‘ମାଇପି ମେଳା’ରେ ୫୦ ହଜାର ଭକ୍ତ

ବାଲିପାଟଣା: ବାଲିପାଟଣା ବ୍ଲକ ନରିଶୋ-ଛିଟିକଣା ମୌଜାର ବନବିହାରୀଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ‘ମାଇପି ମେଳା’। ଶ୍ରଦ୍ଧା ଓ ଭକ୍ତିଭାବନାର ସହ ଆରମ୍ଭ ହୋଇଥିବା ମେଳାଟି ୩ଦିନ ଧରି ଚାଲିବ। ଧର୍ମୀୟ ଭାବନାରେ ଏହା ଏକ ନିଆରା ମେଳା। ବୃକ୍ଷଦେବତାଙ୍କ ପୂଜାରେ ମହିଳାମାନେ ପ୍ରମୁଖ ଭୂମିକା ନେଉଥିବାରୁ ଏହାକୁ ‘ମାଇପି ମେଳା’ କୁହାଯାଉଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ କେଉଁ ଆବାହମାନ କାଳରୁ ଚାଲିଆସୁଅଛି ପ୍ରସିଦ୍ଧ ‘ମାଇପି ମେଳା’। ଶହଶହ ବର୍ଷ ଧରି ଏଠାରେ ଥିବା ଏକ ଅଚିହ୍ନା ଗଛ, ଶଗଡ଼ ବାଟୁଆ ଓ କଣ୍ଟାକୋଳିର ବିରାଟ ଲଟାକୁ ପ୍ରଭୁ ‘ବନବିହାରୀ’ଙ୍କ ରୂପରେ ପୂଜା କରାଯାଇଥାଏ। ‘ବନବିହାରୀ’ଙ୍କ ଆଶୀର୍ବାଦ ତଥା ମାନସିକ ପୂରଣ ଲାଗି ଖୋର୍ଧା, କଟକ, ପୁରୀ ଓ ଜଗତ୍‌ସିଂପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ମେଳାରେ ଜମିଥିଲା। ବୁଧବାର ରାତି ପ୍ରାୟ ୩ଟାରୁ ୬୭ଜଣ ମହିଳା ଓ ୫ଜଣ ପୁରୁଷ ମୋଟ ୭୨ଜଣ ଶ୍ରଦ୍ଧାଳୁ ସେମାନଙ୍କ ମନସ୍କାମନା ପୂରଣ ପାଇଁ ପ୍ରଭୁ ‘ବନବିହାରୀ’ଙ୍କ ନିକଟରେ ଅଧିଆ ପଡ଼ିଥିଲେ। ପରମ୍ପରା ଅନୁଯାୟୀ ରାତି ଅଧରୁ ଅଧିଆ ପଡ଼ୁଥିବା ଭକ୍ତମାନେ ଗାଧୁଆପାଧୁଆ ସହ ନୂତନ ବସ୍ତ୍ର ପରିଧାନ କରି ନଡ଼ିଆ, ଗୁଆ ମୁଣ୍ଡ ଉପରେ ରଖି ମାନସିକ କରିଥିଲେ। ଆଜି ଦ୍ୱିପ୍ରହରରେ ପୂଜକ ସେମାନଙ୍କୁ ଜଳ, ତୁଳସୀ ଦେଇ ଅଧିଆରୁ ଉଠାଇଥିଲେ। ଏହାପରେ ପୀଠରେ ଚୂଡ଼ାଘଷା ଭୋଗ ଲାଗି ହୋଇଥିଲା। ମେଳାକୁ ଆସୁଥିବା ମହିଳା ଓ ଶ୍ରଦ୍ଧାଳୁମାନେ ଦିନସାରା ଉପବାସ ରହି ବିଧି ମୁତାବକ ପ୍ରଭୁ ‘ବନବିହାରୀ’ଙ୍କୁ ପୂଜା କରନ୍ତି। ଏଥିସହ ଚୂଡ଼ାଘଷା ଭୋଗ ଓ ପତାକା ଦାନ କରିବା ପରେ ଅନ୍ନଜଳ ସ୍ପର୍ଶ କରନ୍ତି। ଏଠାରେ ମାନସିକ କଲେ ଅପୁତ୍ରିକ ପୁତ୍ରବତୀ ଓ ଦୁରାରୋଗ୍ୟରେ ପୀଡ଼ିତ ରୋଗୀ ଆରୋଗ୍ୟ ଲାଭ କରୁଥିବା ବିଶ୍ୱାସ ରହିଛି। ଆଜି ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଳା ପଡ଼ିଆ ଉତ୍ସବମୁଖର ହୋଇ ଉଠିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବାଲିପାଟଣା ପୁଲିସ୍‌ ଓ ବନବିହାରୀ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର