ପୁରୁଣା ଭୁବନେଶ୍ବର : ଏକାମ୍ରକ୍ଷେତ୍ରର ଐତିହ୍ୟ, କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ବିଏମ୍ସି ଆଉ ଏକ ଭଲ ପଦକ୍ଷେପ ଗ୍ରହଣ କରିଛି। କୀର୍ତ୍ତିରାଜିକୁ ସୁରକ୍ଷା ଦେବା ସହ ଶ୍ରଦ୍ଧାଳୁଙ୍କ ଭାବବେଗକୁ ସମ୍ମାନ ଜଣାଇ ମନ୍ଦିର କଡ଼ରୁ ଡ୍ରେନ୍ ହଟାଇବାକୁ ନିଷ୍ପତ୍ତି ହୋଇଛି। ଏକାମ୍ର ବିକାଶ ଯୋଜନାରେ ଐତିହ୍ୟସଂପନ୍ନ ସଂପୂର୍ଣ୍ଣ ଜଳେଶ୍ବର ମନ୍ଦିର ନିକଟରୁ ମୁଖ୍ୟ ଡ୍ରେନ୍ ୭କୁ ହଟାଇ ମୋଡ଼ ବଦଳାଯିବ। ଏନେଇ ମାପଚୁପ ଶେଷ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ମୁଖ୍ୟ ଡ୍ରେନ୍-୭ ଓୟୁଏଟି ନିକଟରୁ ବାହାରି ବିମାନବନ୍ଦର, ନବୀନ ନିବାସ କଡ଼ ଦେଇ ପୁରୁଣା ଭୁବନେଶ୍ବରକୁ ଆସିଛି। ଡ୍ରେନ୍ଟି ସାନେଟେରିୟମ୍ ଛକ, କେଦାରଗୌରୀ ଛକ, କୋଟି ତୀର୍ଥେଶ୍ବର ଗଳି ଦେଇ ଜଳେଶ୍ବର ମନ୍ଦିର କଡ଼ ଦେଇ ଗଙ୍ଗୁଆରେ ମିଶିଛି। ତେବେ ବିଏମ୍ସି ପକ୍ଷରୁ କେଦାରଗୌରୀ ଛକରୁ ଏହି ଡ୍ରେନ୍ର ମୋଡ଼ ବଦଳାଯିବାକୁ ଯୋଜନା ହୋଇଛି। କେଦାରଗୌରୀ ରାସ୍ତା ମଧ୍ୟ ଦେଇ ଏହା ଗଙ୍ଗୁଆକୁ ସଂଯୋଗ କରାଯିବ। କେଦାରଗୌରୀ ରାସ୍ତାରେ ଥିବା ଡ୍ରେନ୍କୁ ଅଧିକ ଚଉଡ଼ା କରାଯିବା ପାଇଁ ବିଏମ୍ସି କମିସନର ସଞ୍ଜୟ କୁମାର ସିଂ ପଦକ୍ଷେପ ନେଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ମୁଖ୍ୟ ଡ୍ରେନ୍ କଡ଼ରେ ଥିବା ମନ୍ଦିରର ନାଁ ସମ୍ପୂର୍ଣ୍ଣ ଜଳେଶ୍ବର ମନ୍ଦିର। ଏହାର ନିକଟରେ ଏକ ତାରିଣୀ ମନ୍ଦିର ମଧ୍ୟ ରହିଛି। କିଂବଦନ୍ତି ଅନୁଯାୟୀ, ଏଠାରେ ମହାଦେବ ଜଳରେ ବୁଡ଼ି ରହୁଥିଲେ। ମହାଦେବଙ୍କ ଉପରେ ଏକ ଝରଣା ବହୁଥିଲା। ତେଣୁ ଏହି ମନ୍ଦିରର ଏପରି ନାମକରଣ (ସଂପୂର୍ଣ୍ଣ ଜଳେଶ୍ବର) ହୋଇଥିବା କୁହାଯାଏ। ଏବେ ମହାଦେବଙ୍କ ମନ୍ଦିର କଡ଼ରେ ରାଜଧାନୀର ଯାବତୀୟ ଆବର୍ଜନା ପାଣି, ଡ୍ରେନ୍, ସ୍ବେରେଜ୍ ଟାଙ୍କିର ମଇଳା ଯାଉଛି। ଏମିତି ଦୁର୍ଗନ୍ଧ ହେଉଛି ଯେ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ନାକ ଫାଟି ପଡ଼ୁଛି। ଏହି ମନ୍ଦିର ପଛ ପାର୍ଶ୍ବରେ ଏକାମ୍ର ଯୋଜନାରେ ନୂଆ ନିର୍ମାଣ ପାଇଁ ସବୁ ଭାଙ୍ଗିରୁଜି ସଫା କରି ଦିଆଯାଇଛି।