ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍ ପ୍ରହସନ : ପୁଞ୍ଜି ନିବେଶ ଫୁସ୍‌, ବର୍ଷକ ମଧ୍ୟରେ ଟଙ୍କାଟିଏ ବି ଆସିଲାନି

ବିଏମ୍‌ସି ପାଖରେ ଜମି ନାହିଁ କି ଯୋଜନା ନାହିଁ
ସେଲ୍‌ ଗଠନ କରି ବସିଛି ବିଏମ୍‌ସି
ଗଣ୍ଡା ଗଣ୍ଡା ପିପିପି ପ୍ରକଳ୍ପ କରିବାରେ ଫେଲ୍‌

ଭୁବନେଶ୍ବର, (ବିଶ୍ବଜିତ ଦାଶ): ପ୍ରତି ଦୁଇ ବର୍ଷରେ ଥରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇତି ମଧ୍ୟରେ ଦୁଇ ଥର ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍ ଭୁବନେଶ୍ବରରେ ଆୟୋଜନ ହୋଇସାରିଛି। ଏ ବର୍ଷ ବି ହେବ। ହେଲେ ଭୁବନେଶ୍ବରରେ ପୁଞ୍ଜିନିବେଶ କରିବାକୁ ଆଖିଦୃଶିଆ ସଂସ୍ଥା ଆସୁନାହାନ୍ତି। ଯେତିକି ସଂସ୍ଥା ରାଜ୍ୟ ସରକାରଙ୍କ ଉଦ୍ୟମରେ ଆସିଛନ୍ତି ସେମାନେ ବି ବିଶେଷ ସୁବିଧା ସୁଯୋଗ ପାଉନାହାନ୍ତି। ଖାସ୍‌ କରି ଭୁବନେଶ୍ବର ପାଇଁ ପୁଞ୍ଜି ନିବେଶକାରୀ ଯୋଗାଡ଼ କରିବାକୁ ବିଏମ୍‌ସି ବର୍ଷକ ତଳେ ଇନଭେଷ୍ଟମେଣ୍ଟ ପ୍ରୋମୋସନ ଆଣ୍ଡ ଫେସିଲେସନ୍ ସେଲ୍‌ ଗଠନ କରିଥିଲା। ହେଲେ ଏହି ସେଲ୍‌ ବର୍ଷକ ଭିତରେ ବି ଭୁବନେଶ୍ବର ପାଇଁ ଟଙ୍କାଟିଏ ଯୋଗାଡ଼ କରିପାରିଲାନି। ବିଏମ୍‌ସିର ବାବୁମାନେ କେତେ ଦକ୍ଷ ଏଥିରୁ ଜଣାପଡ଼ୁଛି।

ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ବର ଏକନମ୍ବର ସ୍ଥାନ ହାସଲ କରିବା, ଭୁବନେଶ୍ବରରେ ହକି ବିଶ୍ବକପ୍‌ ଆୟୋଜନ ହେବା, ବିଭିନ୍ନ ପ୍ରକାରର ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ହେବା, ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ ଘୋଷଣା କରିବା ସହ ପୂର୍ବ ଭାରତର ଶିକ୍ଷା ହବ୍, ଆଇଟି ହବ୍‌ର ମାନ୍ୟତା ଦିଆସରିଲଣି। ତଥାପି ନିବେଶକାରୀଙ୍କୁ ଆକୃଷ୍ଟ କରିପାରୁନି ବିଏମ୍‌ସିର ଇନଭେଷ୍ଟମେଣ୍ଟ ପ୍ରୋମୋସନ ଆଣ୍ଡ ଫେସିଲେସନ୍ ସେଲ୍‌। ଏପରିକି ବିଏମ୍‌ସିରେ ଏହିିଭଳି ଏକ ସେଲ୍‌ କାମ କରୁଛି କି ନାହିଁ କେହି ବି ଅନୁଭବ କରିପାରୁନାହାନ୍ତି।

ବିଏମ୍‌ସିର ପୂର୍ବତନ କମିସନର ସମର୍ଥ ବର୍ମା ଭୁବନେଶ୍ବରରେ ଅଧିକ ପୁଞ୍ଜିନିବେଶ ପାଇଁ ଏକ ନୂତନ ଚିନ୍ତା କରି ଏହି ସେଲ୍‌ ଗଠନ କରିଥିଲେ। କିନ୍ତୁ ଶ୍ରୀ ବର୍ମାଙ୍କର ବଦଳି ପରେ ଏହି ସେଲ୍‌ ଶୀତଳ ଭଣ୍ଡାରକୁ ଠେଲି ହୋଇଗଲା। ଏହାପରେ ନୂଆ କମିସନର ଆସିଲେ। ହେଲେ ପୁରୁଣା କମିସନରଙ୍କ ଯୋଜନାକୁ ପଚାରୁଛି କିଏ? ଯିଏ ଯୋଜନା କରିଥିଲେ ସେ ତ ପଳେଇଲେ। ତାଙ୍କ ଯୋଜନା କଥା ଚିନ୍ତା କରୁଛି କିଏ? ନୂଆ କମିସନର ନୂଆ ନୂଆ ଯୋଜନା କରି ଏହାକୁ କାର୍ଯ୍ୟକ୍ଷମ କରିବାରେ ଲାଗିପଡ଼ିଛନ୍ତି।

ଏହି ସେଲ୍‌ କାମ ନକରିବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପୂର୍ବତନ କମିସନର ସମର୍ଥ ବର୍ମା ଭୁବନେଶ୍ବରରେ ଅଧିକ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଏହିଭଳି ଏକ ସେଲ୍‌ ଖୋଲିଥିଲେ। ଶ୍ରୀ ବର୍ମାଙ୍କ ବଦଳି ପରେ ଆସିଥିବା ବର୍ତ୍ତମାନର କମିସନର ଏହା ଉପରେ ଥରେ ‌େବୖଠକ କରିଥିଲେ। କମିସନରଙ୍କ ଅଧ୍ୟକ୍ଷତାରେ ଏହି ସେଲ୍‌ ଗଠନ ହୋଇଥିବାରୁ ବର୍ତ୍ତମାନର କମିସନର ପ୍ରେମଚନ୍ଦ୍ର ଚୌଧରୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ହେଲେ ଏହି ସେଲ୍‌ର କାର୍ଯ୍ୟଶୈଳୀ ଏବଂ ରୋଡ୍‌ ମ୍ୟାପ୍ ବିଷୟରେ ବିଏମ୍‌ସିର ଅଧିକାରୀମାନେ କମିସନରଙ୍କୁ ବୁଝାଇ ନ ପାରିବାରୁ କମିସନର ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏହି ସେଲ୍‌ରେ ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ ଇ‌ନଭେଷ୍ଟମେଣ୍ଟ ପ୍ରୋମୋସନ୍‌ (ବିନିଯୋଗ ପ୍ରୋତ୍ସାହନ)ର ନୋଡାଲ ଅଫିସର ଥିବା ବେଳେ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଇନଭେଷ୍ଟର ଫେସିଲେସନ୍ ଆଣ୍ଡ ଇଜ୍‌ ଅଫ୍ ଡୁଇଙ୍ଗ୍‌ ବିଜିନେସ୍‌ର ନୋଡାଲ ଅଫିସର ଅଛନ୍ତି।

ଶ୍ରୀମନ୍ତ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ‌େସ କହିଛନ୍ତି ଯେ, ବିଏମ୍‌ସି ଅଧୀନରେ ଏବେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ଭଳି ଜମି ନାହିଁ। ଜମି ଏବେ ବିଡିଏ ଅଧୀନରେ ଅଛି। ତେଣୁ ଏହି ସେଲ୍‌ରେ ବିଡିଏକୁ ସାମିଲ୍‌ କରିବାକୁ ଯୋଜନା କରାଯାଉଛି। ବିଡିଏ ଏହି ସେଲ୍‌ରେ ମିଶିଲେ ତା’ର ସିଡିପିକୁ ସେହି ଅନୁଯାୟୀ ପ୍ରସ୍ତୁତ କରିବ। ବିଡିଏ ଅଧୀନରେ ଜମି, ଯୋଜନା, ପ୍ଲାନ୍ ଅନୁମୋଦନ ସବୁ ରହୁଥିବାରୁ ବିଡିଏକୁ ସାମିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍ ଭୁବନେଶ୍ବରରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାକୁ ହେଲେ କିମ୍ବା ବିଭିନ୍ନ ବିଭାଗର ଅନୁମୋଦନ ଆଣିବାକୁ ହେଲେ ବିଏମ୍‌ସିର ନିର୍ଦ୍ଦେଶକୁ ବିଭିନ୍ନ ବିଭାଗ ମାନିବେନି। ବିଭିନ୍ନ ବିଭାଗ ମଧ୍ୟରେ ଉପରସ୍ତରରେ ସମନ୍ବୟ ରକ୍ଷା କରିବାକୁ ହେଲେ ନଗର ଉନ୍ନୟନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ଆଲୋଚନା ହେଉଛି। ତେଣୁ ଏନେଇ ନଗର ଉନ୍ନୟନ ବିଭାଗ ଯାହା ନିଷ୍ପତ୍ତି ନେବ।

ନୋଡାଲ ଅଫିସରଙ୍କ ଏହିଭଳି ଉତ୍ତର ଶୁଣିବା ପରେ ଲାଗୁନି ଯେ, ବିଏମ୍‌ସି କେବେ ବି କୌଣସି ନିବେଶକାରୀଙ୍କୁ ଭୁବନେଶ୍ବରରେ ପୁଞ୍ଜିନିବେଶ କରିବାକୁ ଆକୃଷ୍ଟ କରିପାରିବ। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଯଦି ପିପିପି ସେଲ୍‌ ଗଠନ କରି ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରୁଛନ୍ତି ତେବେ ବିଏମ୍‌ସି କାହିଁକି ଇନଭେଷ୍ଟମେଣ୍ଟ ପ୍ରୋମୋସନ ଆଣ୍ଡ ଫେସିଲେସନ୍ ସେଲ୍‌ ଗଠନ କରୁଥିଲା। ବିଏମ୍‌ସି ଯଦି ସବୁ କାମ ପାଇଁ ନଗର ଉନ୍ନୟନ ବିଭାଗ ଉପରେ ନିର୍ଭର କରିବ ତେବେ ନିଜର କେଉଁ ଦକ୍ଷତା ବଳରେ ଏହି ସେଲ୍‌ ଗଠନ କରିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ପିପିପି ମୋଡ୍‌ରେ ଗାଡ଼କଣରେ ଏକ ହସ୍ପିଟାଲ ନିର୍ମାଣ କରିବାକୁ ତିନି ଥର ଏମ୍‌ଓୟୁ ସ୍ବାକ୍ଷର କରିଥିଲେ ବି ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିଲାନି। ସେହିପରି ଗାଡ଼କଣରେ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ହୋଇଥିଲେ ବି ଏହାକୁ ଅଢ଼େଇ ବର୍ଷ ହେଲା କାର୍ଯ୍ୟକ୍ଷମ କରିପାରୁନି। ଉଦ୍‌ଘାଟନ କରିବା ପରେ ଏଥିରେ ତାଲା ପକାଇ ଦେଇଛି। ପ୍ଲାଷ୍ଟିକ ବର୍ଜ୍ୟ ବିଶୋଧନ ପାଇଁ ୟୁଏନ୍‌ଡିପି ସହ ଚୁକ୍ତି ହୋଇଥିଲେ ବି ଏହା କାର୍ଯ୍ୟକାରୀ ହୋଇପାରିନି। ଏହିପରି ଗଣ୍ଡାଗଣ୍ଡା ପିପିପି ପ୍ରକଳ୍ପ ବିଏମ୍‌ସିରେ ଏମ୍‌ଓୟୁ ସ୍ତରରେ ରହିଯାଇଛି। ଯେଉଁ ସଂସ୍ଥା ପିପିପି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଫେଲ୍‌ ମାରିଛି ସେ କେଉଁ ଦମ୍ଭରେ ଅର୍ଥ ଯୋଗାଡ଼ କରିବାକୁ ଅଣ୍ଟା ଭିଡ଼ିଛି ତାହା ଅନେକଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର