ଆଜିଠୁ ଗୋଖିବାବା ପୀଠରେ ମକର ମେଳା, ନଡ଼ିଆ ଯାଚିଲେ ହଜିଲା ଜିନିଷ ଫେରେ

ବନ୍ଧ୍ୟା ଗାଈକୁ ଦୁହିଁଥିଲେ ଗୋଖିବାବା, ଅନ୍ତର୍ଦ୍ଧାନର ରହସ୍ୟମୟ କାହାଣୀ

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖରୁ ସୁନ୍ଦରପଦାସ୍ଥିତ ଗୋଖିବାବା ପୀଠରେ ନବ ଦିନବ୍ୟାପୀ ପବିତ୍ର ମକର ମେଳା ଆରମ୍ଭ ହେବ। ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରସିଦ୍ଧ ମେଳାରେ ପ୍ରତ୍ୟେକ ଦିନ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୪ ତାରିଖ ମକର ସଂକ୍ରାନ୍ତି ତିଥିରେ ଗାଦି ପୂଜା, ଯଜ୍ଞ ଓ ନାମ ସଂକୀର୍ତନ କରାଯିବ। ପରେ ପରେ ପର୍ଯ୍ୟାୟକ‌୍ରମେ ହନୁମାନ ଚାଳିଶା ପାଠ, ଭାଗବତ ପାରାୟଣ ଓ ଶେଷରେ ୨୧ ତାରିଖରେ ସାଧୁ ସମ୍ମିଳନୀ ଆୟୋଜନ କରାଯିବ। ଏଥିପାଇଁ ମେଳା ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ଦିଆଯାଇଛି।

ବନ୍ଧ୍ୟା ଗାଈକୁ ଦୁହିଁଥିଲେ ଗୋଖିବାବା
ଲୋକକଥାରେ ଗୋଖିବାବାଙ୍କ ବାବଦରେ ବହୁ ଆଲୌକିକ କାହାଣୀ ରହିଛି। ପ୍ରାୟ ୩ ଶହ ବର୍ଷ ତଳେ ସୁନ୍ଦରପଦା ନିକଟ ପୋଖରୀପୁଟ ଗାଁରେ ରହୁଥିଲେ ଗୋଖି ଦାସ। ବାଲ୍ୟକାଳରୁ ଅନାଥ ଗୋଖି ଦାସ ଗାଈ ଚରାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଏକଦା ତିନି ଜଣ ସନ୍ଥଙ୍କର ସାନିଧ୍ୟ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ସନ୍ଥ ତ୍ରୟଙ୍କ ପରାମର୍ଶରେ ଗୋଖି ଦାସ ଏକ ବନ୍ଧ୍ୟା ଗାଈକୁ ଦୁହିଁଥିଲେ ଓ ଲବ୍ଧ ଦୁଗ୍ଧକୁ ସନ୍ଥମାନଙ୍କୁ ଦେଇଥିଲେ। ସନ୍ଥମାନଙ୍କ ଅଲୌକିକ କାଣ୍ଡ ଦେଖି ଗୋଖିବାବା ସେମାନଙ୍କ ସହ ଚାଲି ଯାଇଥିଲେ। କିଛି ବର୍ଷ ପରେ ସେ ସିଦ୍ଧି ଲାଭ କରି ପୁଣି ଗାଁକୁ ଫେରିଥିଲେ ଓ ସୁନ୍ଦରପଦା ଗାଁର ସୁନ୍ଦରେଶ୍ୱର ଓ ଦଧୀବାମନ ଜୀଉଙ୍କ ମନ୍ଦିର ନିକଟରେ କୁଡ଼ିଆ ନିର୍ମାଣ କରି ରହିଥିଲେ। ଚେରମୂଳୀ ଔଷଧ ବଳରେ ସେ ରୋଗୀମାନଙ୍କୁ ଆରୋଗ୍ୟ କରାଇ ପାରୁଥିଲେ ଓ ମହମାରୀକୁ ବି ଅଟକାଇ ପାରୁଥିଲେ। ସେ କୌଣସି ଗୋଟିଏ ଧର୍ମରେ ସୀମିତ ନଥିଲେ। ମୁସଲିମ୍‌ ସମ୍ପ୍ରଦାୟର ଲୋ‌କେ ମଧ୍ୟ ତାଙ୍କୁ ଭକ୍ତି କରୁଥିଲେ। ଏକଦା ଜଣେ ମୁସଲମାନଙ୍କ ଚାଷ ଜମିକୁ ସେ ନିଜ ଶକ୍ତି ବଳରେ ବୁଲା ଗାଈଗୋରୁଙ୍କ କବଳରୁ ରକ୍ଷା କରିଥିଲେ। ବାଡ଼ ନ ଥାଇ ମଧ୍ୟ ଗାଈଗୋରୁମାନେ ଉକ୍ତ ଜମିରେ ପଶୁନଥିଲେ। ଏପରି ଅନେକ ଅଲୌକିକ ଘଟଣା ଯୋଗୁଁ ତାଙ୍କୁ ଲୋକେ ଭକ୍ତି ଓ ପୂଜା କରି ଆସୁଛନ୍ତି। ନଡ଼ିଆ ଯାଚିଲେ, ଲୋକେ ତାଙ୍କ ହଜିଲା ଜିନିଷ ଫେରି ପାଆନ୍ତି ବୋଲି ଆଜି ବି ବିଶ୍ବାସ କରାଯାଏ।

ଅନ୍ତର୍ଦ୍ଧାନର ରହସ୍ୟମୟ କାହାଣୀ
ଗୋଖିବାବାଙ୍କ ଅନ୍ତର୍ଦ୍ଧାନକୁ ନେଇ ମଧ୍ୟ ରହସ୍ୟମୟ କଥା ରହିଛି। ଦିନେ ସେ ଗୃହକୁ ରୁଦ୍ଧ କରି ତପସ୍ୟା ରତ ରହିଲେ। ଉକ୍ତ ରୁଦ୍ଧ କୋଠରୀର ଦ୍ୱାର ନ ଖୋଲିବାକୁ ସେ ଗାଁ ଲୋକଙ୍କୁ କହିଥିଲେ। ବିନା ସୋରଶବ୍ଧରେ ତିନି ଦିନ ବିତି ଯିବାରୁ ଗ୍ରାମବାସୀମାନେ ବିଚଳିତ ହୋଇ କବାଟ ଖୋଲି ଦେଇଥିଲେ। ସେତେବେଳକୁ ଗୋଖିବାବା ଭୂମିରୁ ୨ଫୁଟ ଉଚ୍ଚରେ ଶୂନ୍ୟରେ ରହି ତପରତ ଥିଲେ। ଜଣେ ଭକ୍ତ ତାଙ୍କୁ ସ୍ପର୍ଶ କରିବା ମାତ୍ରେ ସେ ଟଳିପଡ଼ିଲେ। ଗ୍ରାମବାସୀମାନେ ସେହିଠାରେ ତାଙ୍କୁ ସମାଧି ଦେଇଥିଲେ। କିନ୍ତୁ ସେହିଦିନ ସନ୍ଧ୍ୟାରେ ଶୁଣାଗଲା ଅବିଶ୍ବସନୀୟ କଥା। ପୁରୀରୁ ଫେରିଥିବା କିଛି ଗ୍ରାମବାସୀ ବାବାଙ୍କୁ ପୁରୀରେ ଦେଖିଥିବା କହିଲେ। ସେହିଭଳି କିଛି ଲୋକ ତାଙ୍କୁ ଖଣ୍ଡଗିରିଠାରେ ମଧ୍ୟ ଦେଖିଥିବା କହିଲେ। ଗ୍ରାମବାସୀମାନେ ଯେଉଁ ସମୟ‌ରେ ତାଙ୍କୁ ସମାଧିସ୍ଥ କରୁଥିଲେ, ଠିକ୍‌ ସେହି ସମୟରେ ସେହି ଗାଁର ଲୋକେ ତାଙ୍କୁ ପୁରୀରେ ଓ ଖଣ୍ଡଗିରିରେ ବୁଲୁଥିବା ଦେଖିଥିଲେ। ସେହିଦିନରୁ ଲୋକେ ବାବାଙ୍କୁ ଏକ ଅବତାର ବୋଲି ଗ୍ରହଣ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର