ଜଟଣୀ: ବଡ଼ି ଓ ପାମ୍ପଡ଼ ତିଆରି କରି ନିଜେ ସ୍ବାବଲମ୍ବୀ ହେବା ସହ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ସଫଳ ହୋଇଛନ୍ତି ଅଞ୍ଚଳର ମହିଳା ଉଦ୍ୟୋଗୀ ରାଜଲକ୍ଷ୍ମୀ ମଙ୍ଗରାଜ। ନିଜ ଘରେ ମେସିନ୍ ପକାଇ ବଡ଼ି ଓ ପାମ୍ପଡ଼ ତିଆରି କରିବା ସହ ସିଲେଇ କାମ ମଧ୍ୟ କରୁଛନ୍ତି। ତିଆରି ସାମଗ୍ରୀଙ୍କୁ ସ୍ଥାନୀୟ ବେପାରୀଙ୍କୁ ବିକ୍ରି କରି ବାର୍ଷିକ ଭଲ ଦୁଇପାଇସା ରୋଜଗାର କରୁଛନ୍ତି ରାଜଲକ୍ଷ୍ମୀ। ନିଜର କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଦ୍ୱାରା ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୪୧ବର୍ଷ ବୟସରେ ନିଜେ ସ୍ବାବଲମ୍ବୀ ହେବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ରୁ ଅଧିକ ମହିଳାଙ୍କୁ ତାଲିମ୍ ଦେଇ ରୋଜଗାରକ୍ଷମ କରିପାରିଛନ୍ତି।
ପୁରୀଜିଲ୍ଲା କଣ୍ଟିସ୍ଥିତ ବାରିମୂଳ ଅଞ୍ଚଳରେ ରାଜଲକ୍ଷ୍ମୀଙ୍କ ବାପଘର। ସେ ତାଙ୍କ ବାପଘରେ ଥିବା ସମୟରେ ଗାଁରେ ବଡ଼ି ଓ ପାମ୍ପଡ଼ ତିଆରି କରିବା ଶିଖିଥିଲେ। ଗାଁ ସହ ଆଖ ପାଖ ଅଞ୍ଚଳର ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ଏହାର ପ୍ରସ୍ତୁତି ଶିଖାଉଥିଲେ। ସେହି ସମୟରେ ମାସିକ ୫୦୦ରୁ ଅଧିକ ଟଙ୍କା ରୋଜଗାର ମଧ୍ୟ କରୁଥିଲେ। ୧୯୮୮ ମସିହାରେ ତାଙ୍କର ହରିରାଜପୁର ପଞ୍ଚାୟତ ବଅଁଙ୍ଗର ସୁବାସ ମଙ୍ଗରାଜଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ଶାଶୂଘରେ କେବଳ ସିଲେଇ କରୁଥିଲେ। ପରେ ୨୦୧୭ ମସିହାରେ ସ୍ବାମୀ ଓ ଶଶୂର ଘର ଲୋକଙ୍କ ସହମତିରେ ଗାଁ’ ର ୧୦ଜଣ ମହିଳାଙ୍କୁ ଏକାଠି କରି ମା’ ସିଦ୍ଧେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ପ୍ରଥମେ ଗୋଷ୍ଠୀ ମାଧ୍ୟମରେ ୧ଲକ୍ଷ ଟଙ୍କା ଋଣ ଆଣି ବଡ଼ି ଓ ପାମ୍ପଡ଼ ତିଆରି ପାଇଁ ଆନୁଷଙ୍ଗିକ ଉପକରଣ କିଣିଥିଲେ। ଏଥିସହ ସିଲେଇ କାମ ମଧ୍ୟ ଆରମ୍ଭ କରିଥିଲେ। ଏଥିରୁ ମାସିକ ୧୨/୧୫ ହଜାର ଟଙ୍କା ରୋଜଗାର ହୁଏ। ମାସିକ ଯେଉଁ ଟଙ୍କା ରୋଜଗାର ହୁଏ, ସେଥିରୁ ଋଣ ପରିଶୋଧ କରୁଥିଲେ। ପରବର୍ତ୍ତୀ ସମୟରେ ପୁଣି ଋଣ ଆଣି ବ୍ୟବସାୟ ବଢ଼ାଇଥିଲେ। ବଡ଼ି ଓ ପାମ୍ପଡ଼ ଆଦି ତିଆରି କରି ଜଟଣୀ ସମେତ ଆଖପାଖ ଅଞ୍ଚଳରେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ଏଥିରୁ ବାର୍ଷିକ ପାଖା ପାଖି ଦେଢ଼ଲକ୍ଷ ଟଙ୍କା ରୋଜଗାର ହେଉଛି। ବିଶେଷ କରି ଖରାଦିନେ ବଡ଼ି ଓ ପାମ୍ପଡ଼ ବେପାର ଅଧିକ ହୋଇଥାଏ ବୋଲି କୁହନ୍ତି। ଅନ୍ୟପଟେ ସିଲେଇ କରି ସେଥିରୁ ମଧ୍ୟ ବର୍ଷକୁ ୧୫/୨୦ହଜାର ଟଙ୍କା ରୋଜଗାର କରୁଛନ୍ତି।
ରାଜଲକ୍ଷ୍ମୀ କୁହନ୍ତି, ଯଦି ସରକାରୀ ସହାୟତା ମିଳିବ, ତାହେଲେ ଆଗକୁ ଆହୁରି ଅଧିକରୁ ଅଧିକ ବଡ଼ି ଓ ପାମ୍ପଡ଼ ତିଆରି କରିପାରିବୁ। ଏଥିସହ ଏହାର ମାର୍କେଟିଂ କରି ଜଟଣୀ ସମେତ ଅନ୍ୟ ଜିଲ୍ଲାର ବ୍ୟବସାୟୀଙ୍କୁ ବିକ୍ରି କରିପାରିବୁ। ଏଥିରେ ଅଧିକ ମହିଳା ନିୟୋଜିତ ହେବା ସହ ସମସ୍ତେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-6-2025-11-11-07-11-47.jpg)