ସିଆର୍ପି ମୁଣ୍ଡାସାହି ବସ୍ତି ଓ ଚନ୍ଦ୍ରଶେଖରପୁର ପଟିଆ ଆଦି ଅଞ୍ଚଳରେ ଏହି ମଦ ବିପୁଳ ପରିମାଣରେ ବିକ୍ରି ହେଉଛି। ଆଜିର ଚଢ଼ଉରେ ଫ୍ଲାଇଂ ସ୍କ୍ଵାଡ୍ ଆଇଆଇସି ଶରତଚନ୍ଦ୍ର ଭଂଜ, ଭୁବନେଶ୍ୱର ଅବକାରୀ ଆଇଆଇସି ଦେବୀପ୍ରସାଦ ଦାସ, ଏସ୍ଆଇ ସୁଜିତ୍ ମୁଦୁଲି, ଏକେ ସାମନ୍ତ, କେ ଏଲ୍ ପାଇକରାୟ, ଡିକେ ଟେଣ୍ଡେଲ୍ ଓ ଅନ୍ୟମାନେ ସାମିଲ୍ ହୋଇଥିିଲେ। ଗଙ୍ଗପଡ଼ା ଆଦି ଅଞ୍ଚଳରେ ବ୍ୟାପକ ପାଉଡର୍ କାରବାର ହେଉଥିବା ଅଭିଯୋଗ ହେଉଛି।
ରାଜଧାନୀରେ ମହୁଲି ଭାଟି ଠାବ
ମହୁଲି ମଦ ମାଫିଆ ଜଡ଼ା ଛୁ’, ୩ ଗିରଫ, ବିପୁଳ ପୋଚ ଓ ରନ୍ଧା ମଦ ଜବତ
/sambad/media/post_attachments/wp-content/uploads/2018/07/arjuna-excise1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)