ଖଣ୍ଡଗିରି : ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଚନ୍ଦକା କୁଜିମହଲରେ ହିଞ୍ଜିଡ଼ା ହାତୀ ମାକ୍ନା ଆତଙ୍କ ଖେଳାଇଛି। କିଛି କ୍ଷୟକ୍ଷତି କରିବାକୁ ସୁଯୋଗ ପାଇ ନଥିଲେ ବି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମବାସୀଙ୍କ ହୋ-ହଲ୍ଲା ଓ ବନ ବିଭାଗ କର୍ମଚାରୀଙ୍କ ପାଇଁ ମାକ୍ନା ଜଙ୍ଗଲକୁ ଫେରି ଯାଇଥିଲେ ବି ମଇଁଷି ପାଳକମାନେ ଭୟଭୀତ ହୋଇପଡ଼ିଛନ୍ତି। ହାତୀଟି ଯେମିତି ପୁଣି ଗାଁକୁ ନ ଫେରେ ସେଥିପାଇଁ ବନ କର୍ମଚାରୀମାନେ ପାଟ୍ରୋଲିଂ ଜାରି ରଖିଥିବା ସୂଚନା ଦେଇଛନ୍ତି।
ଆଜି ସନ୍ଧ୍ୟା ପ୍ରାୟ ୭ଟାବେଳେ ମାକ୍ନା କୁଜିମହଲ ବିଦ୍ୟାଳୟ ପରିସରରେ ପଶି କିଛି ସମୟ ଡେରା ପକାଇଥିଲା। ପରେ ମାୟାଧର ସାହୁଙ୍କ ବାଡ଼ିପଟକୁ ଯାଇ ସେଠାରେ ଅପେକ୍ଷା କରିଥିଲା। କିନ୍ତୁ ଏତିକିବେଳେ ଗ୍ରାମବାସୀମାନେ ପାଟି କରିବାରୁ ସେ ପୁଣି ବିଦ୍ୟାଳୟ ହତାକୁ ଫେରି ନିର୍ଭୟରେ ଠିଆ ହୋଇଥିଲା। ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲାଇଟ୍ ପକାଇବା ପରେ ସେ ଧୀରେ ଧୀରେ ଜଙ୍ଗଲ ଆଡ଼କୁ ପଳାଇଥିଲା। ଗାଁ ଭିତରକୁ ପଶିବାକୁ ଉଦ୍ୟମ କରୁଥିବାରୁ ପୁଣି ମଇଁଷି ମାରିବା ଲକ୍ଷ୍ୟରେ ମାକ୍ନା ଆସିଥିଲା ବୋଲି ଅନୁମାନ କରାଯାଉଛି। ଗତ ପ୍ରାୟ ଦେଢ଼ମାସ ହେବ ମାକ୍ନାଟି ଆଠଗଡ଼ ଜଙ୍ଗଲକୁ ଚାଲି ଯାଇଥିଲା ଓ ଏବେ ପୁଣି ଚନ୍ଦକା ଫେରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/makan.jpg-f.jpg)