ମାତୃ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା ମଳୟ ମିଶ୍ରଙ୍କ ନୂଆ ଗୀତ ‘ବୋଉ’

ଭୁବନେଶ୍ୱର: ମାତୃ ଦିବସ ଅବସରରେ ସମସ୍ତେ ନିଜ ମା’ଙ୍କୁ ଉପହାର ଓ ଶୁଭେଚ୍ଛା ଦେଇଥା’ନ୍ତି। ଏହି ଅବସରରେ ଲୋକପ୍ରିୟ ସଂଗୀତ ନିର୍ଦେଶକ ମଳୟ ମିଶ୍ର ଭେଟି ଦେଇଛନ୍ତି ଏକ ମର୍ମସ୍ପର୍ଶୀ ଗୀତ। ‘ଜଲ୍‌ଦି ଫେରିବୁ, ଯିଏ କହେ ସ୍କୁଲ ଯାଉ ଯାଉ… ଧୋରେ ବାଇଆ ଯିଏ କହେ ନିଦ ହଉ ହଉ… ମୁହଁ ଶୁଖିଯାଇଛି ମୋ ଧନର, ଯିଏ କହେ… ପେଟ ପୂରିନି କି ମୋ ଧନର ଯିଏ କହେ… ଯେତେ ଖାଇଲେ ବି ଆଉ ଗଣ୍ଡେ ଖା, ଯିଏ କହେ ନିଜ ପାଇଁ ଖାଇବା ଥାଉ କି ନଥାଉ – ସେ ବୋଉ’ ଏଭଳି ଏକ ହୃଦୟଛୁଆଁ ଲେଖାକୁ ନେଇ ତିଆରି ହୋଇଛି ମାତୃ ଦିବସ ସ୍ବତନ୍ତ୍ର ଗୀତ ‘ବୋଉ’।

ଗୀତଟିରେ ବୋଉ ପ୍ରତି ଭଲ ପାଇବା ଫୁଟି ଉଠିଥିବା ବେଳେ କୃତଜ୍ଞତାର ସ୍ୱର ବେଶ ସ୍ପଷ୍ଟ ହୋଇଛି। ବୋଉଙ୍କ ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ମିଶ୍ର ଲେଖିଛନ୍ତି, ‘ପଣତରେ ତାର ସବୁ ତୀର୍ଥ ଧାମ, ସବୁ ପ୍ରଭୁ ନାମ, ପୁଣ୍ୟ ସିଏ କୋଟି ଜନମର… ପାପୁଲିରେ ତା’ର ହଜାରେ ମନ୍ଦିର, କୋଟିଏ ଠାକୁର. ଛୁଇଁ ଦେଲେ ଝରେ ଗଙ୍ଗା ଝର। ମଳୟ ମିଶ୍ର ନିଜେ ଏହି ଗୀତଟିକୁ ରଚନା କରିବା ସହ କଣ୍ଠଦାନ କରିଛନ୍ତି। ମନସୁନ କ୍ରିଏଟିଭର ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଗୀତଟି ମୁକ୍ତିଲାଭ କରିଛି। ଗୀତଟି ଶ୍ରୋତା ମହଲରେ ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଆଶା ରଖିଛନ୍ତି ମଳୟ।

ସମ୍ବନ୍ଧିତ ଖବର