ଭୁବନେଶ୍ବର: ହଠାତ୍‌ ରାଜଧାନୀ ଆକାଶରେ ଘୋଟି ଆସିଲା ଯୁଦ୍ଧର ବାଦଲ। ସୁରକ୍ଷା ଦେବା ଲାଗି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭାରତୀୟ ସେନା, ସ୍ଥାନୀୟ ପୁଲିସ, ଅଗ୍ନିଶମ ବାହିନୀ, ସିଆର୍‌ପିଏଫ୍‌ ସାଇରନ୍‌ ବଜାଇ ଲୋକଙ୍କୁ ସତର୍କ କରାଇଥିଲେ। ସାଇରନ୍‌ ବାଜୁବାଜୁ ଆକାଶମାର୍ଗରେ ଗର୍ଜିଥିଲା ଯୁଦ୍ଧ ବିମାନ। ଶତ୍ରୁ ପକ୍ଷରୁ ହୋଇଥିଲା ଘନଘନ ରକେଟ୍‌, ମିଜାଇଲ୍‌ ଓ ବିଧ୍ବସଂକାରୀ ବୋମା ମାଡ଼। ହଜାର ହଜାର ଲୋକ ମୃତାହତ ହୋଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ସେନା ଓ ସୁରକ୍ଷାକର୍ମୀ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପ୍ରସ୍ତୁତ ଥିବା ଆମ୍ବୁଲାନ୍‌ସରେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। 

Advertisment

ସେହିଭଳି ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଲାଗିପଡ଼ିଥିଲା। ମାତ୍ର ଏସବୁ ଥିଲା କୃତ୍ରିମ। କିନ୍ତୁ ବାସ୍ତବ ଯୁଦ୍ଧର ଭ୍ରମ ସୃଷ୍ଟି କରୁଥିଲା। ପହଲଗାମରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନଙ୍କ ହତ୍ୟାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧର ମୁକାବିଲା ପାଇଁ ପ୍ରସ୍ତୁତି। ‘ଅପରେସନ୍‌ ସିନ୍ଦୂର’ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଥିବାରୁ ଆଜି କମିସନରେଟ୍‌ ପୁଲିସ, ସିଆର୍‌ପିଏଫ୍‌, ଅଗ୍ନିଶମ ବ‌ାହିନୀ ଓ ବିଏମ୍‌ସି ପକ୍ଷରୁ ଏଭଳି ଏକ ମକ୍‌ ଡ୍ରିଲ୍‌ କରାଯାଇଥିଲା। ବିଶେଷକରି ଏୟାର୍‌ଷ୍ଟ୍ରାଇକ୍‌ ବେଳେ ଲୋକେ କିଭଳି ସୁରକ୍ଷିତ ରହିବେ, ଜନସାଧାରଣଙ୍କୁ ସେକଥା ଶିଖାଇବା ପାଇଁ ଆଜି ରାଜଧାନୀରେ ଏହି ମକ୍‌ ଡ୍ରିଲ୍‌ କରାଯାଇଥିଲା। ବୁଧବାର ଅପରାହ୍ଣ ଠିକ୍‌ ୪ଟା। ରାଜମହଲ ଛକରେ ବାଜି ଉଠିଥିଲା ସାଇରନ୍‌। କ’ଣ ହେଲା ଭାବି ଲୋକମାନେ ବାହାରକୁ ଜନପଥ ଉପରକୁ ଧାଇଁ ଆସିଥିଲେ।

ଯେଉଁଆଡ଼େ ଦେଖିଲେ ସବୁଠି ଖାଲି ପୁଲିସ, ଯବାନ ଓ ଅଗ୍ନିଶମ ବାହିନୀ ଛାଉଣି ହୋଇଥାଆନ୍ତି। ଶତ୍ରୁପକ୍ଷ ଆକ୍ରମଣ କରିବା ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇ ସୁଦୃଢ଼ ଅଟ୍ଟାଳିକା ତଳେ ଲୁଚି ଯିବାକୁ କୁହାଯାଇଥିଲା। ହେଲେ ପୁଲିସ ସାଇରନ୍‌ ବାଜୁବାଜୁ ଆକାଶ ମାର୍ଗରୁ ଲାଗଲାଗ ୧୨ଟି ବୋମା, ରକେଟ୍‌, ମିଜାଇଲ୍‌ ମାଡ଼ ହୋଇଥିଲା। ଆଗ୍ନେୟାସ୍ତ୍ର ବିସ୍ଫୋରଣ ହେବା ମାତ୍ରେ ଲୋକମାନେ ଜୀବନ ବିକଳରେ ଧାଇଁଥିଲେ। କିଏ ରାସ୍ତାରେ ଶୋଇପଡ଼ିଲା ତ କିଏ କୋଠା ତଳେ ଲୁଚିଯାଇଥିଲା। ଆହତ ଲୋକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍‌। ଅଗ୍ନିଶମ ବାହିନୀ, ପୁଲିସ, ଯବାନ ସମସ୍ତେ ଲାଗିପଡ଼ିଥିଲେ। ଆହତମାନଙ୍କୁ କିଏ କାନ୍ଧରେ ପକାଇ ଟେକିଟେକି  ନେଉଥାଏ ତ କିଏ ଷ୍ଟ୍ରେଚର୍‌ରେ ନେଇ ଆମ୍ବୁଲାନ୍ସରେ ଭର୍ତ୍ତି କରୁଥାଏ। କେହିକେହି ଗଛମୂଳରେ ପ୍ରାଥମିକ ଚିକିତ୍ସା କରାଉଥାଆନ୍ତି। ସେହିପରି କୋଠାଘରେ ଫସି ରହିଥିବା ଲୋକଙ୍କୁ ଊଦ୍ଧାର କରଯାଇଥିଲା। ନିଆଁ ଲାଗିଥିବା କୋଠା ଓ ଦୋକାନ ବଜାରରେ ଅଗ୍ନିଶମ ଟିମ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ପ୍ରକୃତରେ ଯୁଦ୍ଧ ବେଳେ ‌ଯେମିତି ପରିବେଶ ସୃଷ୍ଟି ହୋଇଥାଏ, ଠିକ୍‌ ସେମିତି ପରିବେଶର ଡେମୋ ପ୍ରଦର୍ଶନ କରାଯାଇଥିଲା। ଯୁଦ୍ଧ ପାଇଁ  ଆମେ କେତେ ପ୍ରସ୍ତୁତ ଅଛନ୍ତି, ତାହା ଡେମୋ କରି ଦେଖାଇଥିଲେ ସୁରକ୍ଷାକର୍ମୀ।

ଅନ୍ୟପଟେ ଏହି ସମୟରେ କିଛି ସଂଗଠନ ପକ୍ଷରୁ ପାକିସ୍ତାନ ମୁର୍ଦାବାଦ କହି ନାରାବାଜି କରିଥିଲେ। ଆତଙ୍କୀ ଦେଶକୁ ମୂଳପୋଛ କରିବାକୁ ସବୁ ଦେଶ ଭାରତକୁ ସମର୍ଥନ ଦେବା ସହ ଆତଙ୍କବାଦୀ ବିରୋଧରେ ଲଢ଼ିବାକୁ ଦାବି କରିଥିଲେ।

ବିଏମ୍‌ସି ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର: କୌଣସି ଯୁଦ୍ଧ ପରିସ୍ଥିତି ସମୟରେ ସମ୍ଭାବ୍ୟ ଆକ୍ରମଣରୁ ଧନଜୀବନ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆପାତକାଳୀନ ପରିସ୍ଥିତିରେ ସହାୟତା ପାଇଁ ଆଜିଠାରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଛି ଓ ୧୯୨୯ରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ସିଭିଲ୍ ଡିଫେନ୍ସ ମକ୍‌ଡ୍ରିଲ ପାଇଁ ବିଏମ୍‌ସି ପକ୍ଷରୁ ଆଜି ଡାକବାଜି ଜରିଆରେ ପ୍ରଚାର କରାଯାଇଥିଲା। ବାପୁଜୀନଗର ଓ ଶିଶୁଭବନ ଛକରୁ ରାଜଭବନ ଛକ ପର୍ଯ୍ୟନ୍ତ ମକ୍‌ଡ୍ରିଲ୍ ପ୍ରଦର୍ଶନ ପୂର୍ବରୁ ଏନ୍‌ଫୋର୍ସମେଣ୍ଟ ଟିମ ଜରିଆରେ ଲୋକଙ୍କୁ ସତର୍କ କରାଯାଇଥିଲା। ରାସ୍ତାର ଦୁଇପାର୍ଶ୍ବରୁ ଗାଡ଼ି ସବୁ ହଟାଯାଇଥିଲା।