ଭୁବନେଶ୍ବର: ପ୍ରତି ୱାର୍ଡରେ ଭୁବନେଶ୍ବର ମହାନଗର ନିଗମ(ବିଏମସି)ର ୱାର୍ଡ କାର୍ଯ୍ୟାଳୟ ଖୋଲିବ। ୱାର୍ଡବାସୀଙ୍କୁ ହାତ ପାହାନ୍ତାରେ ମିଳିବ ସରକାରୀ ସୁବିଧା। ସହଜ ହେବ ସରକାରୀ ସେବା। ଏହା ଦ୍ବାରା ଲୋକଙ୍କ ସମସ୍ୟାର ତତ୍କାଳ ସମାଧାନ ହୋଇପାରିବ। ସରକାର-ଜନତାଙ୍କ ମଧ୍ୟରେ ସମ୍ପର୍କର ସେତୁବନ୍ଧ ଆହୁରି ସୁଦୃଢ଼ ହେବ। ଭୁବନେଶ୍ବର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟକୁ ଆଉ ଦୌଡ଼ିବାକୁ ପଡ଼ିବନି କି ହନ୍ତସନ୍ତ ହେବାକୁ ପଡ଼ିବନି। ଏଭଳି ମହତ ଉଦ୍ଦେଶ୍ୟ ନେଇ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଥିଲା ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ପ୍ରକ୍ରିୟା। ନଗର ଉନ୍ନୟନ ବିଭାଗ ଏ ବାବଦରେ ୱାର୍ଡ ପିଛା ୪୬ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ବି ମଞ୍ଜୁର କଲା। କିନ୍ତୁ ଜମି ସମସ୍ୟାରେ ଝୁଲି ରହିଛି ୱାର୍ଡ କାର୍ଯ୍ୟାଳୟ। ଅଦ୍ୟାବଧି ୬୭ଟି ୱାର୍ଡରୁ ୪୪ଟି ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ହୋଇଥିବା ବେଳେ ୨୩ଟି ଆରମ୍ଭ ହୋଇପାରିନି। ବିଏମ୍ସି ଆନ୍ତରିକତା ଦେଖାଉନଥିବାରୁ ଏହି ମହତ ଲକ୍ଷ୍ୟ ପୂରଣ ହୋଇପାରିନି। ଜମି ସମସ୍ୟା ଆଳ ଦେଖାଇ ନିରବ ବସିଛନ୍ତି ଅଧିକାରୀ।
୬୭ରୁ ସରିଛି ୪୪, ବାକି ୨୩
ଜାଗା ଦେଉନି ସାଧାରଣ ପ୍ରଶାସନ ବିଭାଗ
ସେପଟେ କର୍ପୋରେଟମାନେ ବିଏମ୍ସି କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ଜାଣିଶୁଣି କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ କରୁନାହାନ୍ତି କି ଜମି ଅଧିଗ୍ରହଣ କରୁନାହାନ୍ତି। ଯେଉଁଥିପାଇଁ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କାମ ଆଗେଇ ପାରୁନି। ନିର୍ବାଚନ ପୂର୍ବରୁ ଯେଉଁ ଜାଗାରେ ଭିତ୍ତି ପଡ଼ିଥିଲା, ଆଜି ବି ସେହି ଜାଗା ଜବରଦଖଲରେ। କାହାର ଚାପ ପଡ଼ୁଛି କେଜାଣି, ବିଏମ୍ସି ବାବୁମାନେ ଉଚ୍ଛେଦ ପାଇଁ ଡରୁଛନ୍ତି। କର୍ପୋରେସନ୍ ବୈଠକରେ ବି ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି, ୱାର୍ଡ କାର୍ଯ୍ୟାଳୟ ପାଇଁ ଜମି ଦେବା ଦାୟିତ୍ବ ସାଧାରଣ ପ୍ରଶାସନ ବିଭାଗର। ସାଧାରଣ ପ୍ରଶାସନ ବିଭାଗ ଅନେକ ଜାଗାରେ ଆମକୁ ଜାଗା ଦେଉନି। ଅପର ପକ୍ଷେ କିଛି ଜାଗାରେ କର୍ପୋରେଟରଙ୍କ ସ୍ବାର୍ଥ ଜଡ଼ିତ ଥିବାରୁ ଉଚ୍ଛେଦ ଓ ଜମି ଅଧିଗ୍ରହଣ ସମ୍ଭବପର ହେଉନି। ବିଏମ୍ସି ପକ୍ଷରୁ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ନେଇ ୨୦୨୨ ମସିହାରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ୨୩ ୱାର୍ଡରେ ଅଦ୍ୟାବଧି ୱାର୍ଡ କାର୍ଯ୍ୟାଳୟ ହୋଇନଥିବାରୁ ଲୋକେ ସେମାନଙ୍କ ଅଭିଯୋଗ ସିଧାସଳଖ ଉପସ୍ଥାପନରେ ସମସ୍ୟା ଭୋଗୁଛନ୍ତି। ଯେଉଁ ୱାର୍ଡ କାର୍ଯ୍ୟାଳୟ କାମ ସରିଛି, ତାହା ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି।
୧୧ ନମ୍ବର ୱାର୍ଡ କର୍ପୋରେଟର୍ ପ୍ରଭାସିନୀ ମହାନ୍ତି କହିଛନ୍ତି, ଭିଏସ୍ଏସ୍ ନଗର ଭଳି ଅନେକ ପ୍ରମୁଖ ଅଞ୍ଚଳ ତାଙ୍କ ୱାର୍ଡରେ ଆସୁଛି। କିନ୍ତୁ ଏଠାରେ ରାସ୍ତାଘାଟ, ନାଳଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି। ତାଙ୍କ ୱାର୍ଡକୁ ସାବତ ପୁଅ ଭଳି ଦେଖାଯାଉଛି। ନିର୍ବାଚନ ପୂର୍ବରୁ ତାଙ୍କ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଖୋଲିବାକୁ ଟେଣ୍ଡର ହେଲା। ଯେଉଁ ଜାଗା ଚିହ୍ନଟ ହୋଇଛି, ଜାଣିଶୁଣି ସେଠାରୁ ବିଏମ୍ସି ଜବରଦଖଲ ଉଚ୍ଛେଦ କରୁନି। ଫଳରେ ୱାର୍ଡ କାର୍ଯ୍ୟାଳୟ କାମ ଆରମ୍ଭ ହୋଇପାରୁନି। ଲୋକେ ଅଭିଯୋଗ ପାଇଁ ବାରଦୁଆର ହେଉଛନ୍ତି। ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ ୱାର୍ଡବାସୀଙ୍କ ସମସ୍ୟାର ସମାଧାନ ପାଇଁ ୱାର୍ଡ କାର୍ଯ୍ୟାଳୟର ପରିକଳ୍ପନା କରାଯାଇଥିଲା। ୱାର୍ଡର ଲୋକେ ପ୍ରଥମେ ଅଭିଯୋଗ ନେଇ ୱାର୍ଡ କାର୍ଯ୍ୟାଳୟକୁ ଯିବେ। ସେଠାରେ ୱାର୍ଡ ଅଧିକାରୀ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ। ସମାଧାନ ସମ୍ଭବପର ନ ହେଲେ ଜୋନାଲ୍ କମିସନର୍ ଅବା ବିଏମ୍ସି ମୁଖ୍ୟାଳୟକୁ ପଠାଇବାର ବ୍ୟବସ୍ଥା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/bmc.jpg)