ପୁରୁଣା ଭୁବନେଶ୍ୱର: ଆଜି ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ମାମୁ ମୈତ୍ରେଶ୍ବର ଭଣଜା ଲିଙ୍ଗରାଜଙ୍କୁ ନୂଆବସ୍ତ୍ର ପିନ୍ଧାଇ ପଢ଼ୁଆଁ କରିଛନ୍ତି। ଏଥିପାଇଁ ଆଜି ଉଭୟ ମାମୁଘର ଶ୍ରୀମୈତ୍ରେଶ୍ୱର ମନ୍ଦିର ଓ ଲିଙ୍ଗରାଜଙ୍କ ମନ୍ଦିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଭଣଜା ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଟୁଆରରେ ଯାତ୍ରା କରି ମାମୁ ଘରେ ପଢ଼ୁଆଁ ହୋଇଛନ୍ତି। ଭଣଜା ଲିଙ୍ଗରାଜଙ୍କୁ ସ୍ବାଗତ କରିବା ଓ ନୂତନ ବସ୍ତ୍ର ଦେଇ ପଢ଼ୁଆଁ ନୀତି ସମାପନ କରିବା ପାଇଁ ଆଜି ମନ୍ଦିର ସେବାୟତମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ସନ୍ଧ୍ୟାରେ ଏହି ନୀତି ମହାଆଡ଼ମ୍ବର ସହକାରେ ସମାହିତ ହୋଇଥିଲା। ଆଜି ଲିଙ୍ଗରାଜ ମନ୍ଦିରରେ ସକାଳୁ ଦିପହର ଯାଏ ଯଥାରୀତି ପୂଜାର୍ଚ୍ଚନା, ଧୂପ ଓ ଆଳତି ଆଦି ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବସୁଦେବଙ୍କୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ମାମୁଘର ମୈତ୍ରେଶ୍ବର ମନ୍ଦିର ଅଭିମୁଖେ ପଟୁଆରରେ ନିଆଯାଇଥିଲା।
ରାତି ପ୍ରାୟ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନ୍ୟ ଦେବଦେବୀମାନେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ବର ମନ୍ଦିରରେ ପହଞ୍ଚିଥିଲେ। ଏହା ପୂର୍ବରୁ ମାମୁଘର ପରିସରକୁ ବଭିନ୍ନ ଫୁଲ ଓ ରଙ୍ଗୋଲିରେ ସଜ୍ଜିତ କରାଯାଇଥିଲା। ଭଣଜା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଟୁଆରକୁ ମୈତ୍ରେଶ୍ବର ମନ୍ଦିର ସମ୍ମୁଖ ରଙ୍ଗୋଲିରେ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ସବୁ ଦେବଦେବୀଙ୍କୁ ଶ୍ରୀମୈତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେଶନ କରାଯାଇଥିଲା। ଏହାପରେ ପବିତ୍ର ପାପନାଶିନୀ ପୁଷ୍କରିଣୀର ଶୁଦ୍ଧ ସଂସ୍କାରିତ ଜଳରେ ଦେବଦେବୀଙ୍କ ସ୍ନାନ ବିଧି ସମାହିତ ହୋଇଥିଲା। ଏହାପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ବସ୍ତ୍ର ପରିଧାନ ବିଧି ସଂପନ୍ନ ହୋଇଥିଲା। ପୂଜାପଣ୍ଡା ସେବାୟତମାନେ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରିବା ସହ ମାମୁ ଭଣଜାଙ୍କୁ ମୁଆଁ ଭୋଗ ଲାଗି କରି ଭେଟ ଆଳତି କରିଥିଲେ। ପ୍ରଭୁଙ୍କ ପଢ଼ୁଆଁ ବିଧି ସରିବା ପରେ ଶ୍ରୀଜିଉ ପ୍ରତ୍ୟାବର୍ତ୍ତନ କରିଥିଲେ। ବାଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଇଁ ମା’ କପାଳୀ ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ଏହାପରେ ସମସ୍ତ ଦେବଦେବୀ ପୁଣି ପଟୁଆରରେ ମନ୍ଦିରକୁ ଫେରିଥିଲେ। ସେହିପରି ଆଜି ଶ୍ରୀକପିଳନାଥ ମଧ୍ୟ ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତସାହି ଛକ ନିକଟସ୍ଥ ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ନୂଆ ବସ୍ତ୍ର କପିଳନାଥ ମନ୍ଦିରକୁ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/13/adgaddg-2025-11-13-02-38-04.jpg)