ଭୁବନେଶ୍ୱର: ଲୋକଙ୍କୁ ରାସନ୍ ଯୋଗାଇବା ପାଇଁ ଦାୟିତ୍ବ ନେଇଥିବା ସହିଦନଗରସ୍ଥିତ ମୈତ୍ରୀ ଷ୍ଟୋର୍ ମନମାନି କରୁଛି। ସାମଗ୍ରୀ ଥିଲେ ମଧ୍ୟ ଲୋକଙ୍କୁ ମନା କରିଦେଉଛି। ଦୀର୍ଘ ଦିନ ଧରି ଏଭଳି ହଇରାଣ କରିବା ପରେ ଆଜି ୨ରୁ ୩ଶହ ଲୋକ ଭୁବନେଶ୍ବର ମେୟର୍ ସୁଲୋଚନା ଦାସଙ୍କୁ ଅବଗତ କରାଇଥିଲେ। ଖବର ପାଇ ମେୟର ଷ୍ଟୋର୍ ନିକଟରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଷ୍ଟୋର୍ ସାମ୍ନାରେ ବସି ରହିବା ପରେ ଏଜେଣ୍ଟ ସମସ୍ତଙ୍କୁ ସାମଗ୍ରୀ ପ୍ରଦାନ କରିଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଷ୍ଟୋର୍ ଏଜେଣ୍ଟ ସମେତ ମ୍ୟାନେଜର୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଏହି ଷ୍ଟୋର୍ ରହିଛି। କିନ୍ତୁ ସାଧାରଣ ଲୋକ ବିଏମ୍ସି ଭାବୁଥିବାରୁ ବିଏମ୍ସି ନିନ୍ଦିତ ହୋଇଛି। ମେୟର୍ କହିଛନ୍ତି ଯେ ଏ ଅନିୟମିତତା ସଂପର୍କରେ ସେ ଯୋଗାଣ ବିଭାଗକୁ ଚିଠି ଲେଖିବେ।
ସୂଚନାଯୋଗ୍ୟ, ସହିଦ ନଗରରେ ଥିବା ମୈତ୍ରୀ ଷ୍ଟୋର୍ରୁ ସାମଗ୍ରୀ ନେବା ପାଇଁ ଗତକାଲି ଶତାଧିକ ଲୋକ ପହଞ୍ଚିଥିଲେ। ସାମଗ୍ରୀ ନାହିଁ କହି ଲୋକଙ୍କୁ ଫେରାଇ ଦିଆଯାଇଥିଲା। କିନ୍ତୁ ସନ୍ଧ୍ୟାରେ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ସାମଗ୍ରୀ ଦିଆଯାଇଥିବା କେତେକ ହିତାଧିକାରୀ ଖବର ପାଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ଆଜି ସକାଳୁ ସକାଳୁ ଶହଶହ ଲୋକ ଷ୍ଟୋର୍ ନିକଟରେ ଜମା ହୋଇ ଯାଇଥିଲେ। କିନ୍ତୁ ଦିନ ୧୧ଟା ଯାଏ ଷ୍ଟୋର୍ ଖୋଲି ନଥିଲା। ଏଣୁ ଲୋକେ ସିଧାସଳଖ ମେୟରଙ୍କୁ ଫୋନ୍ କରିଥିଲେ। ମେୟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/52-5.jpg)