‘ପର୍ଯ୍ୟଟନର ବିକାଶରେ ମାଲେସିଆ ଅନୁକରଣୀୟ’

ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିରରେ ‘ଶିଶୁକଲମ’ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଭୁବନେଶ୍ୱର: ପିଲାଟି ଦିନରୁ ଛାତ୍ରଛାତ୍ରୀ ପର୍ଯ୍ୟଟନମନସ୍କ ହେବା ଉଚିତ। ନିଜକୁ ସଫାସୁତୁରା ରଖିବା ସହ ପରିବେଶକୁ ଆବର୍ଜନାମୁକ୍ତ କରିବା ଦିଗରେ ସମସ୍ତେ ସମୟ ଦେଲେ ତାହା ପରୋକ୍ଷରେ ପର୍ଯ୍ୟଟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ‘ଶିଶୁକଲମ’ ପକ୍ଷରୁ ଭିଏସ୍‌ଏସ୍‌ନଗରସ୍ଥିତ ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିର ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ମୁଖ୍ୟମହାପ୍ରବନ୍ଧକ (ନ୍ୟୁଜ୍) ଅରବିନ୍ଦ ଦାସ ଛାତ୍ରଛାତ୍ରୀମାନଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ ୪୫୦କିମି ବେଳାଭୂମି ସହ ଅସରନ୍ତି ସବୁଜିମା, ଜୈବବିବିଧତା ଓ ଅଗଣିତ ଐତିହ୍ୟସ୍ଥଳୀ ଓଡ଼ିଶାକୁ ଆଗଧାଡ଼ିର ପର୍ଯ୍ୟଟନସ୍ଥଳୀ ବନାଇବାର ସମ୍ଭାବନା ସୃଷ୍ଟି କରିଛି। ମାଲେସିଆ ଭଳି ପର୍ଯ୍ୟଟନକୁ ମୁଖ୍ୟ ଆର୍ଥିକ କାର୍ଯ୍ୟକ୍ରମ କରାଗଲେ ତଥା ରାଜ୍ୟବାସୀ ବଙ୍ଗୀୟ ପର୍ଯ୍ୟଟକଙ୍କ ଭଳି ଭ୍ରମଣପ୍ରିୟ ହେଲେ ଦ୍ରୁତ ଆର୍ଥିକ ପ୍ରଗତି ସମ୍ଭବ।

କାର୍ଯ୍ୟକ୍ରମରେ ‘ଶିଶୁକଲମ’ର ଆବାହକ ରମେଶ ଚନ୍ଦ୍ର ପ୍ରଧାନ ପର୍ଯ୍ୟଟନ ଦିବସର ତାତ୍ପର୍ଯ୍ୟ ଉପରେ କହିଥିଲେ। ରାଜ୍ୟରେ ଯେତିକି ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଅଛି, ସେଗୁଡ଼ିକୁ ବ୍ୟବସାୟୀକରଣ କରାଗଲେ, ସ୍ଥାନୀୟ ଲୋକମାନେ ସମୃଦ୍ଧ ହୋଇପାରିବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ବଂଶୀଧର ବାରିକ, ପ୍ରମୋଦ କୁମାର ପୃଷ୍ଟି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନୟାଗଡ଼ର ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରଶ୍ନୋତ୍ତରୀ (କୁଇଜ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିପିନ ବିହାରୀ ରାୟ ସ୍ବାଗତ ଭାଷଣ ଓ ଆଇନଜୀବୀ ଜ୍ଞାନବ୍ରତ ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ଧନ୍ୟବାଦ ଦେଇଥିଲେ। ପ୍ରଦୀପ କୁମାର ସର ଓ ଜନ୍ମେଜୟ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର