ପୁରୁଣା ଭୁବନେଶ୍ୱର: ଲୋକ କଥା ଅନୁଯାୟୀ ଗୋଖୀବାବାଙ୍କ ପୀଠର ଅଲୌକିକ ଶକ୍ତି ରହିଛି। ଏଠାରେ ନଡ଼ିଆ ଯାଚିଲେ ହଜିବା ଜିନିଷ ମିଳେ ବୋଲି ବିଶ୍ବାସ ରହିଛି। ଚାଷ ଜମିରେ ପୋକ ହେଉ କି ଗାଈଗୋରୁଙ୍କୁ ରୋଗ। କିମ୍ୱା କିଏ ହଜିଗଲେ ପାଇବାକୁ ସ୍ଥାନୀୟ ସୁନ୍ଦରପଦା କପିଳପ୍ରସାଦ ଅଞ୍ଚଳରେ ଏବେବି ବାବାଙ୍କ ଉପରେ ବିଶ୍ୱାସ ବଜାୟ ରହିଛି। ପ୍ରାୟ ୩ଶହ ବର୍ଷ ତଳେ ସୁନ୍ଦରପଦା ନିକଟ ପୋଖରୀପୁଟ ଗ୍ରାମରେ ରହୁଥିଲେ ଗୋଖୀ ଦାସ। ବାଲ୍ୟକାଳରୁ ପିତାମାତାଙ୍କୁ ହରାଇ ଅନାଥ ହୋଇ ଗାଈ ଚରାଇ ଗୁଜରାଣ ମେଣ୍ଟାଉଥିଲେ। ଏକଦା ତିନିଜଣ ସନ୍ଥଙ୍କ ସାନିଧ୍ୟ ତାଙ୍କ ଜୀବନର ଗତିପଥକୁ ପରିବର୍ତ୍ତନ କରି ଦେଇଥିଲା। ତୃଷାର୍ତ ସନ୍ଥତ୍ରୟଙ୍କ ତୃଷ୍ଣା ନିବାରଣ ପାଇଁ ସେମାନଙ୍କ ପରାମର୍ଶରେ ସେ ଗୋଟିଏ ଛଡ଼ା ନିକଟରୁ ଦୁଗ୍ଧ ଦୁହିଁ ସେମାନଙ୍କୁ ପ୍ରଦାନ କଲେ। ଏହି ଘଟଣାରେ ଚକିତ ହୋଇ ଗୋଖୀ ଦାସ ସନ୍ଥତ୍ରୟଙ୍କୁ ଭକ୍ତିପୂତ ପ୍ରଣିପାତ କରି ସେମାନଙ୍କ ସଙ୍ଗରେ ସିଦ୍ଧିଲାଭ ପାଇଁ କେଉଁଆଡ଼େ ଚାଲିଗଲେ। ତେବେ କିଛି ବର୍ଷ ପରେ ଗୋଖୀ ଦାସ ସୁନ୍ଦରପଦା ପ୍ରତ୍ୟାବର୍ତ୍ତନ କଲେ। ତାଙ୍କର ବେଶଭୂଷା ଓ ଚାଲିଚଳଣିରେ ଜଣେ ସିଦ୍ଧ ପୁରୁଷର ଛାପକୁ ଲକ୍ଷ୍ୟକରି ଲୋକେ ତାଙ୍କୁ ଗୋଖୀବାବା ନାମ ଦେଲେ। 

Advertisment

ସେମାନେ ଗ୍ରାମର ସୁନ୍ଦରେଶ୍ୱର ଓ ଦଧିବାମନ ଜୀଉଙ୍କ ମନ୍ଦିର ନିକଟରେ କୁଡ଼ିଆ ନିର୍ମାଣ କରି ତାଙ୍କ ରହିବା ବ୍ୟବସ୍ଥା କଲେ। ସେତେବେଳେ ଭୁବନେଶ୍ୱର ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ସେ ଜଙ୍ଗଲକୁ ଯାଇ ବିଭିନ୍ନ ଚେରମୂଳି ସଂଗ୍ରହ କରୁଥିଲେ। ହଜିଲା ଦ୍ରବ୍ୟ ମିଳିବାରେ ସାହାଯ୍ୟ କରିବା ସହିତ ଗ୍ରାମରୁ ମହାମାରୀ ଆଦି ହଟାଇବାରେ ପଦକ୍ଷେପ ନେଉଥିଲେ। ଏଥିସହ ଗ୍ରାମବାସୀଙ୍କର ବିଭିନ୍ନ ରୋଗବ୍ୟାଧି ପାଇଁ ପରାମର୍ଶ ଦେବା ସହ ଗାଈଗୋରୁଙ୍କ ସମସ୍ୟାର ସମାଧାନ କରୁଥିଲେ। ଏକଦା ଜଣେ ମୁସଲମାନଙ୍କ ଚାଷ ଜମିରେ ଗାଈଗୋରୁ ପ୍ରବେଶ କରୁଥିବାରୁ  ସେ ବାବାଙ୍କୁ ଦୁଃଖ ଜଣାଇଥିଲେ। ଜମିରେ ବାଡ଼ ନ ଦେବାକୁ ବାବା ପରାମର୍ଶ ଦେବା ସହ କୌଣସି ଗାଈଗୋରୁ ଜମିରେ ପ୍ରବେଶ କରିବେ ନାହିଁ ବୋଲି ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ। ସେହିଦିନଠାରୁ ଏପର୍ଯ୍ୟନ୍ତ ସେହି ଜମିରେ ଗାଈଗୋରୁ ଚରିବାର କେହି ଦେଖିନାହାନ୍ତି ବୋଲି ପୁରୁଖା ବ୍ୟକ୍ତିମାନେ କୁହନ୍ତି। ଏପରି ଅନେକ ଅଲୌକିକ ଘଟଣା ଯୋଗୁଁ ତାଙ୍କୁ ଲୋକେ ଭକ୍ତି ଓ ପୂଜା କରିଥାନ୍ତି। ଏବେବି ଲୋକେ ବିଶ୍ୱାସ କରି ସମସ୍ୟା ସମାଧାନ ପାଇଁ ନଡ଼ିଆ ପୂଜା କରି ତାଙ୍କୁ ଗୁହାରି କରନ୍ତି। 

କୁଆଡ଼େ ଗଲେ ଗୋଖୀବାବା
ଦିନେ ଗୋଖୀବାବା ଗ୍ରାମବାସୀଙ୍କ ନିକଟରେ ପ୍ରସ୍ତାବ ରଖିଲେ ସେ ଗୃହରୁଦ୍ଧ କରି ତପସ୍ୟା କରିବେ। କେହି ଦ୍ୱାର ନଖୋଲିବାକୁ ବାବା ପରାମର୍ଶ ଦେଇଥିଲେ। ମାତ୍ର ତିନି ଦିନ ବିତିବା ପରେ ଗ୍ରାମବାସୀ ବିଚଳିତ ହୋଇ କବାଟ ଖୋଲିବା ମାତ୍ରେ ବାବା ଭୂମିରୁ ୨ଫୁଟ ଉଚ୍ଚରେ ତପସ୍ୟାରତ ଥିବା ଦେଖିଥିଲେ। ଜଣେ ଭକ୍ତ ତାଙ୍କୁ ସ୍ପର୍ଶ କରିବା ମାତ୍ରେ ସେ ଟଳିପଡ଼ିଲେ। ବାବା ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସେହି ସ୍ଥାନରେ ତାଙ୍କର ଏକ ସମାଧି ତିଆରି କରିବାକୁ ଗ୍ରାମବାସୀଙ୍କୁ କହିଥିଲେ। କିନ୍ତୁ ସେହିଦିନ ପୁରୀ ଯାଇଥିବା କେତେକ ଗ୍ରାମବାସୀ ବାବାଙ୍କୁ ଦେଖିଥିବା ସହ କେତେଜଣ ଖଣ୍ଡଗିରିରେ ମଧ୍ୟ ବାବାଙ୍କୁ ଦେଖିଥିଲେ। ସେମାନେ ଗ୍ରାମକୁ ଫେରି ବାବାଙ୍କ ଦେହତ୍ୟାଗ ବିଷୟ ବିଶ୍ୱାସ କରିପାରିଲେ ନାହିଁ। 

ଜମିବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବାବାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ସୁନ୍ଦରପଦା ଗୋଖିବାବା ମନ୍ଦିରରେ ମକର ସଂକ୍ରାନ୍ତି ପୂର୍ବ ଦିନଠାରୁ ୯ ଦିନ ଧରି ମକର ଉତ୍ସବ ପାଳନ ହେଉଛି। ଆସନ୍ତା ୧୩ତାରିଖରୁ ମେଳା ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ପାଣିତୋଳା ଓ ଭାଗବତ ପାଠ ସହ ଭଜନ ସମାରୋହ କରାଯିବ। ୧୪ ତାରିଖ ମକର ସଂକ୍ରାନ୍ତି ତିଥିରେ ଗାଦିପୂଜା, ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ। ୧୫ତାରିଖରେ ନାଟକ ‘କର୍ଣ୍ଣ ଖୋଜୁଛି ତା ନିଜ ଠିକଣା’ ୧୬ରେ ‘ଛାତି ଭିଜିଗଲା ଆଖି ଲୁହରେ’ ଅନୁଷ୍ଠିତ ହେବ। ସେହିପରି ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ଭାଗବତ ପାରାୟଣ, ପ୍ରବଚନ ଓ ଗୀତା ଯଜ୍ଞ କରାଯିବ। ଏହି ଅବସରରେ ୨୧ତାରିଖରେ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହେବ।