ଶ୍ରୀମନ୍ଦିର ନିକଟରୁ ନେପାଳ ଶ୍ରୀ ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ମୈତ୍ରୀ ଯାତ୍ରା ୧୫ରୁ

ଭୁବନେଶ୍ବର : ଆସନ୍ତା ୧୫ତାରିଖରୁ ଶ୍ରୀମନ୍ଦିର ନିକଟରୁ ନେପାଳ ଶ୍ରୀ ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ମୈତ୍ରୀ ଯାତ୍ରା ଆରମ୍ଭ ହେବ। ସ୍ବାମୀ ଦିବ୍ୟାନନ୍ଦଙ୍କ ନେତୃତ୍ବରେ ବିଭିନ୍ନ ବର୍ଗର ୪୦ଜଣ ବିଶିଷ୍ଟ ବ୍ୟକ୍ତି ଯାତ୍ରା କରିବେ। ୨୪ତାରିଖ ଦିନ ଶାଳଗ୍ରାମକୁ ନେଇ ଶ୍ରୀଜଗନ୍ନାଥ ଧାମରେ ପହଞ୍ଚିବେ। ପଶୁପତିନାଥ ଏରିଆ ଡେଭଲୋପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଏଭଳି ମୈତ୍ରୀ ଯାତ୍ରାର ବ୍ୟବସ୍ଥା କରାଯାଇଛି। ଟ୍ରଷ୍ଟର ସଦସ୍ୟ ପ୍ରଦୀପ ଢକାଲ ଓଡ଼ିଶା ଗସ୍ତରେ ଆସି ବ୍ୟକ୍ତିଗତ ଭାବେ ଶ୍ରୀଜଗନ୍ନାଥପ୍ରେମୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।

ଗୁରୁବାର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଢକାଲ କହିଲେ, ସ୍ଥଳପଥରେ ଏହି ଟିମ୍ ନେପାଳ ଗସ୍ତରେ ଯିବ। ବାଟରେ ବିଭିନ୍ନ ଆଧ୍ୟାତ୍ମିକ ପୀଠ ଦର୍ଶନ କରି ନେପାଳରେ ପଶୁପତିନାଥଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବେ। ଏଥିପାଇଁ ‌ପଶୁପତିନାଥ ମନ୍ଦିର ପ୍ରଶାସନ ପକ୍ଷରୁ କାଠମାଣ୍ଡୁରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ଭୂମିରୁ ଏହା ନେପାଳ ପ୍ରତି ସବୁଠାରୁ ବଡ଼ ଅବଦାନ ହେବ ବୋଲି ଶ୍ରୀ ଢକାଲ ସୂଚନା ଦେଇଛନ୍ତି। ସାଧ୍ବୀ କ୍ରିଷ୍ଣାନନ୍ଦ ସରସ୍ବତୀ କହିଲେ, ଏହି ଯାତ୍ରା ଦୁଇ ଦେଶର ସାଧାରଣ ଜନତାଙ୍କୁ ଯୋଡ଼ିବା ସହିତ ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହେବ। ବୃନ୍ଦାବନରେ ଥିବା ଆଶ୍ରମ ଆଧୁନିକ ପ୍ରତିଯୋଗିତାମୂଳକ ଜୀବନଶୈଳୀରେ ପରିବର୍ତନ ଆଣିବା ଲାଗି ଭଗବତ ଗବଷେଣା ଜାରି ରହିଛି। ଭଗବତ ଗୀତାକୁ ପାଥେୟ କରି ସମସ୍ତେ ନିଜ ଜୀବନର ମୂଲ୍ୟବୋଧକୁ ବୁଝିପାରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାତ୍ରା ସଂଯୋଜକ ପରେଶ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର