ଜନତା ଜନାର୍ଦ୍ଦନ: ବୀର ଓଡ଼ିଆଙ୍କ ପ୍ରତି ଉପହାସ, ରାଜ୍ୟ ସରକାର ବଳିଷ୍ଠ ଯୁକ୍ତି ରଖନ୍ତୁ

ପାଇକ ବିଦ୍ରୋହ ବା ଲଢ଼େଇ ଥିଲା ପରାଧୀନ ଭାରତବର୍ଷରେ ଶକ୍ତିଶାଳୀ ବ୍ରିଟିସ୍‌ ବିରୋଧରେ ଭୟଙ୍କର ଯୁଦ୍ଧ। ବ୍ରିଟିସ୍‌ ସମଗ୍ର ଦେଶକୁ ଜୟ କରି ସାରିଥିବା ବେଳେ ଓଡ଼ିଆ ପାଇକମାନେ ସେହି ଶକ୍ତିଶାଳୀ ସରକାର ଆଗରେ ମୁଣ୍ଡ ନୁଆଁଇନଥିଲେ। ଓଡ଼ିଶାକୁ ବ୍ରିଟିସ୍‌ମୁକ୍ତ ରଖିବାକୁ ପାଇକମାନେ ବଳିଦାନ ଦେଇଥିଲେ। ତେଣୁ ଏହା ହେଉଛି ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ। ମାତ୍ର ଏବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏଥିରେ ସହମତ ହେଉନାହାନ୍ତି। ଏହାକୁ ନେଇ ଓଡ଼ିଶାବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ଅନେକେ ଦୁର୍ଭାଗ୍ୟଜନକ ବୋଲି କହିଥିବା ବେଳେ ଏହା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଉପହାସ ବୋଲି ‌କୁହାଯାଇଛି। ରାଜ୍ୟ ସରକାରଙ୍କ ଉପସ୍ଥାପନାରେ ଅଭାବ ରହିଛି ବୋଲି କିଛି ବିଶିଷ୍ଟ ବ୍ୟକ୍ତି ମତ ଦେଇଛନ୍ତି। ଆଜି ‘ଜନତା ଜନାର୍ଦ୍ଦନ’ ସ୍ତମ୍ଭରେ ବିଶିଷ୍ଟ ବ୍ୟକ୍ତିବି‌ଶେଷଙ୍କ କିଛି ମତାମତ…

ଆମ ଭିତରେ ସ୍ଥିରତାର ଅଭାବ
୧୮୦୪ ମସିହାର ଜୟୀ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ତେଣୁ ସ୍ବାଧୀନତା ସଂଗ୍ରାମ ସେବେଠୁ ଆରମ୍ଭ ହେଲା ବୋଲି ଦାବି କରିବାର ଥିଲା। ତା’ ହୋଇଥିଲେ ୧୮୧୭ ମସିହାର ପାଇକ ବିଦ୍ରୋହର ଗୁରୁତ୍ବ ବଢ଼ିଥା’ନ୍ତା। ଏହା ଓଡ଼ିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଯୁକ୍ତିଟି ଗ୍ରହଣଯୋଗ୍ୟ ହୋଇଥା’ନ୍ତା। କିନ୍ତୁ ଆମେ ଏଥିରେ ବିବାଦ ସୃଷ୍ଟି କଲେ ଓ ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଦିବସ ବୋଲି ଦାବି କଲେ। ୧୮୦୪ରୁ ୧୮୧୭ ମସିହା ଭିତରେ ହୁଏତ ଭାରତରେ ଅନେକ ବିଦ୍ରୋହ ହୋଇଯାଇଥିବ। ଫଳରେ ଏବେ ଏଭଳି ସ୍ଥିତି ଉପୁଜିଲା। ଆମେ ସ୍ଥିର କରିପାରିଲେନି, କୋଉଟାର ଗୁରୁତ୍ବ ଅଧିକ। କୌଣସି କଥା ଯେ‌ତେ ପୁରୁଣା, ତା’ର ଗୁରୁତ୍ବ ସେତେ ଅଧିକ। ତେଣୁ ଆମ ଭିତରେ ସ୍ଥିରତା ରହିବାର ଆବଶ୍ୟକତା ରହିଛି।
-ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପା‌ଠୀ, ଐତିହାସିକ ତଥା ଗବେଷକ

ଉପସ୍ଥାପନାରେ କିଛି କମ୍ ରହିଗଲା
୧୮୧୭ ମସିହାରେ ଖୋର୍ଦ୍ଧା ପାଇକ ବିଦ୍ରୋହ ଘମାଘୋଟ ଲଢ଼େଇରେ ପରିଣତ ହୋଇଥିଲା। ମାତ୍ର ତା’ର ଯଥେଷ୍ଟ ପୂର୍ବରୁ ପାଇକ ମେଳି ହୋଇଥିଲା। ବ୍ରିଟିସ୍‌ ବିରୋଧରେ ଗରିଲା ଯୁଦ୍ଧ କରିବା ପାଇଁ ପାଇକମାନେ ଆତ୍ମଗୋପନ କରି ସୁଡ଼ଙ୍ଗ ପ୍ରସ୍ତୁତ କରିବା, ଘନ ଜଙ୍ଗଲରେ ଛପି ରହି ଯୋଦ୍ଧାମାନଙ୍କୁ ଏକାଠି କରିବା ଓ ସେମାନଙ୍କୁ ଯୁଦ୍ଧ କୌଶଳ ବାବଦରେ ତାଲିମ୍ ଦେବା ଭଳି କାମ ବର୍ଷ ବର୍ଷ ଧରି ଯୋଜନାବଦ୍ଧ ଭାବେ ଚାଲିଥିଲା। ମାତ୍ର ଐତିହାସିକମାନେ ଏସବୁକୁ ଦୃଢ଼ ଭାବେ ଉପସ୍ଥାପନା କରିପାରିନାହାନ୍ତି। ଉପସ୍ଥାପନା ତଥ୍ୟ ସମ୍ବଳିତ ହେଲେ, ତାହାକୁ କେନ୍ଦ୍ର ନିଶ୍ଚୟ ଗ୍ରହଣ କରିବ। ଏହା ଦେଶର ଏକ ଶ୍ରେଷ୍ଠ ଲଢ଼ୁଆ ଜାତିର ସମ୍ମାନର କଥା।
-ସଞ୍ଜୟ କୁମାର ରଥ

ପାଇକ ସ୍ମାରକୀର ସୁରକ୍ଷା ବଡ଼ କଥା
ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ପାଇକ ସ୍ମାରକୀ ସୁରକ୍ଷା ପାଇଁ ୨ଶହ କୋଟି ଟଙ୍କାର ବଜେଟ୍‌ କରିଛନ୍ତି। ୨୦୧୯ ମସିହାରେ ରାଷ୍ଟ୍ରପତି ଖୋର୍ଦ୍ଧା ବରୁଣେଇଠାରେ ଏହି ସ୍ମାରକୀର ଶିଳାନ୍ୟାସ କରିଛନ୍ତି। ଏବେ ସିବିଏସ୍‌ଇ ପାଠ୍ୟକ୍ରମରେ ମଧ୍ୟ ପାଇକ ବିଦ୍ରୋହ କଥା ସାମିଲ୍ ହୋଇଛି। ଏଣୁ ପାଇକ ବିଦ୍ରୋହକୁ ଭାରତର ଅଦ୍ବିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏଣୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଏକ ଉତ୍ତରକୁ ନେଇ ଆମେ ଆଦୌ ବିଚଳିତ ହେବା କଥା ନୁହେଁ। ପାଇକ ସ୍ମାରକୀର ସୁରକ୍ଷା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଦରକାର।
-ଇଂ.ଶିଶିର କୁମାର ନାୟକ, ସଂଯୋଜକ, କଳିଙ୍ଗ ପାଇକ ସଂଗଠନ

ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ
୧୮୧୮ ମସିହାରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଭାରତରେ ଇଂରେଜ ଶକ୍ତି ବିରୋଧରେ ପ୍ରଥମ ସଂଗ୍ରାମ, ଏଥିରେ ଦ୍ବିମତ ନାହିଁ। ଓଡ଼ିଶାରେ ରାଜାରାଜୁଡ଼ା ଶାସନ ଚାଲିଥି‌‌ଲେ ମଧ୍ୟ ଓଡ଼ିଆ ପାଇକମା‌ନେ ନିଜର ସାହସିକତା ଦେଖାଇ ଦୀର୍ଘ ଦିନ ଏହି ଲଢ଼‌େଇ ଚଳାଇ ରଖିଥିଲେ। ଏହା ହିଁ ଅନ୍ୟ ରାଜ୍ୟରେ ବ୍ରିଟିସ୍‌ ବିରୋଧରେ ବିଦ୍ରୋହ କରିବାର ମୂଳଦୁଆ ପକାଇଥିଲା।
-ଡ. ରୀନା ଘଡେ଼ଇ, ଅଧ୍ୟକ୍ଷା, ଦେବରାୟ ମହାବିଦ୍ୟାଳୟ

ସଂସଦରେ ରୋକଠୋକ୍ ମନା କରିବା ଦୁର୍ଭାଗ୍ୟଜନକ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ରାଷ୍ଟ୍ରପତି ଭବନର ଏକ ସମାବର୍ତ୍ତନ ସମାରୋହରେ କହିଥିଲେ। ଓଡ଼ିଶା ଗସ୍ତ ସମୟରେ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦୋହରାଇଥିଲେ। ଭାରତରେ ଅଦ୍ବିତୀୟ ତଥା ବିରଳ ଏହି ଲଢ଼େଇକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ତେଣୁ କେନ୍ଦ୍ର ମନ୍ତ୍ରୀ ସଂସଦରେ ଏହି ମାନ୍ୟତା ମିଳିବ ନାହିଁ ବୋଲି ରୋକ୍‌ଠୋକ ମନା କରିବା ଦୁର୍ଭାଗ୍ୟଜନକ।
-ଅରବିନ୍ଦ ତ୍ରିପାଠୀ, ଭୁବନେଶ୍ବର

୪କୋଟି ଓଡ଼ିଆଙ୍କ ସ୍ୱାଭିମାନକୁ କ୍ଷୁଣ୍ଣ କରିଛି
ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ହେଉଛି ଓଡ଼ିଶାରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ। ଏହାକୁ ନେଇ ଅନେକ କିଂବଦନ୍ତି ରହିଛି। ଇତିହାସ ବି ମୂକସାକ୍ଷୀ ହୋଇ ରହିଛି। ମାତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବେପରୁଆ ଭାବେ ରାଜ୍ୟସଭାରେ ଏଭଳି ଉତ୍ତର ଦେବା ପାଇକମାନଙ୍କ ବଳିଦାନ ପ୍ରତି ଅସମ୍ମାନ। ଏହା ୪କୋଟି ଓଡ଼ିଆଙ୍କ ସ୍ୱାଭିମାନକୁ କ୍ଷୁଣ୍ଣ କରିଛି।
-ଚିତ୍ତରଂଜନ ପ୍ରଧାନ, ଭୁବନେଶ୍ବର

ରାଜ୍ୟ ସରକାର ବଳିଷ୍ଠ ତଥ୍ୟ ଦେବା ଆବଶ୍ୟକ
କେନ୍ଦ୍ର ମନ୍ତ୍ରୀଙ୍କ ଏହି ଉତ୍ତର ବିଭ୍ରାନ୍ତିକର ଏବଂ କୌଣସି ଐତିହାସିକ ତଥ୍ୟ ଆଧାରିତ ନୁହେଁ। ଓଡ଼ିଶାବାସୀଙ୍କ ସହ ମୁଁ ନିଃସନ୍ଦେହରେ କହିବି ଯେ ପାଇକ ବିଦ୍ରୋହ ହିଁ ପ୍ରଥମ ସ୍ବାଧୀନତା ସଂଗ୍ରାମ। କିନ୍ତୁ ଏସମ୍ପର୍କରେ ରାଜ୍ୟ ସରକାର ବଳିଷ୍ଠ ପ୍ରମାଣ ଦେଖାଇବା ଆବଶ୍ୟକ।
-ଡ. ଆଶିଷ ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ନିନ୍ଦନୀୟ
ପାଇକ ବିଦ୍ରୋହକୁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ବୋଲି ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକା‌ର ରାଜି ନ ହେବା ନିଶ୍ଚିତ ରୂପେ ନିନ୍ଦନୀୟ। ୧୮୧୭ ମସିହାରୁ ପ୍ରଥମେ ବ୍ରିଟିସ୍‌ ବିରୋଧରେ ଆରମ୍ଭ ହେଇଥିବା ଏହି ଆନ୍ଦୋଳନ ଐତିହାସିକ, ପ୍ରାମାଣିକ ଓ ତଥ୍ୟ ସମ୍ବଳିତ। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ କେବଳ ଓଡ଼ିଶାବାସୀ ନୁହେଁ, ସମଗ୍ର ବିପ୍ଳବୀ ବରପୁତ୍ରଙ୍କୁ ଆଘାତ ଦେଇଛି। ଏହା ଓଡ଼ିଆ ବୀରଙ୍କ ବଳିଦାନ ପ୍ରତି ଉପହାସ।
-ଜ୍ୟୋତି ପ୍ରକାଶ ମହାପାତ୍ର, ଶିକ୍ଷାବିତ୍‌

ବିଜେପି ସରକାର ପ୍ରତାରଣା କରିଛି
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ବିଜେପି ନିର୍ବାଚନ ଇସ୍ତାହାର ଜରିଆ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଆଜି କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ବିଜେପିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରଶ୍ନ ଛିଡ଼ା କରାଇଛି। ରାଜ୍ୟବାସୀଙ୍କୁ ବିଜେପି ସରକାର ପ୍ରତାରିତ କରିଛି।
-ରଶ୍ମି ମହାପାତ୍ର, କଂଗ୍ରେସ ନେତ୍ରୀ, ଭୁବନେଶ୍ବର

ଏହା ଏକ ଷଡ଼୍‌ଯନ୍ତ୍ର
୧୮୧୭ ମସିହାର ପାଇକ ବିଦ୍ରୋହ ବ୍ରିଟିସ୍‌ ସରକାରର ନିଦ ହଜାଇ ଦେଇଥିଲା। ଏହି ଲମ୍ବା ଯୁଦ୍ଧ ହିଁ ଥିଲା ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ। କିନ୍ତୁ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ଦେବା ପଛରେ କେନ୍ଦ୍ର ସରକାରଙ୍କ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ରହିଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ହିଷ୍ଟୋରିକାଲ୍‌ ରିସର୍ଚ୍ଚ (ଆଇସିଏଚ୍ଆର)ର ମତାମତକୁ କେନ୍ଦ୍ର ସରକାର ତର୍ଜମା କରିବା ପରେ ଏଭଳି ମନ୍ତବ୍ୟ ମନ୍ତ୍ରୀଙ୍କ ମୁହଁରୁ ବାହାରିଛି। ଏହି ରିସର୍ଚ୍ଚ କ’ଣ ଶେଷ ରିସର୍ଚ୍ଚ! ଏଥିପାଇଁ ପୁଣି ଥରେ ରିସର୍ଚ୍ଚ ହେବା ଆବଶ୍ୟକ।
-ଦିଲ୍ଲୀପ କୁମାର ମିଶ୍ର

ସମ୍ବନ୍ଧିତ ଖବର