ଖଣ୍ଡଗିରି/ ବାରଙ୍ଗ : ଉନ୍ମାଦ ମାକ୍ନା ଅସମ୍ଭାଳ ହେଲାଣି। ରବିବାର ରାତିରେ ଚନ୍ଦକା ଶିମିଳି ପାଟଣାରେ ପୁଣି ଆଉ ତିନି ମଇଁଷି ଛୁଆଙ୍କୁ ଦଳି ହତ୍ୟା କରିଛି। ଦିନକୁ ଦିନ ମାକ୍ନାର ଉତ୍ପାତ ଅସମ୍ଭାଳ ହେବାରୁ ଆଜି ଚନ୍ଦକା ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ରେଂଜ୍ ଅଫିସ୍ରେ ତାଲା ପକାଇ ଦେଇଥିଲେ। ମୃତ ମଇଁଷି ଛୁଆମାନଙ୍କୁ ରେଂଜ୍ ଅଫିସ୍ ସମ୍ମୁଖରେ ରଖି ବାରଙ୍ଗ-ଚନ୍ଦକା ରାସ୍ତା ଅବରୋଧ କରିଥିଲେ। ୧୫ ଦିନ ଭିତରେ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ।
ଗତ ରାତିରେ ଶିମିଳିପାଟଣାର ଶଙ୍କର ଚେମି ଓ ଧରଣୀଧର ଚେମିଙ୍କ ପିତାଗାଡ଼ିଆ ଖେଳ ପଡ଼ିଆ ନିକଟସ୍ଥ ମଇଁଷି ଖୁଆଡ଼ରେ ପଶି ମାକ୍ନା ୩ଟି ଛୁଆଙ୍କୁ ଅତି ନିର୍ମମଭାବେ ମାରି ପକାଇଛି। ଗତ କିଛି ଦିନ ତଳେ ସେହି ଗାଁର କରୁଣାକର ଚେମିଙ୍କ ୨ଟି ମଇଁଷି ଛୁଆଙ୍କୁ ମାରିବା ସହ ଗୋଟିଏ ବଡ଼ ମଇଁଷିକୁ ଗୁରୁତର ଆହତ କରିଥିଲା। ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଗତ ୧୨ ତାରିଖରେ ଅନ୍ଧାରୁଆରେ ଗୁଣ୍ଡୁଚି ଦାସଙ୍କ ୩ଟି ମଇଁଷି ମାରିଥିଲା। କିନ୍ତୁ ଜଗନ୍ନାଥପ୍ରସାଦ ସଂରକ୍ଷିତ ଜଙ୍ଗଲ ଭିତରେ ଏହି କାଣ୍ଡ ଘଟିଥିବାରୁ ବନ ବିଭାଗ କ୍ଷତିପୂରଣ ଦେବାକୁ ରୋକ୍ଠୋକ୍ ମନା କରିଥିଲା। ତେଣୁ ବାରମ୍ବାର ହିଞ୍ଜିଡ଼ା ହାତୀ ଏଭଳି କ୍ଷତି କରୁଥିବାବେଳେ ବନ ବିଭାଗ ବିଭିନ୍ନ ବାହାନା କରି ମଇଁଷିଆଳମାନଙ୍କୁ କ୍ଷତିପୂରଣ ଦେଉନାହିଁ ବୋଲି ଅଭିଯୋଗ ହେଉଥିଲା। ଫଳରେ ଗରିବ ମଇଁଷିଆଳମାନେ କ୍ଷତି ସହୁଥିବାବେଳେ ବନ ବିଭାଗ ସେମାନଙ୍କ ପ୍ରତି ଅନ୍ୟାୟ କରୁଛି ବୋଲି ଅଭିଯୋଗ ହେଉଥିଲା।
ତେଣୁ ଆଜି ଖୋର୍ଧା ଜିଲ୍ଲା ବିଜେପି ଉପସଭାପତି ଡାକ୍ତର ବେହେରା, ଗ୍ରାମ୍ୟ କମିଟି ସମ୍ପାଦକ ବ୍ରଜମୋହନ ଜେନା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିଥିଲେ। ମୃତ ମଇଁଷି ଦେଖିବାକୁ ଯାଇଥିବା ୪ ଜଣ ବନ କର୍ମଚାରୀମାନଙ୍କୁ ସେମାନେ ଅଟକ ରଖିଥିଲେ। ପରେ ମୃତ ମଇଁଷିମାନଙ୍କୁ ନେଇ ଚନ୍ଦକା ରେଂଜ୍ ଅଫିସ୍ ସମ୍ମୁଖରେ ରଖି ବାରଙ୍ଗ-ଚନ୍ଦକା ରାସ୍ତା ଅବରୋଧ କରି କ୍ଷତି ପୂରଣ, ଆହତ ମଇଁଷିଙ୍କ ମାଗଣା ଚିକିତ୍ସା ଖର୍ଚ ଦାବି କରିଥିଲେ। ଖବର ପାଇ ଚନ୍ଦକା ରେଂଜର୍ ମାନସ ମହାନ୍ତି, ଏସିଏଫ୍ ଶରତଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ଭିତରେ ମଇଁଷିଆଳମାନଙ୍କୁ ସରକାରୀ ବିଧିବ୍ୟବସ୍ଥାରେ ଥିବା ସମସ୍ତ ପ୍ରକାର ସହାୟତା ଯୋଗାଇବା ସହ ହାତୀ ଘଉଡ଼ାଇବାକୁ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଛୁପାରୁସ୍ତମ୍ ମାକ୍ନା
ଏହି ମାକ୍ନା ହିଞ୍ଜିଡ଼ା ହୋଇଥିଲେ ବି ଶୀତ ଋତୁ ପାଇଁ ତା’ଠାରେ ଯୌନକ୍ଷୁଧା ବଢ଼ିଛି। ତେଣୁ ସେ ଏଭଳି କାଣ୍ଡ ଭିଆଇ ଚାଲିଛି ବୋଲି କୁହାଯାଉଛି। ମାସେ ହେଲା ତା ଉପରେ ନଜର ରଖାଯାଇଥିଲେ ବି ସେ ଲୁଚିଛପି ମଇଁଷି ମାରୁଛି। ଭରତପୁର, ଜଗନ୍ନାଥପ୍ରସାଦ, ପଥରଗାଡ଼ିଆ ଓ ଶିମିଳିପାଟଣାରେ ବୁଲିବୁଲି ମଇଁଷିମାନଙ୍କୁ ଟାର୍ଗେଟ୍ କରୁଛି। ଗୋଟିଏ ପଟେ ଜଗିଲାବେଳେ ସେ ଛପି ଛପି ଅନ୍ୟଠାରେ ବାହାରୁଛି। ପୁଣି ଥରେ ମଇଁଷି ମାରିଲା ପରେ ୧୦/୧୨ ଦିନ ଜଙ୍ଗଲରେ ଛପି ଯାଉଛି। ଗତବର୍ଷ ତାକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଚାଲାକ୍ ମାକ୍ନା ଚନ୍ଦକାରୁ ଖସି ଆଠଗଡ଼ ପଳାଇଥିଲା।
ମାକ୍ନା ପାଇଁ ସ୍ୱତନ୍ତ୍ର ଟିମ୍
ଏସିଏଫ୍ ଶରତଚନ୍ଦ୍ର ବେହେରାଙ୍କ ସୂଚନାନୁସାରେ ମାକ୍ନାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉପରସ୍ତରରେ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ଏଥିପାଇଁ ଆଇନକାନୁନ୍ ଦେଇ ଯିବାକୁ ପଡ଼ିବ। କିନ୍ତୁ ଏବେ ମାକ୍ନାକୁ ଜଗିବା ପାଇଁ ଏକ ସ୍ୱନ୍ତ୍ର ଟିମ୍ ଗଠନ କରାଯାଇଛି। ସେମାନେ ତା’ର ଗତିବିଧି ଉପରେ ନଜର ରଖିବେ ଓ ଜଙ୍ଗଲ ବାହାରକୁ ଯେମିତି ନ ଆସେ ସେଥିପ୍ରତି ଦୃଷ୍ଟି ଦେବେ। ଏଥିସହିତ ସ୍ଥାନୀୟ ଲୋକଙ୍କୁ ସତର୍କ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯିବ ଓ ପୋଷ୍ଟର ଲଗାଯିବ। ବିଶେଷକରି ମଇଁଷିମାନଙ୍କୁ ଆକ୍ରମଣ କରୁଥିବାରୁ ମଇଁଷି ଖୁଆଡ଼ରେ ଲାଇଟ୍ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ଓ ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ।