ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା ଘଟଣାର ମୁଖ୍ୟଅଭିଯୁକ୍ତ ରାଜକୁମାର ବେହେରାର ଆତ୍ମସମର୍ପଣ

ଭୁବନେଶ୍ବର: ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣାର ମାଷ୍ଟରମାଇଣ୍ଡ ଅଦାଲତରେ ଆତ୍ମସମର୍ପଣ କରିଛି । ଦିନଦ୍ବିପହରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀ  ରାଜକୁମାର ବେହେରା ଆତ୍ମସମର୍ପଣ କରିଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ସେ ଆତ୍ମସମର୍ପଣ କରିଛି । ରାଜକୁମାରକୁ ଧରିବାକୁ ୪ ଜିଲ୍ଲାରେ ପୁଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଥିଲା । ତେବେ ହତ୍ୟା ପଛର ମୁଖ୍ୟ ଷଡଯନ୍ତ୍ରକାରୀକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବ ପୋଲିସ ।ଏନକାଉଣ୍ଟର ଭୟରେ ଅଭିଯୁକ୍ତ ଆତ୍ମସପର୍ମଣ କରିଥିବା ସନ୍ଦେହ କରାଯାଉଛି ।

ତେବେ ଗତ ୪ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ମୁଣ୍ଡ ଗଡିଥିଲା । ଜଣେ ମିଠା ଦୋକାନୀ ଜମ୍ମୁ ସାହୁଙ୍କୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଯାହାର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ହତ୍ୟାକାରୀକୁ ଗିରଫ ଦାବିରେ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ଜମ୍ବୁ ‘ରଥି’ ନାମକ ମିଠା ଦୋକାନରେ କାମ କରୁଥିଲେ। ସେଠାରୁ କାମ ଛାଡ଼ିବା ପରେ ବଳରାମ ସୁଇଟ୍ସକୁ ଯାଇଥିଲେ। ତେବେ ବଳରାମ ସୁଇଟ୍ସରୁ କାମ ଛାଡ଼ିବା ପରେ ହିଁ ସେ ମାଲିକ ଶତ୍ରୁ ପାଲଟି ଯାଇଥିଲେ। ଦୁଇ ଦୁଇ ଥର ଆକ୍ରମଣ କରିବା ସହ ଭୁବନେଶ୍ବର ଛାଡ଼ି ଚାଲି ଯିବା ପାଇଁ ଧମକ ଦେଇଥିଲେ। ଭୁବନେଶ୍ବର ନ ଛାଡ଼ିଲେ ଦୁନିଆ ଛାଡ଼ିବାକୁ ପଡ଼ିବ ବୋଲି ମଧ୍ୟ ବଳରାମ ସୁଇଟ୍ସ ମାଲିକ କହିଥିଲେ ବୋଲି ମିନତି କହିଛନ୍ତି। ତେଣୁ ଜମ୍ବୁ ହତ୍ୟାକାଣ୍ଡରେ ବଳରାମ ସୁଇଟ୍ସ ମାଲିକଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଅଥଚ ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଜମ୍ବୁ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ରହିଥିବାରୁ ଓ ତା’ର ଭଲ ଗୁଣ ଯୋଗୁଁ ଅନେକଙ୍କର ନିକଟତର ‌ହୋଇପାରିଥିଲେ। ଭଲ ମିଠା ମିସ୍ତ୍ରି ହୋଇଥିବାରୁ ତାଙ୍କ ବେପାର ଭଲ ଚାଲିଥିଲା। ‌ଫୋନ୍‌ କଲ୍‌ରେ ସେ ମିଠା ନେଇ ଘରେ ପହଞ୍ଚି ଯାଉଥିଲେ। ଏଣୁ ତାଙ୍କ ଲୋକପ୍ରିୟତା ଓ ବେପାର ବଢ଼ିବା ଦେଖି ପୁରୁଣା ଦୋକାନୀର ରାଗ ବଢ଼ିଥିଲା ଓ ସେହି ରାଗରେ ଜମ୍ବୁଙ୍କୁ ସେ ହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର