ରାତି ପାହିଲେ ମକର, କମିନି ଗୁଡ଼ିଉଡ଼ା ପାଗଳାମି

ପୁରୁଣା ଭୁବନେଶ୍ୱର: ମକର ଆସିଲେ, ମନେ ପଡ଼େ ‘ଯା’ରେ ଉଡ଼ି… ଓ ‘ଏ ମୋର ଲଚକମଣି…।’ ମନେ ପଡ଼େ ଗୁଡ଼ି ଉଡ଼ା। ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ଓ ପରିବେଶ ବଦଳିଯିବା ଭଳି କିଛି କାରଣରୁ ଆଜି ଗୁଡ଼ି ଉଡ଼ା କମି ଯାଇଛି ସତ, କିନ୍ତୁ ସତ୍ତା ହରାଇ ନାହିଁ। ପୁରୁଣା ଭୁବନେଶ୍ବରର ମକର ଆକାଶରେ ଆଜି ବି ରଙ୍ଗିନ୍‌ ଗୁଡ଼ି ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳେ। ଘରେ ଘରେ ପିଲାଠାରୁ ବଡ଼ଙ୍କ ପର୍ଯ୍ୟନ୍ତ ଗୁଡ଼ି ଉଡ଼ାଇବା ଭୁଲି ନାହାନ୍ତି ଏହି ଅଞ୍ଚଳରେ। ଗୁଡ଼ି ଉଡ଼ାଇବାର ପାଗଳାମି ଆଜି ବି ପୁରୁଣା ଭୁବନେଶ୍ବରିଆଙ୍କଠାରେ ଦେଖିବାକୁ ମିଳୁଛି। ସେଦିନର ହାତ ତିଆରି ଗୁଡ଼ି ବଦଳରେ ଆଜି ପୁରୁଣା ଭୁବନେଶ୍ବର ଆକାଶରେ ‌ଉତ୍ତରା ପବନରେ ମୁଣ୍ଡ ହଲାଇ ଖେଳୁଛି ନାନାରକମର ଚିକିମିକିଆ ଗୁଡ଼ି। ଦେଶୀ କାଗଜ ଗୁଡ଼ିରୁ ଆରମ୍ଭ କରି ଦକ୍ଷିଣୀ ଓ ବଙ୍ଗୀୟ ଜରି ଗୁଡ଼ି ଓ କପଡ଼ା ଗୁଡ଼ିର ପ୍ରତିଯୋଗିତା ଦେଖିବାକୁ ମିଳୁଛି ପୁରୁଣା ଭୁବନେଶ୍ବରରେ।
ରିପୋର୍ଟ: ଲିଙ୍ଗରାଜ ସାହୁ

ମାଞ୍ଜା ସୂତାକୁ ଭୟ

ମକରରେ ଗୁଡ଼ି ଉଡ଼ାଇବା ପରମ୍ପରା କିଛିଟା ହ୍ରାସ ପାଇଥିଲେ ବି ଲୋପ ପାଇନାହିଁ। କେବଳ ମାଞ୍ଜା ସୂତା ବ୍ୟବହାର ଗତ କିଛି ବର୍ଷ ହେଲା ଲୋକଙ୍କ ପାଇଁ ଭୟର କାରଣ ପାଲଟିଛି। ମାଞ୍ଜା ସୂତା ପ୍ରାଣଘାତକ ହୋଇଛି। ଏଥିରେ କାଚଗୁଣ୍ଡ ବା ଧାତୁଗୁଣ୍ଡ ବୋଳା ହେଉଥିବାରୁ ବିପଦ ସୃଷ୍ଟି କରୁଛି। ସେହିଭଳି ପ୍ଲାଷ୍ଟିକ୍ ସୂତା ମଧ୍ୟ ବିପଦର କାରଣ ହେଉଛି। ଏହି ସୂତା ବ୍ୟବହାର ଉପରେ ନ୍ୟାୟାଳୟ କଟକଣା ଲାଗୁ କରିଛନ୍ତି। ତଥାପି ରାଜଧାନୀରେ କାଚ ବା ଧାତୁ ବୋଳା ସୂତା ଓ ପ୍ଲାଷ୍ଟିକ୍ ସୂତା ବ୍ୟବହାର କରି ଗୁଡ଼ି ଉଡ଼ା ଚାଲିଛି। ଗତ ବର୍ଷ ଲକ୍ଷ୍ମୀସାଗର ଥାନା ତେଲଗୁ ବସ୍ତିର ଜଣେ ୯ ବର୍ଷର ନାବାଳକର ମୃତ୍ୟୁ ଘଟିଥିଲା। ଏକ ଛିଣ୍ଡା ଗୁଡ଼ିର ସୂତା ବେକରେ ଲାଗି ଯିବାରୁ ନାବାଳକର ମୃତ୍ୟୁ ଘଟିଥିଲା। ସେହିପରି ବରମୁଣ୍ଡା ଅଞ୍ଚଳର ଜଣେ ବାଇକ୍‌ ଚାଳକଙ୍କ ବେକରେ ମାଞ୍ଜା ସୂତା ଲାଗିଯିବାରୁ ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଭୀମଟାଙ୍ଗୀ ଅଞ୍ଚଳର ଜଣେ ନାବାଳକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ଗୁଡ଼ି ଏବେ ବି ହେଉଥିବାରୁ ପୁଲିସ ପ୍ରଶାସନ ଏହା ଉପରେ କଡ଼ା ନଜର ରଖିବା ଜରୁରି ବୋଲି ଲୋକେ ଦାବି କରିଛନ୍ତି।

୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ
ଏଥର ପୁରୁଣା ଭୂବ‌ନେଶ୍ବରରେ ଗୁଡ଼ି ବେପାର ଜମିବାରେ ଲାଗିଛି। ଦରଜୀସାହିର ବେପାରୀ ଅମିତ ଶତପଥୀଙ୍କ କହିବା କଥା ଦୈନିକ ସେ ୨ ଶହ ପାଖାପାଖି ଗୁଡ଼ି ବିକ୍ରି କରୁଛନ୍ତି। ତେଣୁ ଚାହିଦାକୁ ଦେଖି ସେ ତାଙ୍କ ଦୋକାନରେ ରଙ୍ଗବେରଙ୍ଗର ସାନବଡ଼ ଗୁଡ଼ି ଗଦା କରିଛନ୍ତି। ଦିଲ୍ଲୀରୁ ଆସୁଥିବା ବବି, ରକେଟ୍‌, ଚେଙ୍ଗ, ଢ଼ାବା, ତୋଫାଳି, ଆଡ଼ି, ପ୍ରିଣ୍ଟ୍‌, ଫିଲ୍ମି, ବାଘ, ତ୍ରିବେଣି, ମୋଦି ଗୁଡ଼ି ଚାହିଦା ଅଧିକ ରହିଛି। ଗୋଟାକୁ ୩୦ ଟଙ୍କାରେ ବିକ୍ରି ହେଉଛି। ତେବେ ଜରି ଗୁଡ଼ି ୫ ଟଙ୍କାରୁ ୧୦ ଟଙ୍କା ଦରରେ ବିକ୍ରି ହେଉଛି। ଅବଶ୍ୟ କଟକରୁ ଆସୁଥିବା ପୁରୁଣା ଦିନର କୁଣ୍ଡ, ପଟାସ୍ୟ, ବବି, ତ୍ରିରଙ୍ଗା, ହରେକ୍‌ ଲାଞ୍ଜ ଭଳି କାଗଜ ଗୁଡ଼ିର ଚାହିଦା ମଧ୍ୟ କିଛି କମ୍ ନାହିଁ। ବେଶି ବିକ୍ରି ହେଉଛି ୫ ଟଙ୍କିଆ ଜରି ଗୁଡ଼ି। ୧୦ ଟଙ୍କିଆ ଢାବା ଗୁଡ଼ିର ଭାଉ ବି କମ୍ ନାହିଁ। ତେବେ ପୋଖତ ଉଡ଼ାଳିମାନଙ୍କ କହିବା କଥା ହେଲା, କାଗଜ ଗୁଡ଼ି ସବୁଠୁ ଆଗରେ। କାଗଜ ଗୁଡ଼ି ଯେଉଁ ବାଗରେ ଉଡ଼ିବ ଆଉ ଲଢ଼ିବ, ତା ପାସଙ୍ଗରେ କେହି ପଡ଼ିବେ ନାହିଁ। ଥରେ ପବନ ଧରିଗଲେ, କାଗଜ ଗୁଡ଼ିର କମାଲ୍‌ ଆଉ କିଏ ଦେଖାଏ! ମାତ୍ର ପୁରୁଣା ଦିନର ପୋଖତ ଗୁଡ଼ି ଉଡାଳି ଆଉ ନାହାନ୍ତି। ନୂଆ ଛୁଆ ଏବେ ମାତିଛନ୍ତି ବୋଲି କହନ୍ତି ଗୁଡ଼ି ବ୍ୟବସାୟୀ। ତେଣୁ ରଙ୍ଗିନ୍‌ ଗୁଡ଼ିର ଆଦର ବଢ଼ିଛି। କିଛି ପିଲା ୨ ଶହ ଟଙ୍କା ଦେଇ କପଡ଼ା ଗୁଡ଼ି କିଣୁଛନ୍ତି।

 

ସମ୍ବନ୍ଧିତ ଖବର